ଜୁନିୟର ହକି ବିଶ୍ୱକପ: ଫ୍ରାନ୍ସକୁ ହରେଇ ଫାଇନାଲରେ ଆର୍ଜେଣ୍ଟିନା
କଳିଙ୍ଗ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ଜୁନିୟର ହକି ବିଶ୍ୱକପର ପ୍ରଥମ ସେମି ଫାଇନାଲ୍ ମ୍ୟାଚରେ ଫ୍ରାନ୍ସକୁ ୩-୧ ଗୋଲ୍ ସୁଟଆଉଟ ଜରିଆରେ ହରାଇ ଫାଇନାଲ ଟିକେଟ୍ ହାତେଇଛି ଆର୍ଜେଣ୍ଟିନା।
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ଜୁନିୟର ହକି ବିଶ୍ୱକପର ପ୍ରଥମ ସେମି ଫାଇନାଲ୍ ମ୍ୟାଚରେ ଫ୍ରାନ୍ସକୁ ୩-୧ ଗୋଲ୍ ସୁଟଆଉଟ ଜରିଆରେ ହରାଇ ଫାଇନାଲ ଟିକେଟ୍ ହାତେଇଛି ଆର୍ଜେଣ୍ଟିନା। ଏଥିସହ ଆର୍ଜେଣ୍ଟିନା ୧୬ ବର୍ଷ ପରେ ଜୁନିୟର ବିଶ୍ୱକପ୍ ଫାଇନାଲରେ ସ୍ଥାନ ପକ୍କା କରିଛି। ଏହା ପୂର୍ବରୁ ଆର୍ଜେଣ୍ଟିନା ଶେଷଥର ପାଇଁ ୨୦୦୫ରେ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଥିଲା।

ଫଳାଫଳ ପାଇଁ ପେନାଲ୍ଟି ଶୁଟ ଆଉଟର ସହାୟତା ନିଆଯାଇଥିଲା । ଏଥିରେ ଆର୍ଜେଣ୍ଟିନା ୪ଟି ଉଦ୍ୟମରୁ ୩ଟି ଗୋଲ ଦେଇଥିବା ବେଳେ ଫ୍ରାନ୍ସ ଗୋଟିଏ ଗୋଲ ଦେବାକୁ ସକ୍ଷମ ହୋଇଥିଲା । ଆର୍ଜେଣ୍ଟିନା ଫାଇନାଲରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭେଟିବ ।
ମ୍ୟାଚର ପ୍ରଥମ କ୍ୱାର୍ଟରରେ ଆଟାକିଂ ଏବଂ କାଉଣ୍ଟର ଆଟାକିଂ ସହ ଆରମ୍ଭ କରିଥିଲେ ଫ୍ରାନ୍ସ ଓ ଆର୍ଜେଣ୍ଟିନା। ମ୍ୟାଚର ୨ୟ ମିନିଟରେ ଆର୍ଜେଣ୍ଟିନାକୁ ପ୍ରଥମ ପେନାଲଟି କର୍ଣ୍ଣର ସୁଯୋଗ ମିଳିଥିଲା । କିନ୍ତୁ ଗୋଲ କରିବାରେ ସକ୍ଷମ ହୋଇ ନଥିଲା। ଫ୍ରାନ୍ସ ଡିଫେଣ୍ଡର ଏବଂ ଗୋଲ କିପର ଅତି ସୁନ୍ଦର ଭାବେ ବଲକୁ ଅଟକାଇ ଦେଇଥିଲେ। ପୁଣି ଆର୍ଜେଣ୍ଟିନାକୁ ମ୍ୟାଚର ଦଶମ ମିନିଟରେ ଆଉ ଏକ ପେନାଲଟି କର୍ଣ୍ଣରର ସୁଯୋଗ ମିଳିଥିଲେ ସୁଦ୍ଧା ଫ୍ରାନ୍ସର ଗୋଲ କିପର ମାରିସ ମାଥ୍ୟୁ ଅଟକାଇ ଦେଇଥିଲେ। ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା କେହି କାହାରିକୁ ଗୋଲ ଦେବାକୁ ସକ୍ଷମ ହୋଇନଥିଲେ।
ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ଗୋଲ୍ ଦେବା ପାଇଁ ପରସ୍ପରକୁ ଘନଘନ ଆକ୍ରମଣ କରିଥିଲେ। ଏହିକ୍ରମରେ ୧୮ଶ ମିନିଟରେ ଆର୍ଜେଣ୍ଟିନାକୁ ବ୍ୟାକଟୁ ବ୍ୟାକ୍ ତୃତୀୟ ଓ ଚତୁର୍ଥ ପେନାଲଟି କର୍ଣ୍ଣର ମିଳିଥିଲା, କିନ୍ତୁ ଟିମ୍ ଉଭୟ ସୁଯୋଗକୁ ଗୋଲରେ ପରିଣତ କରିପାରିନଥିଲା। ୨୫ତମ ମିନିଟରେ ଫ୍ରାନ୍ସକୁ ତାର ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲେ ବି ଏହାକୁ ଟିମ୍ ଗୋଲରେ ରୂପାନ୍ତରିତ କରି ପାରିନଥିଲା। ଏହିପରି ଭାବେ ହାଫ୍ ଟାଇମ ସୁଦ୍ଧା ମ୍ୟାଚ୍ ଗୋଲଶୂନ୍ୟ ରହିଥିଲା।
ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ମଧ୍ୟ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ ଏଥିରେ ମଧ୍ୟ କେହି କାହାରିକୁ ଗୋଲ ଦେଇପାରି ନଥିଲେ। ଶେଷରେ ମ୍ୟାଚ ଫଳାଫଳ ପାଇଁ ସୁଟ ଆଉଟର ନିଷ୍ପତ୍ତି ନିଆଯାଇଥିଲା। ଆର୍ଜେଣ୍ଟିନା ପ୍ରଥମ ୪ଟି ପ୍ରୟାସରୁ ୩ଟି ଗୋଲ ଦେବାକୁ ସକ୍ଷମ ହୋଇଥିବା ବେଳେ ପ୍ରତିପକ୍ଷ ଫ୍ରାନ୍ସ କିନ୍ତୁ ୪ଟି ପ୍ରୟାସରୁ ଗୋଟିଏ ଗୋଲ ଦେବାକୁ ସକ୍ଷମ ହୋଇଥିଲା। ଫଳରେ ଆର୍ଜେଣ୍ଟିନା ୩-୧ଗୋଲରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲା। ଦ୍ୱିତୀୟ ସେମି ଫାଇନାଲ୍ ଜର୍ମାନୀ ଓ ଭାରତ ମଧ୍ୟରେ ଖେଳାଯାଉଥିବା ମ୍ୟାଚର ବିଜୟୀ ଦଳ ବିପକ୍ଷରେ ଆସନ୍ତା ୫ତାରିଖରେ ଟାଇଟଲ ପାଇଁ ଲଢେଇ କରିବ।












Click it and Unblock the Notifications