IPL 2025: ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ଚେନ୍ନାଇ ସୁପରକିଙ୍ଗ୍ସ
ଏମ୍ ଚିନ୍ନାସ୍ବାମୀ ଷ୍ଟାଡ଼ିୟମର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୫ର ୫୨ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବ। ପ୍ରଥମ ରାଉଣ୍ଡ ମ୍ୟାଚରେ ବେଙ୍ଗାଲୁରୁ ୫୦ରନରେ ଚେନ୍ନଇକୁ ପରାସ୍ତ କରିଥିଲା। ଚେନ୍ନଇରେ ଖେଳାଯାଇଥିବା ମ୍ୟାଚରେ ବେଙ୍ଗାଲୁରୁ ବିଜୟୀ ହୋଇଥିଲା।ଏବେ ପ୍ଲେ ଅଫ ଦୌଡ଼ରୁ ବାଦ୍ ପଡ଼ି ସାରିଥିବା ଚେନ୍ନଇ ନିକଟରେ ପ୍ରତିଶୋଧ ନେବାର ସଯୋଗ ରହିଛି।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୦ଟି ମ୍ୟାଚରୁ ୭ଟି ବିଜୟ ଓ ୩ଟି ପରାଜୟ ସହ ୧୪ ପଏଣ୍ଟ ପାଇଛି। ଦଳ ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରିଥିଲା। ଦଳ କ୍ରମାଗତ ଭାବେ ୩ଟି ମ୍ୟାଚ ଜିତିଛି । ବ୍ୟାଟିଂରେ ବିରାଟ କୋହଲି ରନ କରୁଥିବାବେଳେ ଅନ୍ୟ ଖେଳାଳିଙ୍କ ମଧ୍ୟ ସହଯୋଗ ମିଳୁଛି। କୋହଲି ୪୪୩ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଫିଲ୍ ସଲଟ୍ ୨୩୯, ରଜତ ପଟିଦାର ୨୨୮ରନ, ଟିମ୍ ଡେଭିଡ୍ ୧୮୪ରନ କରିଛନ୍ତି। ହାଜେଲଉଡ୍ , ଭୁବନେଶ୍ବର କୁମାର ଓ ୟଶ ଦୟାଲ ଦ୍ରୁତ ବୋଲିଂ ଭାର ସମ୍ଭାଳୁଛନ୍ତି। ହାଜେଲଉଡ୍ ଚମତ୍କାର ଫର୍ମରେ ରହିବା ସହ ଏବେ ସୁଦ୍ଧା ୧୮ଟି ଓ ଭୁବନେଶ୍ବର କୁମାର ୧୨ଟି ୱିକେଟ ନେଇଛନ୍ତି। ସ୍ପିନର ଭାବେ ସୂୟାଶ ଶର୍ମା ଓ କ୍ରୁନାଲ ପାଣ୍ଡ୍ୟା ଦାୟିତ୍ବ ତୁଲାଉଛନ୍ତି। କ୍ରୁନାଲ ୧୩ଟି ୱିକେଟ ନେବାରେ ସଫଳ ହୋଇଛନ୍ତି। ଚେନ୍ନଇ ବିପକ୍ଷରେ ଦଳ ବିଜୟ ଧାରାକୁ ବଜାୟ ରଖିବା ନେଇ ନିଶ୍ଚିତ ଉଦ୍ୟମ କରିବ।

ଚେନ୍ନଇ ସୁପରକିଙ୍ଗ୍ସ ୧୦ଟି ମ୍ୟାଚରୁ ୨ଟି ବିଜୟ ଓ ୮ଟି ପରାଜୟ ସହ ପ୍ଲେ ଅଫ ଦୌଡ଼ରୁ ବାଦ୍ ପଡିଛି। ଦଳ ଅବଶିଷ୍ଟ ୪ଟି ମ୍ୟାଚ ସମ୍ମାନ ରକ୍ଷା ଲକ୍ଷ୍ୟ ନେଇ ଖେଳିବ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ଉଭୟ ବ୍ୟାଟିଂ ଓ ବୋଲିଂରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ବ୍ୟାଟିଂରେ ଶିଭମ ଦୁବେ, ଆୟୁଷ ମାହାତ୍ରେ, ସେକ୍ ରସିଦ, ଦୀପକ ହୁଡା, ରବୀନ୍ଦ୍ର ଜାଡେଜା, ଦାୱଦ ବ୍ରେଭିସ ଓ ସାମ କୁରାନ ରହିଛନ୍ତି। ଶେଷ ମ୍ୟାଚରେ ପଞ୍ଜାବ ବିପକ୍ଷରେ ସାମ କୁରାନ ଓ ଦାୱଦ ବ୍ରେଭିସ ଭଲ ବ୍ୟାଟିଂ କରିଥିଲେ। କୁରାନ ୮୮ରନ କରିଥିଲେ। ବୋଲିଂ ବିଭାଗରେ ନୂର ଅହମ୍ମଦ ଓ ଖଲିଲ ଅହମ୍ମଦଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ବିଫଳ ହେଉଛନ୍ତି। ମାଥିଶା ପାଥିରାଣା, ରବୀନ୍ଦ୍ର ଜାଡେଜା ଓ ସାମ କୁରାନ ନିୟମିତ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ଦଳ ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ନିକଟରୁ ୪ ୱିକେଟରେ ପରାଜିତ ହୋଇଥିଲା। ଦଳ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିସାରିଥିବାରୁ ଅବଶିଷ୍ଟ ୪ଟି ମ୍ୟାଚ ବିନା ଚାପରେ ଖେଳିବ। ବେଙ୍ଗାଲୁରୁ ନିକଟରୁ ପ୍ରଥମ ମ୍ୟାଚ ପରାଜୟର ପ୍ରତିଶୋଧ ନେବାକୁ ଉଦ୍ୟମ କରିବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚ ମଧ୍ୟରୁ ବେଙ୍ଗାଲୁରୁ ୩ଟି ଓ ଚେନ୍ନଇ ୨ଟି ମ୍ୟାଚରେ ବିଜୟୀ ହୋଇଛି।












Click it and Unblock the Notifications