Kumar Sangakkara: ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ହେଲେ ସାଙ୍ଗାକାରା
IPL ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଟିମ୍କୁ ମିଳିଲା ନୂଆ ମୁଖ୍ୟ ପ୍ରଶିକ୍ଷକ । ଶ୍ରୀଲଙ୍କାର ଷ୍ଟାର କ୍ରିକେଟର କୁମାର ସାଙ୍ଗାକାରାଙ୍କୁ IPLର ପରବର୍ତ୍ତୀ ସିଜିନ୍ ପାଇଁ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇଛି। ଭାରତର ଷ୍ଟାର କ୍ରିକେଟର ରାହୁଲ ଦ୍ରାବିଡ ଇସ୍ତଫା ଦେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଦ୍ରାବିଡ ଅଗଷ୍ଟ ୨୦୨୫ରେ ରାଜସ୍ଥାନ ରୟାଲ୍ସ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସାଙ୍ଗାକାରା ୨୦୨୧-୨୦୨୪ ପର୍ଯ୍ୟନ୍ତ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ। ସାଙ୍ଗାକାରାଙ୍କ ପ୍ରଶିକ୍ଷଣରେ, ଦଳ IPL ୨୦୨୨ର ଫାଇନାଲରେ ପହଞ୍ଚିଥିଲା ଏବଂ ୨୦୨୪ ସିଜିନ୍ ସମୟରେ ପ୍ଲେଅଫରେ ପହଞ୍ଚିବାରେ ସଫଳ ହୋଇଥିଲା ।
ପୁଣି ମିଳିଲା ଦାୟିତ୍ବ
ଏବେ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ଭାବରେ କୁମାର ସାଙ୍ଗାକାରାଙ୍କୁ ପୁଣି ଥରେ ଦାୟିତ୍ବ ହସ୍ତାନ୍ତର କରିଛି ଦଳ। ରାହୁଲ ଦ୍ରାବିଡ ବହୁ ବର୍ଷର ଚୁକ୍ତିରେ ରାଜସ୍ଥାନ ରୟାଲ୍ସ ସହିତ ଜଡିତ ଥିଲେ। ହେଲେ ଦ୍ରାବିଡଙ୍କ ପ୍ରଶିକ୍ଷଣରେ, ରାଜସ୍ଥାନ ରୟାଲ୍ସ ଖରାପ ପ୍ରଦର୍ଶନ କରିଥିଲା। ୧୪ଟି ମ୍ୟାଚ୍ ମଧ୍ୟରୁ କେବଳ ୪ଟି ଜିତିଥିଲା ଏବଂ ପଏଣ୍ଟ ଟେବୁଲରେ ନବମ ସ୍ଥାନ ଅଧିକାର କରିଥିଲା ଦଳ। ଏହି କାରଣରୁ ଦ୍ରାବିଡ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏବେ ସାଙ୍ଗାକାରାଙ୍କୁ ପୁଣି ଥରେ ଦାୟିତ୍ବ ଦେଇ ଦଳ ଆଗାମୀ ଆଇପିଏଲରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ।

ମନୋଜ ବଡାଲେଙ୍କ ପ୍ରତିକ୍ରିୟା
ରାଜସ୍ଥାନ ରୟାଲ୍ସର ମାଲିକ ମନୋଜ ବଡାଲେ କହିଛନ୍ତି ଯେ, " ଟିମ୍କୁ ଏବେ ଯାହା ଦରକାର ତାହା କେବଳ କୁମାର ସାଙ୍ଗାକାରା ଦେଇପାରିବେ। କାରଣ ବହୁ ବର୍ଷ ଧରି ସେ ଦଳ ସହ କାମ କରିଥିବାରୁ ଦଳକୁ ଭଲ ଭାବରେ ଜାଣିଛନ୍ତି। ଦଳକୁ କିଭଳି ଆଗକୁ ନିଆଯାଇପାରିବ ତାହା ତାଙ୍କୁ ଜଣା। ଆମେ ସର୍ବଦା କୁମାରଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ଆସିଛୁ। ତାଙ୍କର ସ୍ପଷ୍ଟତା, ଶାନ୍ତ ଆଚରଣ ଏବଂ କ୍ରିକେଟ୍ ବୁଦ୍ଧି ଦଳକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।"












Click it and Unblock the Notifications