IPL Mega Auction: ଅଜିଠୁ ଆଇପିଏଲ ଅକ୍ସନ, ୫୭୪ ଦାବିଦାର
Ipl 2025 Mega Auction: ଆଜି ଆଇପିଏଲର ୧୮ତମ ସଂସ୍କରଣ ପାଇଁ ମେଗା ନିଲାମ କାର୍ଯ୍ୟକ୍ରମ ଆରମ୍ଭ ହେବ । ସାଉଦି ଆରବର ଜେଦାହ ସହରରେ ଆଗାମୀ ୨ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ନିଲାମରେ ୧୦ଟି ଆଇପିଏଲ୍ ଫ୍ରାଞ୍ଚାଇଜ ଆଗାମୀ ୩ ବର୍ଷ ପାଇଁ ଶ୍ରେଷ୍ଠ ଦଳ ପ୍ରସ୍ତୁତ କରିବେ । ଭାରତୀୟ ସମୟ ଅନୁଯାୟୀ ରବିବାର ଓ ସୋମବାର ଦିନ ଅପରାହ୍ଣ ୩.୩୦ ମିନିଟରେ ମେଗା ନିଲାମ କାର୍ଯ୍ୟ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ଜାରି ରହିବ ।
ପର୍ଥ ଟେଷ୍ଟ ମ୍ୟାଚର ତୃତୀୟ ଓ ଚତୁର୍ଥ ଦିନର ଷ୍ଟମ୍ପ ଘୋଷଣା ହେବା ପରେ ପରେ ନିଲାମ କାର୍ଯ୍ୟ ଆରମ୍ଭ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ମଝିରେ ୪୫ ମିନିଟର ବିରତି ରଖାଯାଇଛି ।
ଇମ୍ପାକ୍ଟ ପ୍ଲେୟାର ନିୟମ ଲାଗୁ ହେବା ପରଠୁ ଏହା ପ୍ରଥମ ମେଗା ନିଲାମ । ତେଣୁ ଫ୍ରାଞ୍ଚାଇଜ୍ମାନେ ସତର୍କତାର ସହ ଖେଳାଳି ଚୟନ କରିବେ । ୩ ଭାରତୀୟ ଷ୍ଟାର ଶ୍ରେୟାସ ଆୟର, ରିଷଭ ପନ୍ତ ଓ କେଏଲ୍ ରାହୁଲ ମୁଖ୍ୟ ଆକର୍ଷଣ ସାଜିବେ । ୩ଜଣ ଯାକ ଭାରତୀୟ ଓ ପୂର୍ବରୁ ନିଜ ନିଜ ଦଳର ନେତୃତ୍ୱ ନେଇସାରିଛନ୍ତି । ଆୟରଙ୍କ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସ ଗତ ବର୍ଷ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । ଏମାନେ "ମାକ୍ୱିର୍' ଖେଳାଳି ତାଲିକାରେ ରହିଛନ୍ତି । ତେଣୁ ଚଢ଼ା ଦାମରେ ଏମାନଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜମାନେ ପଛାଇବେ ନାହିଁ ।
୧୨ ମାର୍କ୍ବି ଖେଳାଳି: ମୋଟ ୧୨ଜଣ ଖେଳାଳି "ମାକ୍ୱିର୍' ତାଲିକାରେ ରହିଛନ୍ତି । ଏମାନଙ୍କୁ ୨ଟି ସେଟରେ ଭାଗ କରାଯାଇଛି । ପ୍ରତି ସେଟରେ ୬ ଜଣ ଲେଖାଏଁ ଖେଳାଳି ରହିଛନ୍ତି । ସେଟ-୧ରେ ପନ୍ତ, ଆୟର, ଜୋସ୍ ବଟଲର, ଅର୍ଶଦୀପ ସିଂହ, କାଗିସା ରାବାଡ଼ା ଓ ମିଚେଲ ଷ୍ଟାର୍କ ରହିଛନ୍ତି । ସେଟ-୨ରେ କେଏଲ୍ ରାହୁଲ, ୟୁଝବେନ୍ଦ୍ର ଚହଲ, ଲାଏମ୍ ଲିଭିଙ୍ଗଷ୍ଟୋନ୍, ଡେଭିଡ୍ ମିଲର୍, ମହମ୍ମଦ ସାମି ଓ ମହମ୍ମଦ ସିରାଜ ରହିଛନ୍ତି ।
