ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲକାତା ନାଇଟ୍ ରାଇଡର୍ସ
ପୁଣିଥରେ ଫଟାଫଟ କ୍ରିକେଟ୍ର ରୋମାଞ୍ଚ ଫେରିଛି । ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲା କେକେଆର୍ ପାଇଁ କର ବା ମର ସ୍ଥିତି ରହିବ ।
ମ୍ୟାଚ୍ ହାରିଲେ ପ୍ଲେ-ଅଫ୍ ଟିକେଟ୍ କଟିବା ଏକ ପ୍ରକାର ନିଶ୍ଚିତ ହେବ । ଚଳିତ ସିଜନରେ ଜବରଦସ୍ତ ଫର୍ମରେ ଅଛି ଆର୍ସିବି । ଦଳ ୮ଟି ମ୍ୟାଚ୍ ଜିତି ୧୬ ପଏଣ୍ଟ ସହ ଦ୍ୱିତୀୟରେ ରହିଛି । ଆଉ ଗୋଟିଏ ମ୍ୟାଚ୍ ଜିତିଲେ ଫ୍ଲେ-ଅଫ୍ ଟିକେଟ୍ କାଟିବ ଦଳ ।
ସେପଟେ ମ୍ୟାଚ୍ରେ ବାଧକ ସାଜିପାରେ ବର୍ଷା । ସ୍ଥାନୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁରେ ୭୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଯୋଗୁ ମ୍ୟାଚ ଧୋଇଗଲେ, ପଏଣ୍ଟ ଭାଗ କରିବେ ଦୁଇ ଦଳ ।

ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ, ଆଇପିଏଲ୍ରେ ବାକି ଥିବା ୧୭ଟି ମ୍ୟାଚ୍ ୬ଟି ଭେନ୍ୟୁରେ ଖେଳାଯିବ। ଏହାରି ଭିତରେ ଦର୍ଶକଙ୍କୁ ଦୁଇଟି ଡବଲ୍ ହେଡର ଅର୍ଥାତ ଗୋଟିଏ ଦିନରେ ଦୁଇଟି ମ୍ୟାଚ ଦେଖିବାକୁ ମିଳିପାରେ । ମେ' ୮ ତାରିଖରେ ଧର୍ମଶାଳାରେ ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଚାଲିଥିଲା ବେଳେ ହଠାତ୍ ଫ୍ଳଡଲାଇଟ୍ ବନ୍ଦ କରିଦିଆଯାଇଥିଲା । ପରେ ମ୍ୟାଚକୁ ଅଧାରୁ ବାତିଲ କରିଦିଆଯାଇଥିଲା ।
ଆଇପିଏଲ୍ ବ୍ରେକ୍ ହେବା ବେଳକୁ ଆରସିବି କ୍ରମାଗତ ୪ ମ୍ୟାଚରେ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ କେକେଆର ଏହାର ଶେଷ ୩ ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିଲା। ମେ'୩ରେ ଅନୁଷ୍ଠିତ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚରେ ଆରସିବି ଅଧିନାୟକ ରଜତ ପଟିଦାର ଅଙ୍ଗୁଳିରେ ଆଘାତ ପାଇଥିଲେ। ମାତ୍ର ଶୁକ୍ରବାର ନେଟ୍ସରେ ଦୀର୍ଘ ସମୟ ବିତାଇ ଥିବାରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ସୂଚନା ମିଳିଛି।
