IPL Auction 2025: ୧.୧୦ କୋଟିରେ କିଣା ହେଲେ ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ
ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ଭାବେ ଅକ୍ସନରେ ସାମିଲ ହୋଇଥିବା ବିହାରର ବୈଭବ ସୂର୍ଯ୍ୟବଂଶୀ କମାଲ କରିଛନ୍ତି। ତାଙ୍କୁ ଅକ୍ସନ ବେଳେ କିଣିଛି ରାଜସ୍ଥାନ ରୟାଲ୍ସ। ଦିଲ୍ଲୀ କ୍ୟାପିଟାଲ୍ସକୁ ପଛରେ ପକାଇ ରାଜସ୍ଥାନ ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ନିଜ ସହ ସାମିଲ କରିଛି।
ସେ ଆଇପିଏଲ ଓ ବିଶ୍ୱର ଯେକୌସି ପ୍ରିମିୟର ଲିଗର ସର୍ବକନିଷ୍ଠ ଖେଳାଳି ଭାବେ ଏପରି ସଫଳତା ପାଇଛନ୍ତି। ୧୩ ବର୍ଷ ବୟସରେ କୌଣସି ଖେଳାଳି ବିଶ୍ୱସ୍ତରୀୟ ପ୍ରିମିୟର ଲିଗ ଖେଳିବାର ନଜିର ନାହିଁ। ହେଲେ ବୈଭବ ମେଗା ଅକ୍ସନରେ ରାଜସ୍ଥାନକୁ ଯାଇଥିବାରୁ ସେ ଆଇପିଏଲ ଖେଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଯଦି ସେ ଡେବ୍ୟୁ କରନ୍ତି, ତା'ହେଲେ ସେ ଆଇପିଏଲ ଇତିହାସରେ ସର୍ବକନିଷ୍ଠ ଖେଳାଳି ଭାବେ ଏପରି ସଫଳତା ହାସଲ କରିବେ।
ବୈଭବ ୨୦୨୪ ଅକ୍ଟୋବରେ ବେଶ ଚର୍ଚ୍ଚାକୁ ଆସିଥିଲେ। ସେ ଅଷ୍ଟ୍ରେଲିଆ ଅଣ୍ଡର ୧୯ ଟିମ ବିପକ୍ଷରେ ଭାରତ ପାଇଁ ୬୨ ବଲରେ ବିସ୍ଫୋରକ ୧୦୪ ରନର ଇନିଂସ ଖେଳିଥିଲେ। ଏଥିସହ ଅଣ୍ଡର-୧୯ କ୍ରିକେଟରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ମଧ୍ୟ କରିଥିଲେ। ମାତ୍ର ୫୮ଟି ବଲରୁ ତାଙ୍କ ବ୍ୟାଟରୁ ଶତକ ଦେଖିବାରକୁ ମିଳିଥିଲା। ଏହି ଇନିଂସରେ ସେ ୧୪ଟି ଚୌକା ଓ ୪ଟି ଛକା ମାରିଥିଲେ।

ବେସ ପ୍ରାଇସ ୩୦ ଲକ୍ଷ ଟଙ୍କା ସହ ବୈଭବ ଅକ୍ସନକୁ ଆସିଥିଲେ। ଦିଲ୍ଲୀ ପକ୍ଷରୁ ତାଙ୍କ ପାଇଁ ବିଡ ଆରମ୍ଭ ହୋଇଥିଲା। ଏହାପରେ ଏଥିରେ ରାଜସ୍ଥାନ ସାମିଲ ହୋଇଥିଲା। ଉଭୟ ଦଳ ୧ କୋଟି ଯାଏ ନିଲାମ ଡାକିଥିଲେ। ଦାମ ୧ କୋଟି ୧୦ ଲକ୍ଷ ହୋଇଯିବା ଦିଲ୍ଲୀ ରେସରୁ ଓହରି ଯାଇଥିଲା। ଶେଷରେ ରାଜସ୍ଥାନ ତାଙ୍କୁ ୧.୧୦ କୋଟି ଟଙ୍କା ଦେଇ ନିଜ ସହ ସାମିଲ କରିଛି।
ବୈଭବଙ୍କ କ୍ୟାରିୟର
ବିହାରର ତାଜପୁର ଗାଁରେ ୨୦୧୧ ମସିହାରେ ବୈଭବଙ୍କ ଜନ୍ମ। ମାତ୍ର ଚାରି ବର୍ଷ ବୟସରେ ବୈଭବ ବ୍ୟାଟ୍ ଉଠାଇଥିଲେ। ଅଳ୍ପ ବୟସରେ କ୍ରିକେଟ୍ ପ୍ରତି ପୁଅର ଅସୀମ ଆଗ୍ରହକୁ ଅନୁଭବ କରିପାରିଥିଲେ ବୈଭବଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀ। ପୁଅ ଖେଳିବା ପାଇଁ ଏକ ସ୍ୱତନ୍ତ୍ର ପିଚ୍ ନିର୍ମାଣ କରିଥିଲେ। ଚାରି ବର୍ଷ ପରେ ତାଙ୍କୁ ସମସ୍ତିପୁର କ୍ରିକେଟ୍ ଏକାଡେମୀରେ ଭର୍ତ୍ତି କରାଯାଇଥିଲା।
ସେଠାରେ ଦୁଇ ବର୍ଷ ତାଲିମ ନେବା ପରେ ସେ ଅଣ୍ଡର-୧୬ ଦଳରେ ଯୋଗ ଦେଇଥିଲେ। ସେତେବେଳେ ବୈଭବଙ୍କୁ ମାତ୍ର ୧୦ ବର୍ଷ ବୟସ ହୋଇଥିଲା। ସେହି ବୟସରେ ସେ ବିହାରର ସମସ୍ତ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଜିତିଥିଲେ। ଏହାପରେ ଭିନୋ ମଙ୍କଡ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ ବୈଭବ। ଯାହା ବିହାର କ୍ରିକେଟ୍ ବୋର୍ଡର ଦୃଷ୍ଟି ଆକର୍ଷଣ କରିଥିଲା। ତେଣୁ ସେ ୨୦୨୪ରେ ବିହାର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ।
କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ପରେ ସେ ଟିମ୍ ଇଣ୍ଡିଆର ଅଣ୍ଡର-୧୯ ଦଳ ପାଇଁ ମଧ୍ୟ ମନୋନୀତ ହୋଇଥିଲେ। ସେ ବର୍ତ୍ତମାନ ରଣଜୀ ୨୦୨୪-୨୫ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି। ବାମହାତୀ ବ୍ୟାଟର ବୈଭବଙ୍କର ବିଶେଷତ୍ୱ ହେଉଛି ଆକ୍ରମଣାତ୍ମକ ଖେଳିବା। ସେ ବଡ଼ବଡ଼ ଶଟ ମାରିବାରେ ବେଶ ମାହିର।












Click it and Unblock the Notifications