୨୦୪ ସ୍ଥାନ, ଖେଳାଳି ୫୭4 : ଏଥର ଚୂଡ଼ାନ୍ତ ତାଲିକାରେ ମୋଟ ୫୭4 ଜଣ ରହିଥିବାବେଳେ ଏମାନଙ୍କ ମଧ୍ୟରେ ୩୬୭ ଜଣ ଭାରତୀୟ ଓ ୨୧୦ ଜଣ ବିଦେଶୀ ଖେଳାଳି ରହିଛନ୍ତି । ୧୦ଟି ଯାକ ଫ୍ରାଞ୍ଚାଇଜଙ୍କ ନିକଟରେ ମୋଟ ୨୦୪ଟି ସ୍ଥାନ ଖାଲି ରହିଛି । ସେଥିମଧ୍ୟରେ ୭୦ଟି ବିଦେଶୀ ଖେଳାଳିଙ୍କ ପାଇଁ ସ୍ଥାନ ଖାଲି ରହିଛି । ମୋଟ ୮ଟି ବର୍ଗରେ ଖେଳାଳିଙ୍କ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ସବୁଠୁ ଦାମୀ ଖେଳାଳିଙ୍କ ମୂଲ୍ୟ ୨କୋଟି ଟଙ୍କା ରଖାଯାଇଛି । ସେହିପରି ସର୍ବନିମ୍ନ ମୂଲ୍ୟ ୨୦ ଲକ୍ଷରୁ ୩୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ୨ କୋଟି ଟଙ୍କା ତାଲିକାରେ ମୋଟ ୮୨ ଜଣ ଖେଳାଳି ପଞ୍ଜୀକରଣ କରିଛନ୍ତି ।

'ମାକ୍ୱିର୍' ଖେଳାଳି ତାଲିକାରେ ରହିଥିବା ୧୨ଖେଳାଳିଙ୍କ ମଧ୍ୟରୁ ୧୧ଜଣ ଖେଳାଳିଙ୍କ ମୂଲ୍ୟ ୨କୋଟି ଟଙ୍କା ରହିଛି । ଦକ୍ଷିଣ ଆଫ୍ରିକାର ଡେଭିଡ ମିଲରଙ୍କ ମୂଲ୍ୟ ୧.୫ କୋଟି ଧାର୍ଯ୍ୟ କରାଯାଇଛି ।
ପ୍ରଥମେ 'ମାକ୍ୱିର୍' ଖେଳାଳି: 'ମାକ୍ୱିର୍' ଖେଳାଳି ତାଲିକାରୁ ନିଲାମ ଆରମ୍ଭ ଡାକ ହେବ । ଏହାପରେ ବ୍ୟାଟର, ଦ୍ରୁତ ବାଲର, ୱିକେଟ୍ ରକ୍ଷକ, ସ୍ପିନର ଓ ଅଲରାଉଣ୍ଡରମାନଙ୍କ ନାମ ଆସିବ । ଏହାପରେ ଘରୋଇ କ୍ରିକେଟ୍ ଖେଳିନଥିବା ଘରୋଇ ଖେଳାଳିମାନଙ୍କ ନିଲାମ ଆରମ୍ଭ ହେବ ।
ନଜରରେ ଆଣ୍ଡରସନ, ବୈଭବ: ଭାରତୀୟ ତାରକା ଖେଳାଳିଙ୍କୁ କିଣିବା ପାଇଁ ମୁଖ୍ୟତଃ ଫ୍ରାଞ୍ଚାଇଜମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । କିନ୍ତୁ ୪୩ବର୍ଷୀୟ ଜେମ୍ସ ଆଣ୍ଡରସନ ଓ ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ମୁଖ୍ୟ ଆକର୍ଷଣ ସାଜିବେ । ଆଣ୍ଡରସନ ୨୦୧୪ରୁ ଟି-ଟ୍ୱେଣ୍ଟି କ୍ରିକେଟ୍ ଖେଳିନାହାନ୍ତି । ସେହିପରି ବୈଭବଙ୍କ ବୟସ ମାତ୍ର ୧୩ ବର୍ଷ ଓ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଶତକ ଅର୍ଜନ କରିଥିଲେ ।