ଭାରତ-ପାକ୍ ଲଢ଼େଇଜନିତ ବ୍ରେକ୍ ପରେ ଆରସିବିର ଅଧିକାଂଶ ବିଦେଶୀ ଖେଳାଳି ଦଳକୁ ଫେରିଛନ୍ତି। ଫିଲ୍ ସଲ୍ଟ, ଲୁନ୍ଗି ଏନ୍ଗିଡି, ଟିମ୍ ଡାଭିଡ, ଲିଆମ ଲିଭିଂଷ୍ଟୋନ ଓ ରୋମାରିଓ ଶେଫର୍ଡ ଆଗାମୀ ମ୍ୟାଚ ପାଇଁ ଉପଲବ୍ଧ ହେବେ। ତେବେ ଆହତ ଯୋଗୁ ବାଦ୍ ପଡ଼ିଥିବା ଦେବଦତ୍ତ ପଡିକାଲ ଓ ଦ୍ରୁତ ବୋଲର ଜୋଶ ହାଜେଲଉଡ୍ଙ୍କ ଅନୁପସ୍ଥିତି ଦଳ ଅନୁଭବ କରିବ। ପଡିକାଲଙ୍କ ସ୍ଥାନରେ ସାମିଲ ହୋଇଥିବା ମୟଙ୍କ ଅଗ୍ରଓ୍ବାଲ ଭଲ ଖେଳିବେ ବୋଲି ଆରସିବି ନିଶ୍ଚିତ ଆଶା କରିବ। କାନ୍ଧରେ ଆଘାତ ପାଇଥିବା ହାଜେଲଉଡ୍ଙ୍କ ସମ୍ପର୍କରେ ଫ୍ରାଞ୍ଚାଇଜ୍ ପକ୍ଷରୁ କିଛି ଅପ୍ଡେଟ୍ କରାଯାଇନାହିଁ।
ଅଧିନାୟକ ଅଜିଙ୍କ୍ୟ ରାହାନେ ଓ ଯୁବ ଖେଳାଳି ଅଙ୍କକ୍ରିଶ୍ ରଘୁବଂଶୀଙ୍କୁ ଛାଡ଼ିଦେଲେ କେକେଆରର ଅନ୍ୟ କୌଣସି ବ୍ୟାଟର ସ୍ଥିର ପ୍ରଦର୍ଶନ ଦେଇପାରି ନାହାନ୍ତି। ଏହା ଦଳପାଇଁ ଚିନ୍ତାର କାରଣ ହୋଇଛି। ଏପରି କ୍ଷେତ୍ରରେ ଦଳ ଭେଙ୍କଟେଶ ଆୟର, ଆନ୍ଦ୍ରେ ରସେଲ ଓ ରିଙ୍କୁ ସିଂଙ୍କଠାରୁ ଅଧିକ କିଛି ଆଶା କରିବ। ତେବେ ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରିନ, ବୈଭବ ଆରୋରା ଓ ହର୍ଷିତ ରାଣାଙ୍କୁ ନେଇ ଦଳର ବୋଲିଂ ଲାଇନ୍ଅପ୍ ବେଶ୍ ଭଲ। ଜ୍ୱର ଯୋଗୁ ଆଇପିଏଲ୍ରୁ ଓହରି ଯାଇଥିବା ମୋଇନ୍ ଅଲୀଙ୍କ ଅନୁପସ୍ଥିତି କିନ୍ତୁ ଦଳ ଅନୁଭବ କରିବ।
ଚିନ୍ନାସ୍ବାମୀ ପିଚ୍ ଏପର୍ଯ୍ୟନ୍ତ ଦ୍ରୁତ ବୋଲରଙ୍କୁ ସୁହାଇ ଆସିଛି। ଅନେକ କ୍ଷେତ୍ରରେ ବାଉନ୍ସରୁ ସ୍ପିନରମାନେ ମଧ୍ୟ ସହାୟତା ପାଇଛନ୍ତି। ମାତ୍ର ଏକ ସପ୍ତାହରୁ ଊର୍ଦ୍ଧ୍ୱ ବ୍ରେକ୍ ଏବଂ ମୌସୁମିବାୟୁ ଆସୁଥିବାରୁ ପିଚ୍ର ପ୍ରକୃତିରେ ପରିବର୍ତ୍ତନ ହୋଇପାରେ। ଏପରିସ୍ଥଳେ ଦଳ ଗୁଡ଼ିକ ନିଜ ରଣନୀତିରେ ପରିବର୍ତ୍ତନ କରିବାକୁ ହେବ।












Click it and Unblock the Notifications