ଘୁଞ୍ଚିବ ଆଇପିଏଲ-୨୦୨୭ ! ଖରା ପାଇଁ ଏବେ ଏହି ତାରିଖରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
ଜୁନ ମାସ ସରିବାକୁ ବସିଲାଣି । କିନ୍ତୁ ବର୍ଷାର ଦେଖା ନାହିଁ । ଅନେକ ଜାଗାରେ ନିଅଣ୍ଟିଆ ବର୍ଷା ହୋଇଛି । ଆଉ କିଛି ଜାଗାରେ ତାତି କମୁନି । ୩୮ ଡିଗ୍ରୀ ତାପମାତ୍ରା ଥିଲେ ବି ୫୦ ଡିଗ୍ରୀ ଭଳି ଗରମ ଅନୁଭୂତ ହେଉଛି । ତେବେ ଏସବୁକୁ ନଜରରେ ରଖି ଆଗାମୀ ଆଇପିଏଲର ସମୟ ପରିବର୍ତ୍ତନ ନେଇ ଆଲୋଚନା ହେଉଛି ।

ସାଧାରଣତଃ ମାର୍ଚ୍ଚ ମାସ ୧୦ ତାରିଖରୁ ମେ ୧୫ ତାରିଖ ମଧ୍ୟରେ ଆଇପିଏଲ ଅନୁଷ୍ଠିତ ହୋଇଥାଏ । ଯେଉଁ ସମୟରେ ଦେଶରେ ପ୍ରବଳ ଖରାର ପ୍ରକୋପ ଦେଖିବାକୁ ମିଳେ । ଏହାକୁ ନେଇ ବିସିସିଆଇ ସଚ୍ଚିବ ଦେବଜିତ ସାଇକିୟା କହିଛନ୍ତି ଯେ, ଆସନ୍ତା ବର୍ଷ ଆଇପିଏଲରେ ୭୪ଟି ମୁକାବିଲା ଖେଳାଯିବ । ୯୪ଟି ମ୍ୟାଚ୍ ଆୟୋଜିତ ହେବ ନାହିଁ । ଏଥିରେ ଖେଳାଳି ଏବଂ ଦର୍ଶକଙ୍କ ସ୍ୱାର୍ଥକୁ ସଦାବେଳେ ଧ୍ୟାନରେ ରଖାଯିବ ।
Also Read :- ହକି ଦୁନିଆରେ ନୂଆ ଇତିହାସ: ମହାନ ଖେଳାଳି ଦିଲୀପ ତିର୍କୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ମନପ୍ରୀତ ସିଂହ
ସେ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ମାର୍ଚ୍ଚ ଶେଷ ଆଡକୁ ଆଇପିଏଲ ଆରମ୍ଭ ହୋଇଥିଲା । ଯାହା ମେ ୩୧ରେ ସରିଥିଲା । ଏହି ସମୟରେ ପ୍ରାକ୍ ମୌସୁମୀ ବର୍ଷା ହେବ ବୋଲି ସମସ୍ତେ ଆଶା କରୁଥିଲେ । କିଛି ସ୍ଥାନରେ ବର୍ଷା ହେଲେ ବି ଗରମ ଅସହ୍ୟ ଥିଲା । ଯାହା ଖେଳାଳି ଏବଂ ଦର୍ଶକଙ୍କ ପାଇଁ କଷ୍ଟକର ସାବ୍ୟସ୍ତ ହୋଇଥିଲା । ତେଣୁ ବିସିସିଆଇ ଆଇପିଏଲର ସମୟରେ ପରିବର୍ତ୍ତନ କରିବା ନେଇ ଚିନ୍ତା କରୁଛି ।
ଏହାଛଡା ସେ କହିଛନ୍ତି ଯେ, ବିସିସିଆଇ ଆଇପିଏଲକୁ ଦୁଇ ସପ୍ତାହ ଆଗରୁ କରିବା ପାଇଁ ଆଲୋଚନା କରୁଛି । ଏନେଇ ଆଇପିଏଲର ଅଧିକାରୀଙ୍କୁ ସୂଚନା ଦିଆଯାଇଛି । ମାର୍ଚ୍ଚ ୧୦ ଭିତରେ ଟୁର୍ଣ୍ଣାମେଣ୍ଟକୁ ଆରମ୍ଭ କରାଯାଇ କିପରି ମେ ୧୫ ସୁଧା ସାରିହେବ ସେନେଇ ବିଚାର ଚାଲିଛି । ଏହାଦ୍ୱାରା ପାଗ ଖେଳାଳିଙ୍କ ଉପରେ ସେତେଟା ପ୍ରଭାବ ପକାଇବ ନାହିଁ ।
ସାଇକିୟା କହିଛନ୍ତି ଯେ, ଖେଳାଳିମାନଙ୍କଠାରୁ ଅଭିଯୋଗ ଆସିଛି । ଫ୍ୟାନ୍ସମାନେ ମଧ୍ୟ ଖରା ନେଇ ଅଭିଯୋଗ କରିଥାନ୍ତି । ତେବେ ମ୍ୟାଚ୍ ସଂଖ୍ୟା ୭୪ରୁ ୯୪କୁ ବଢାଇବା ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । କାରଣ ଖେଳାଳିଙ୍କ ଉପରେ ଅନ୍ତର୍ଜାତୀୟ ମୁକାବିଲାର ଚାପ ରହିଥାଏ । ଖାଲି ଭାରତ ନୁହେଁ ବିଦେଶୀ ଖେଳାଳି ମଧ୍ୟ ଆଇପିଏଲରେ ଖେଳୁଛନ୍ତି । ସେମାନଙ୍କ ସୁବିଧାକୁ ମଧ୍ୟ ନଜରରେ ରଖିବାକୁ ହେବ । ବିସିସିଆଇ ଦ୍ୱିପାକ୍ଷିକ ସିରିଜ୍ ହାତଛଡା କରିବାକୁ ଚାହେଁ ନାହିଁ ବୋଲି ସେ କହିଛନ୍ତି ।












Click it and Unblock the Notifications