IPL 2025: ରାଜସ୍ଥାନ ରୟାଲ୍ସ ବନାମ କଲକାତା ନାଇଟ୍ ରାଇଡର୍ସ
ଗୌହାଟୀରେ ଆଜି ଆଇପିଏଲ-୧୮ର ଷଷ୍ଠ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ କଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ ।
ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବାଧିନ ନାଇଟ୍ ରାଇଡର୍ସ ପ୍ରଥମ ମ୍ୟାଚରେ ୭ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ପରାଜିତ ହୋଇଥିଲା। ଦଳ ବ୍ୟାଟିଂ ଓ ବୋଲିଂ ଉଭୟ କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ କରିଥିଲା।
ବ୍ୟାଟିଂରେ ସୁନୀଲ ନାରାୟଣ, ଅଜିଙ୍କ୍ୟ ରାହାଣେ ଓ ଅଙ୍ଗକ୍ରିସ ରଘୁବଂଶୀଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇନଥିଲେ। କ୍ବିଣ୍ଟନ ଡିକକ, ଭେଙ୍କଟେଶ ଆୟର, ରିଙ୍କୁ ସିଂହ, ଆଦ୍ଦେ ରସେଲ ବିଫଳ ହୋଇଥିଲେ। ବୋଲିଂରେ ମଧ୍ୟ ଦଳ ସେଭଳି ଭଲ ପ୍ରଦର୍ଶନ କରିପାରିନଥିଲା।
ବୈଭବ ଆରୋରା,ସ୍ପିନସର ଜନସନ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା ଓ ସୁନୀଲ ନାରାୟଣ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଦଳର ଦୁଇ ତାରକା ବୋଲର ବରୁଣ ୪ ଓଭରରେ ୪୩ରନ ଦେଇ ଗୋଟିଏ ୱିକେଟ ନେଇଥିବାବେଳେ ହର୍ଷିତ ୩ ଓଭରରେ ୩୨ରନ ବ୍ୟୟ କରିଥିଲେ। ଯାହା ଦଳକୁ ଚିନ୍ତାରେ ପକାଇଛି।

ଦଳ ରାଜସ୍ଥାନ ବିପକ୍ଷରେ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରି ବିଜୟ ହାସଲ ନେଇ ଉଦ୍ୟମ କରିବ। ଅନ୍ୟପକ୍ଷରେ ରିୟାନ ପରାଗଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚରେ ୪୪ରନରେ ସନରାଇଜର୍ସ ହାଇଦରାବାଦ୍ ନିକଟରୁ ପରାଜିତ ହୋଇଛି।
ମ୍ୟାଚରେ ଦଳର ଦୁର୍ବଳ ବୋଲିଂ ପ୍ରଦର୍ଶନ ରହିଥିଲା। ଯାହା ଫଳରେ ସନରାଇଜର୍ସ ୨୮୬ରନ କରିବାରେ ସଫଳ ହୋଇଥିଲା। ବୋଲିଂରେ ଫାଜଲହକ ଫାରୁକି, ମାହିଶ ତୀକ୍ଷଣା,ଜେଫ୍ରା ଆର୍ଚ୍ଚର ଓ ତୁଷାର ଦେଶପାଣ୍ଡେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଆର୍ଚର ୪ ଓଭରରେ ୭୬ରନ ଦେବା ସହିତ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ।
ଆର୍ଚର, ଫାରୁକି ଓ ତୀକ୍ଷଣାଙ୍କ ଭଳି ବୋଲର ମହଙ୍ଗା ସାବ୍ୟସ୍ତ ହେବା ଦଳକୁ ଚିନ୍ତାରେ ପକାଇଛି। ବ୍ୟାଟିଂରେ ଧ୍ରୁବ ଜୁରେଲ ଓ ସଞ୍ଜୁ ସାମସନ ଅର୍ଦ୍ଧଶତକ ହାସଲ କରିଥିବାବେଳେ ସିମରନ ହେତମେୟାର, ଶିଭମ ଦୁବେ ମଧ୍ୟ ରନ କରିଥିଲେ। ବ୍ୟାଟିଂ ଅପେକ୍ଷା ବୋଲିଂ ତ୍ରୁଟିକୁ ସୁଧାରିବା ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୪ଟି ଆଇପିଏଲ ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ରାଜସ୍ଥାନ ରୟାଲ୍ସ ୩ଟି ଓ କଲକାତା ନାଇଟ୍ ରାଇଡର୍ସ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି।












Click it and Unblock the Notifications