ବିବାଦ ସହ ନପାରି ଅଧିନାୟକ ପଦ ଛାଡିଲେ ଜୋ ରୁଟ୍ !
ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ ହାରିବା ପରେ ବିବାଦରେ ଥିବା ଇଂଲିଶ ଟିମର ଟେଷ୍ଟ ଅଧିନାୟକ ଜୋ ରୁଟ୍ ବଡ଼ ପଦକ୍ଷେପ ନେଇଛନ୍ତି।
ଲଣ୍ଡନ: ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ ହାରିବା ପରେ ବିବାଦରେ ଥିବା ଇଂଲିଶ ଟିମର ଟେଷ୍ଟ ଅଧିନାୟକ ଜୋ ରୁଟ୍ ବଡ଼ ପଦକ୍ଷେପ ନେଇଛନ୍ତି। ସମାଲୋଚନା ଓ ବିବାଦ ମଧ୍ୟରେ ସେ ଆଜି ଟେଷ୍ଟ ଟିମ୍ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ଇସିବି ନିକଟକୁ ପଠାଇ ଦେଇଥିବା ଜଣାପଡ଼ିଛି।

ତେବେ ୩୧ ବର୍ଷୀୟ ରୁଟ୍ ୨୦୧୭ ମସିହାରେ ଆଲିଷ୍ଟର କୁକଙ୍କ ପରେ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ । ହେଲେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଇଂଲଣ୍ଡ ୧୦ ୱିକେଟରେ ପରାସ୍ତ ହେବା ଓ ଲଗାତର ୯ମ ପରାଜୟ ଭୋଗିବା ପରେ ରୁଟ୍ ଅଧିନାୟକ ପଦକୁ ବାଏ ବାଏ କହିଛନ୍ତି ।
ଅଷ୍ଟ୍ରେଲିଆ ବିପକ୍ଷ ଆଶେସରେ ସିରିଜରେ ଇଂଲଣ୍ଡ ୦-୪ରେ ହାରିଥିଲା। ସେହିପରି ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ଟିକିଆ ଟେଷ୍ଟ ସିରିଜ୍ରେ ମଧ୍ୟ ଜୋ ରୁଟଙ୍କ ଇଂଲଣ୍ଡ ୦-୧ରେ ପରାସ୍ତ ହୋଇଥିଲା। କ୍ରମାଗତ ଦୁଇଟି ସିରିଜ୍ ହାରିବା ପରେ ଜୋ ରୁଟଙ୍କ କ୍ୟାପ୍ଟେନ୍ସିକୁ ନେଇ ପ୍ରଶ୍ନ ଉଠିଥିଲା। ତେଣୁ ସେ ଅଧିନାୟକ ପଦ ଛାଡ଼ିଥିବା କୁହାଯାଉଛି।
ଇଂଲଣ୍ଡର ସବୁଠାରୁ ସଫଳ ଅଧିନାୟକ ଥିଲେ ରୁଟ। ତାଙ୍କ ନେତୃତ୍ୱରେ ଇଂଲଣ୍ଡ ୨୭ଟି ଟେଷ୍ଟ ମ୍ୟାଚ୍ ଜିତିଛି। ଏପରି କୀର୍ତ୍ତିମାନ ସ୍ଥାପନ କରି ସେ ମାଇକେଲ ଭନ, ଆଲିଷ୍ଟର କୁକ ଓ ଆଣ୍ଡ୍ର୍ୟୁ ଷ୍ଟ୍ରସଙ୍କୁ ପଛରେ ପକାଇ ଦେଇଥିଲେ।












Click it and Unblock the Notifications