ଆଜିଠୁ ପୁଣି ଆରମ୍ଭ ହେଉଛି IPL: ରୋମାଞ୍ଚକର ମୁକାବିଲା ପାଇଁ ପ୍ରସ୍ତୁତ କ୍ରିକେଟ ପ୍ରେମୀ
ଭାରତୀୟ ପ୍ରିମିଅର ଲିଗ୍ (IPL)ର ୧୮ତମ ସଂସ୍କରଣ ଆଜିଠାରୁ ପୁଣି ଆରମ୍ଭ ହେଉଛି। ଭାରତ-ପାକିସ୍ତାନ ସୀମା ଉତ୍ତେଜନା ଯୋଗୁଁ ମେ' ୮ରେ ଟୁର୍ଣ୍ଣାମେଣ୍ଟକୁ ଏକ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଥିଲା। ତେବେ ଶନିବାର ସନ୍ଧ୍ୟାରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ ବିସିସିଆଇ (BCCI) ଆଇପିଏଲ୍କୁ ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।

ଆଇପିଏଲ୍ ବ୍ରେକ୍ ହେବା ବେଳକୁ ଆରସିବି କ୍ରମାଗତ ୪ ମ୍ୟାଚରେ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ କେକେଆର ଏହାର ଶେଷ ୩ ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିଲା। ମେ'୩ରେ ଅନୁଷ୍ଠିତ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚରେ ଆରସିବି ଅଧିନାୟକ ରଜତ ପଟିଦାର ଅଙ୍ଗୁଳିରେ ଆଘାତ ପାଇଥିଲେ। ମାତ୍ର ଶୁକ୍ରବାର ନେଟ୍ସରେ ଦୀର୍ଘ ସମୟ ବିତାଇ ଥିବାରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଭାରତ-ପାକ୍ ଲଢ଼େଇଜନିତ ବ୍ରେକ୍ ପରେ ଆରସିବିର ଅଧିକାଂଶ ବିଦେଶୀ ଖେଳାଳି ଦଳକୁ ଫେରିଛନ୍ତି। ଫିଲ୍ ସଲ୍ଟ, ଲୁନ୍ଗି ଏନ୍ଗିଡି, ଟିମ୍ ଡାଭିଡ, ଲିଆମ ଲିଭିଂଷ୍ଟୋନ ଓ ରୋମାରିଓ ଶେଫର୍ଡ ଆଗାମୀ ମ୍ୟାଚ ପାଇଁ ଉପଲବ୍ଧ ହେବେ। ତେବେ ଆହତ ଯୋଗୁ ବାଦ୍ ପଡ଼ିଥିବା ଦେବଦତ୍ତ ପଡିକାଲ ଓ ଦ୍ରୁତ ବୋଲର ଜୋଶ ହାଜେଲଉଡ୍ଙ୍କ ଅନୁପସ୍ଥିତି ଦଳ ଅନୁଭବ କରିବ। ପଡିକାଲଙ୍କ ସ୍ଥାନରେ ସାମିଲ ହୋଇଥିବା ମୟଙ୍କ ଅଗ୍ରଓ୍ବାଲ ଭଲ ଖେଳିବେ ବୋଲି ଆରସିବି ନିଶ୍ଚିତ ଆଶା କରିବ। କାନ୍ଧରେ ଆଘାତ ପାଇଥିବା ହାଜେଲଉଡ୍ଙ୍କ ସମ୍ପର୍କରେ ଫ୍ରାଞ୍ଚାଇଜ୍ ପକ୍ଷରୁ କିଛି ଅପ୍ଡେଟ୍ କରାଯାଇନାହିଁ।
