ଆଇପିଏଲ ଏଲିମିନେଟର: ଆଜି ମୁମ୍ବାଇ-ଲକ୍ଷ୍ନୌ ଲଢେଇ, ବିଜୟୀ ଦଳ ଭେଟିବ ଗୁଜୁରାଟକୁ
IPL Eliminator, Mumbai vs Lucknow: ନାଟକୀୟ ଭାବେ ପ୍ଲେ ଅଫରେ ପହଞ୍ଚିଥିବା ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ତଥା ୫ ଥର ଆଇପିଏଲ ଟ୍ରଫି ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ବୁଧବାର ଖେଳାଯିବାକୁ ଥିବା ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଭେଟିବ । ଏଲିମିନେଟର ବିଜୟୀ ଟିମ୍ ଗୁଜରାଟ ସହିତ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳିବ।
ଚଳିତ ଆଇପିଏଲରେ ଲକ୍ଷ୍ନୌର ସୁପର ଜାଏଣ୍ଟସର ପଲା ଭାରି ରହିଛି । ଉଭୟ ଦଳ ମଧ୍ୟରେ ୩ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ସମସ୍ତ ମ୍ୟାଚ୍ ଏଲଏସଜି ଜିତିଛି । ଏହି ମ୍ୟାଚ ଏକ ନିରପେକ୍ଷ ଗ୍ରାଉଣ୍ଡରେ ଖେଳା ଯାଉଥିବାରୁ ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ତେବେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ଗତ ୧୬ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ସୁପର ଜାଏଣ୍ଟସ ମାତ୍ର ୫ ରନରେ ଉକ୍ତ ମ୍ୟାଚ୍ ଜିତିଥିଲା ।

ତେବେ ଅଲରାଉଣ୍ଡର କାମେରୁନ ଗ୍ରିନ, ସୂର୍ଯ୍ୟକୁମାର ଯାଦବ, ରୋହିତ ଓ ଈଶାନ କିଶନଙ୍କୁ ନେଇ ମୁମ୍ବାଇର ବ୍ୟାଟିଂ ଲାଇନ୍ ଦୃଢ଼ ରହିଛି । ବୋଲିଂରେ ପୀୟୂଷ ଚାୱଲା ଓ ଜାସନ ବେହରେନଡର୍ଫ ରହିଛନ୍ତି । ଅନ୍ୟପକ୍ଷରେ ଲକ୍ଷ୍ନୌକୁ ବଡ଼ ସ୍କୋର୍ ଦେବାକୁ ମାର୍କସ ଷ୍ଟୋଇନିସ , କାୟଲ ମେୟର୍ସ ଓ ନିକୋଲାସ ପୂରନ ରହିଛନ୍ତି । ବୋଲିଂରେ ଦଳର ଅଗ୍ରଣୀ ୱିକେଟ୍ ହାସଲକାରୀ ସ୍ପିନର ରବି ବିଷ୍ଣୋଇଙ୍କ ସହ ଭେଟେରାନ ଅମିତ ମିଶ୍ରା, ଅଧିନାୟକ କୃନାଲ ଓ ଆଫ୍ଗାନୀ ଦ୍ରୁତ ବୋଲର ନବୀନ-ଉଲ-ହକ୍ ଓ ଆୱେଶ ଖାନ ରହିଛନ୍ତି ।
ଅନ୍ୟପଟେ ଚେପକ୍ ଷ୍ଟାଡିୟମର ପିଚ୍ ବ୍ୟାଟିଂ ଓ ସ୍ପିନ ବୋଲିଂ ପାଇଁ ବେଶ୍ ଅନୁକୂଳ । ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ । ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଉଭୟ ଦଳର ସ୍ପିନରଙ୍କ ଉପରେ ନଜର ରହିବ । ମୁମ୍ବାଇ ନିକଟରେ ଏକମାତ୍ର ଅଭିଜ୍ଞ ସ୍ପିନର ଭାବେ ପିୟୂଷ ଚାୱଲା ରହିଛନ୍ତି । ତେବେ ଆଜିର ମ୍ୟାଚରେ କଡ଼ା ଟକ୍କର ହେବା ନେଇ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ ।
ମୁମ୍ବାଇ ଇଣ୍ଡିଆନ୍ସ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ନେହାଲ ୱାଧେରା, କାମେରନ ଗ୍ରିନ, ଟିମ୍ ଡେଭିଡ, ପୀୟୂଷ ଚାୱଲା, କ୍ରିସ ଜୋର୍ଡାନ, ଜାସନ ବେହରେନଡର୍ଫ, ଆକାଶ ମାଧୱାଲ, କୁମାର କାର୍ତ୍ତିକେୟ।
ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ସମ୍ଭାବ୍ୟ ଏକାଦଶ: କ୍ବିଣ୍ଟନ ଡି'କକ୍, ଦୀପକ ହୁଦା, ପ୍ରେରକ ମଙ୍କଡ଼, କୃନାଲ ପାଣ୍ଡ୍ୟା, ମାର୍କସ ଷ୍ଟୋଇନିସ, ନିକୋଲାସ ପୂରନ, କୃଷ୍ଣପ୍ପା ଗୌତମ. ରବି ବିଷ୍ଣୋଇ, ୟାଶ ଠାକୁର, ନବୀନ-ଉଲ-ହକ୍, ମୋହସିନ ଖାନ।












Click it and Unblock the Notifications