ପୁରୀରେ ଜୁନିୟର ବିଶ୍ବକପ ପୁରୁଷ ହକି ଟ୍ରଫି ଉନ୍ମୋଚିତ
𝗙𝗜𝗛 𝗛𝗼𝗰𝗸𝗲𝘆 𝗠𝗲𝗻𝘀 𝗝𝘂𝗻𝗶𝗼𝗿 𝗪𝗼𝗿𝗹𝗱 𝗖𝘂𝗽 𝗧𝗮𝗺𝗶𝗹 𝗡𝗮𝗱𝘂 2025 𝗧𝗿𝗼𝗽hy Tour : ପୁରୀରେ ଜୁନିୟର ବିଶ୍ବକପ ପୁରୁଷ ହକି ଟ୍ରଫି ଉନ୍ମୋଚିତ । ତାମିଲନାଡୁ ଠାରେ ଚଳିତ ମାସ ୨୮ ତାରିଖ ଠାରୁ ଆରମ୍ଭ ହୋଇ ଡିସେମ୍ବର ୧୦ ତାରିଖରେ ଶେଷ ହେବ ଏଫଆଇଏଚ ଜୁନିୟର ପୁରୁଷ ହକି ବିଶ୍ବକପ । ତେବେ ଭାରତୀୟ ଦଳରେ 4 ଜଣ ଓଡିଆ ଯୁବ ଖେଳାଳି ସାମିଲ ହୋଇଛନ୍ତି । ଏପଟେ ଆଜି ମଧ୍ୟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେଏଫଆଇଏଚ୍ ହକି ପୁରୁଷ ଜୁନିୟର ବିଶ୍ୱକପ 2025 ଟ୍ରଫି ଟୁରର ସ୍ୱାଗତ ସମାରୋହ ଆୟୋଜନ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ୨୪ଟି ଦଳ ଅଂଶଗ୍ରହଣ କରୁଛନ୍ତି ।
ଟ୍ରଫିକୁ ଆଜି ଅପରାହ୍ନରେ ସିଂହଦ୍ବାର ନିକଟରେ ସମର୍ପିତ ଓ ଉନ୍ମୋଚିତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହରା ଟ୍ରଫିକୁ ଅନାବରଣ କରିବା ସହ ବିଶ୍ବକପ ହକିର ସଫଳତା କାମନା କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ସଚିନ ପାଟିଲ, ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଟ୍ରାଫିକ ଇନିସପେକ୍ଟର ଜୟଦୀପ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଟ୍ରଫି ଉନ୍ମୋଚନରେ ସାମିଲ ହୋଇଥିଲେ । ତେବେ ପରେ ଶ୍ରୀମନ୍ଦିର ସମ୍ମୁଖରେ ଟ୍ରଫିର ଫଟୋ ସେସନ କରାଯାଇଥିଲା । ଏହାସହିତ ବ୍ଲୁ ଫ୍ଲାଗ ବିଚରେ ମଧ୍ୟ ଟ୍ରଫିର ଫଟୋ ସେସନ କରାଯାଇଥିଲା ।

ଏପଟେ କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ଏଫଆଇଏଚ୍ ହକି ପୁରୁଷ ଜୁନିୟର ବିଶ୍ୱକପ 2025 ଟ୍ରଫି ଟୁରର ସ୍ୱାଗତ ସମାରୋହରେ ସାମିଲ ହୋଇ ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, "କଳିଙ୍ଗ ଷ୍ଟାଡିୟମ୍ରେ ଏଫଆଇଏଚ୍ ହକି ପୁରୁଷ ଜୁନିୟର ବିଶ୍ୱକପ ୨୦୨୫ ଟ୍ରଫି ଟୁରର ସ୍ୱାଗତ ସମାରୋହରେ ଯୋଗଦାନ କରି ଗର୍ବିତ । ନଭେମ୍ବର ୨୮ରୁ ଡ଼ିସେମ୍ବର ୧୦ ପର୍ଯ୍ୟନ୍ତ ଚେନ୍ନାଇ ଓ ମଦୁରାଇରେ ଆୟୋଜନ ହେବାକୁ ଯାଉଥିବା ଏହି ବିଶ୍ୱକପ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଗତ ନଭେମ୍ବର ୭ରେ ଆରମ୍ଭ ହୋଇଥିବା ଟ୍ରଫି ପରିକ୍ରମା ହରିଆଣା, ଚଣ୍ଡିଗଡ଼, ପଞ୍ଜାବ, ଜାମ୍ମୁକାଶ୍ମୀର, ଉତ୍ତର ପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର ଗସ୍ତ କରି ଏବେ ଓଡ଼ିଶାରେ ପହଞ୍ଚିଥିବା ଆମ ରାଜ୍ୟ ପାଇଁ ଗୌରବର ବିଷୟ।"
ଭାରତୀୟ ଦଳରେ ଚାରିଜଣ ଓଡ଼ିଆ ଯୁବ ଖେଳାଳି-
ମନ୍ତ୍ରୀ ପୁଣି ଲେଖିଛନ୍ତି, "ଓଡ଼ିଶା ଜାତୀୟ ହକିର ଏକ ଦୃଢ଼ କେନ୍ଦ୍ର ଭାବେ ନିରନ୍ତର ଅବଦାନ ରଖିଆସିଛି ଏବଂ ଏହି ଟ୍ରଫି ଟୁର ଆମ ଯୁବପିଢ଼ିଙ୍କୁ ଅଧିକ ପ୍ରେରଣା ଏବଂ ଉତ୍ସାହ ଦେଉଛି। ଭାରତୀୟ ଦଳରେ ଚାରିଜଣ ଓଡ଼ିଆ ଯୁବ ଖେଳାଳି ଅନମୋଲ ଏକ୍କା, ରୋହିତ କୁଲୁ, ଆଦ୍ରୋହିତ ଏକ୍କା ଏବଂ ରୋଶନ କୁଜୁର ସାମିଲ ହେବା ଆମ ରାଜ୍ୟ ପାଇଁ ଅପାର ଗର୍ବ । ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ୨୪ଟି ଦଳ ଅଂଶଗ୍ରହଣ କରୁଛନ୍ତି, ଯାହା ବିଶ୍ୱର ବିଭିନ୍ନ ଦେଶର ଯୁବ ହକି ଖେଳାଳିମାନଙ୍କୁ ଏକ ଅଦ୍ଭୁତପୂର୍ବ ପ୍ଲାଟଫର୍ମ ଦେବାରେ ସହାୟକ ହେବ ।"












Click it and Unblock the Notifications