ଅଧିନାୟକ ଅଜିଙ୍କ୍ୟ ରାହାନେ ଓ ଯୁବ ଖେଳାଳି ଅଙ୍କକ୍ରିଶ୍ ରଘୁବଂଶୀଙ୍କୁ ଛାଡ଼ିଦେଲେ କେକେଆରର ଅନ୍ୟ କୌଣସି ବ୍ୟାଟର ସ୍ଥିର ପ୍ରଦର୍ଶନ ଦେଇପାରି ନାହାନ୍ତି। ଏହା ଦଳପାଇଁ ଚିନ୍ତାର କାରଣ ହୋଇଛି। ଏପରି କ୍ଷେତ୍ରରେ ଦଳ ଭେଙ୍କଟେଶ ଆୟର, ଆନ୍ଦ୍ରେ ରସେଲ ଓ ରିଙ୍କୁ ସିଂଙ୍କଠାରୁ ଅଧିକ କିଛି ଆଶା କରିବ। ତେବେ ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରିନ, ବୈଭବ ଆରୋରା ଓ ହର୍ଷିତ ରାଣାଙ୍କୁ ନେଇ ଦଳର ବୋଲିଂ ଲାଇନ୍ଅପ୍ ବେଶ୍ ଭଲ। ଜ୍ୱର ଯୋଗୁ ଆଇପିଏଲ୍ରୁ ଓହରି ଯାଇଥିବା ମୋଇନ୍ ଅଲୀଙ୍କ ଅନୁପସ୍ଥିତି କିନ୍ତୁ ଦଳ ଅନୁଭବ କରିବ।
ଚିନ୍ନାସ୍ବାମୀ ପିଚ୍ ଏପର୍ଯ୍ୟନ୍ତ ଦ୍ରୁତ ବୋଲରଙ୍କୁ ସୁହାଇ ଆସିଛି। ଅନେକ କ୍ଷେତ୍ରରେ ବାଉନ୍ସରୁ ସ୍ପିନରମାନେ ମଧ୍ୟ ସହାୟତା ପାଇଛନ୍ତି। ମାତ୍ର ଏକ ସପ୍ତାହରୁ ଊର୍ଦ୍ଧ୍ୱ ବ୍ରେକ୍ ଏବଂ ମୌସୁମିବାୟୁ ଆସୁଥିବାରୁ ପିଚ୍ର ପ୍ରକୃତିରେ ପରିବର୍ତ୍ତନ ହୋଇପାରେ। ଏପରିସ୍ଥଳେ ଦଳ ଗୁଡ଼ିକ ନିଜ ରଣନୀତିରେ ପରିବର୍ତ୍ତନ କରିବାକୁ ହେବ।
ବିଶେଷ କରି ଟେଷ୍ଟରୁ ଅବସର ଘୋଷଣା କରିଥିବା ବିରାଟ କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର ରହିବ। ଅପ୍ରତ୍ୟାଶିତଭାବେ ୧୦ ଦିନର ବ୍ରେକ୍ ପରେ ଆରସିବି ଓ କେକେଆର ନିଜ ନିଜର ରଣନୀତିକୁ ନେଇ ପଡ଼ିଆକୁ ଓହ୍ଲାଇବେ। ତେବେ ଉଭୟ ଦଳର ଗୋଟିଏ ଲକ୍ଷ୍ୟ ରହିବ। ତାହା ହେଲା ପ୍ଲେ-ଅଫ୍ ଯୋଗ୍ୟତା। ଆରସିବି ଏବେ ୧୧ ମ୍ୟାଚରୁ ୧୬ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଆଉ ଗୋଟିଏ ବିଜୟ ଦଳର ପ୍ଲେଅଫ୍ ଯୋଗତା ପାଇଁ ପର୍ଯ୍ୟାପ୍ତ ହେବ। ଅନ୍ୟପକ୍ଷରେ ଗତଥରର ଚାମ୍ପିୟନ କେକେଆର ୧୨ ମ୍ୟାଚରୁ ୧୧ ପଏଣ୍ଟ ପାଇ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି। ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ହେଲେ ଏହି ଦଳକୁ ଅବଶିଷ୍ଟ ଖେଳିବାକୁ ଥିବା ସବୁ ମ୍ୟାଚ ଜିତିବାକୁ ହେବ।












Click it and Unblock the Notifications