ପଞ୍ଜାବ କିଙ୍ଗ୍ସ ଭୟ: ଏଥର ପଞ୍ଜାବ କିଙ୍ଗସ ସର୍ବାଧିକ ଅର୍ଥ ସହ ନିଲାମକୁ ଓହ୍ଲାଇବ । କିଙ୍ଗସ ପର୍ସରେ ୧୧୦.୫କୋଟି ଟଙ୍କା ରହିଛି । ସେହିପରି ରାଜସ୍ଥାନ ରୟାଲ୍ସ ପର୍ସରେ ସବୁଠୁ କମ୍ ୪୧କୋଟି ଟଙ୍କା ରହିଛି । ଚେନ୍ନାଇ ସୁପରକିଙ୍ଗସ ନିକଟରେ ୫୫କୋଟି, ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ୭୩କୋଟି, କୋଲକାତା ନାଇଟ ରାଇଡର୍ସ ନିକଟରେ ୫୧କୋଟି, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରେ ୮୩କୋଟି, ଲକ୍ଷେ୍ନø ସୁପରଜାଏଣ୍ଟସ ନିକଟରେ ୬୯କୋଟି, ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ୪୫କୋଟି, ସନରାଇଜର୍ସ ହାଇଦ୍ରାବାଦ ନିକଟରେ ୪୫କୋଟି, ଗୁଜରାଟ ଟାଇଟନ୍ସ ନିକଟରେ ୬୯କୋଟି ଟଙ୍କା ରହିଛି ।
ଆରଟିଏମ୍ ନାଟକ: ୨୦୧୪ ଓ ୨୦୧୮ ମେଗା ନିଲାମରେ ଆରଟିଏମ୍ କାର୍ଡ ସାମିଲ ହୋଇଥିଲେ ହେଁ ୨୦୨୨ ସଂସ୍କରଣରେ ଏହାକୁ ବାଦ ଦିଆଯାଇଥିଲା । ଏଥର ନୂଆ ନାଟକ ସହ ଆରଟିଏମ୍ କାର୍ଡ ଫେରିଛି । ଏହି କାର୍ଡ ଜରିଆରେ ଦଳମାନେ ସେମାନଙ୍କ ପୂର୍ବ ସିଜନ ଦଳରୁ ଜଣେ ଖେଳାଳିଙ୍କୁ ପୁନର୍ବାର ଫେରାଇ ଆଣିପାରିବେ । ଏଥର ଏକ ଆରଟିଏମ୍ କାର୍ଡ ବ୍ୟବହାର ନେଇ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ହେବ ।
ଏଥର ଯେଉଁ ଦଳ ଏହି ନିଲାମରେ ବିଜୟୀ ହେବ ସେହି ଦଳ ବିନା କୌଣସି ସୀମାରେ ଦାମ ବଢ଼ାଇ ଖେଳାଳିଙ୍କୁ ରଖିବାକୁ ଆଉ ଏକ ସୁଯୋଗ ପାଇବ । ଉଦାହରଣ ସ୍ୱରୂପ ଯଦି କୌଣସି ଖେଳାଳିଙ୍କୁ ଏକ ଦଳ କିଣି ସାରିଛି ଓ ପୂର୍ବ ଦଳ ଆରଟିଏମ କାର୍ଡ ଜରିଆରେ ଉକ୍ତ ଖେଳାଳିଙ୍କୁ ଫେରାଇ ନେବାକୁ ଚାହାନ୍ତି, ତେବେ ନିଲାମ ଜିତିଥିବା ଫ୍ରାଞ୍ଚାଇଜ୍ ମନ ମୁତାବକ ଉକ୍ତ ଖେଳାଳିଙ୍କ ଦାମ ବଢାଇ ପାରିବ । ପୂର୍ବତନ ଫ୍ରାଞ୍ଚାଇଜ ଚାହିଁଲେ ଆରଟିଏମ୍ କାର୍ଡ ବଦଳରେ ଉକ୍ତ ଖେଳାଳିଙ୍କୁ ବର୍ଦ୍ଧିତ ଦାମରେ ନେଇପାରିବେ କିମ୍ବା ଛାଡ଼ି ଦେଇପାରିବ ।












Click it and Unblock the Notifications