ଆଜି ଆଇପିଏଲ ୨୦୨୫ ଫାଇନାଲ: ମୋଦୀ ଷ୍ଟାଡିୟମରେ କିଏ କରିବ ମ୍ୟାଜିକ୍ ? ଆରସିବି ବନାମ ପଞ୍ଜାବ କିଙ୍ଗସ୍
ଆଜି ଆଇପିଏଲ ୨୦୨୫ ଫାଇନାଲ । ୧୭ଟି ସିଜିନରୁ ଗୋଟିଏ ଥର ବି ଟ୍ରଫି ଜିତିପାରିନଥିବା ଦୁଇ ଦଳ ଏଥର ଫାଇନାଲରେ ପ୍ରବେଶ କରିଛନ୍ତି । ଟ୍ରଫି ଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି ପଞ୍ଜାବ ଓ ବେଙ୍ଗାଲୁରୁ ।
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟାଇଟଲ୍ ପାଇଁ ହେବ ଜବରଦସ୍ତ ଟକ୍କର । ୧୧ବର୍ଷ ପରେ ପଞ୍ଜାବ ଫାଇନାଲ୍ ଖେଳିବାକୁ ଯାଉଛି । ୯ ବର୍ଷ ପରେ ଫାଇନାଲରେ ମୈଦାନକୁ ଓହ୍ଲାଇବ RCB
ମୁମ୍ବାଇକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ପଞ୍ଜାବ । ୨୦୦ରୁ ଅଧିକ ରନ୍ କରି କେବେବି ମୁମ୍ବାଇ ପରାଜୟ ବରଣ କରିନଥିଲା ହେଲେ ଅଧିନାୟକ ଶ୍ରେୟସ ଆୟରଙ୍କ ଲଢୁଆ ବ୍ୟାଟିଂ ଯୋଗୁଁ ମ୍ୟାଚର ଫଳାଫଳ ପଞ୍ଜାବ ସପକ୍ଷରେ ଯାଇଥିଲା । ୧୮ ବର୍ଷ ପରେ ଯେତେବେଳେ ସ୍ୱପ୍ନ ସତ ହେବାକୁ ଯାଉଛି ସେତେବେଳେ ଉତ୍ସାହ ତ ରହିବ, ଉତ୍କଣ୍ଠା ରହିବ, ଆଉ ହାର୍ଟବିଟ୍ ବି ବଢ଼ିବ । କାରଣ ଏଥର ଆଇପିଏଲକୁ ମିଳିବାକୁ ଯାଉଛି ନୂଆ ବିଜେତା ।

ଏଥର ପୂରା ହେବ କି ବିରାଟଙ୍କ ଆଇପିଏଲ୍ ଟ୍ରଫି ସ୍ୱପ୍ନ ? ଦିନିକିଆ ବିଶ୍ୱକପ୍, ଟି-୨୦ ବିଶ୍ୱକପ୍, ଚାମ୍ପିଅନ୍ସ ଟ୍ରଫି ଜିତିବାରେ ସଫଳ ହୋଇଥିବା କୋହଲିଙ୍କ ପାଇଁ ଏବେ ବି ଅଧୁରା ରହିଛି ଆଇପିଏଲ୍ ଟ୍ରଫି ବିଜୟ । ପୂର୍ବରୁ ୩ ଥର ଫାଇନାଲ୍ ଖେଳିଥିଲେ ମଧ୍ୟ ରନର୍ସଅପରେ ସନ୍ତୁଷ୍ଟ ହୋଇଛି ବେଙ୍ଗାଲୁରୁ ।
କ୍ୱାଲିଫାୟାର-୧ ଲଢ଼େଇରେ ଆରସିବିଠାରୁ ଲଜ୍ଜାଜନକ ପରାଜୟ ବରଣ କରିଥିଲା ପଞ୍ଜାବ । ମାତ୍ର ୧୦୧ ରନ୍ରେ ଅଲ୍ଆଉଟ୍ ହୋଇଥିଲା ଦଳ । ଅଧିନାୟକ ଶ୍ରେୟସ କହିଥିଲେ, ଆମେ ଲଢ଼େଇ ହାରିଛୁ ଯୁଦ୍ଧ ନୁହେଁ... ଆଉ କ୍ୱାଲିଫାୟାର-୨ ଲଢ଼େଇରେ ଜବରଦସ୍ତ କମବ୍ୟାକ୍ କରି ଏକଥାକୁ ସତ ପ୍ରମାଣିତ ବି କରିଛନ୍ତି ଶ୍ରେୟସ । ଆୟରଙ୍କ ଅଦ୍ଭୁତ, ଅବିଶ୍ୱସନୀୟ, ଅକଳ୍ପନୀୟ ବିଧ୍ୱଂସୀ ବ୍ୟାଟିଂରେ ଆଇପିଏଲରୁ ବିଦା ହୋଇଛି ୫-୫ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ।
ଏହା ସହ ଆଇପିଏଲର ସଫଳ ଅଧିନାୟକ ତାଲିକାରେ ମଧ୍ୟ ଯୋଡି ହୋଇଛି ଶ୍ରେୟସଙ୍କ ନାଁ । ୩ ଟି ଅଲଗା ଅଲଗା ଦଳକୁ ଫାଇନାଲରେ ପହଞ୍ଚାଇବାରେ ସେ ହୋଇଛନ୍ତି ପ୍ରଥମ ଅଧିନାୟକ । ମୋଦୀ ଷ୍ଟାଡିୟମରେ କିଏ କରିବ ମ୍ୟାଜିକ୍ ? କାହା ଅପେକ୍ଷାର ହେବ ଅନ୍ତ, ଅଧୁରା ରହିବ କାହା ସ୍ୱପ୍ନ ? ବିଜୟର ଟୀକା ପିନ୍ଧିବ ବେଙ୍ଗାଲୁରୁ ନା ଟ୍ରଫି ଅକ୍ତିଆର କରିବ ପଞ୍ଜାବ ।
ସମ୍ଭାବ୍ୟ ପଞ୍ଜାବ କିଙ୍ଗ୍ସ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ୍ ସିଂହ, ଜୋସ୍ ଇଙ୍ଗ୍ଲିସ, ଶ୍ରେୟସ୍ ଆୟର (ଅଧିନାୟକ), ନେହଲ ୱାଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟୋଇନିସ୍, ଅଜମାତୁଲ୍ଲା ଓମାରଜାଇ, କାଇଲ ଜାମିସନ୍, ହରପ୍ରୀତ୍ ବ୍ରାର୍, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ।
ସମ୍ଭାବ୍ୟ ଆର୍ସିବି: ବିରାଟ କୋହଲି, ଫିଲ୍ ସଲ୍ଟ, ମୟଙ୍କ ଅଗ୍ରୱାଲ୍, ରଜତ ପଟିଦାର (ଅଧିନାୟକ), ଜିତେଶ ଶର୍ମା, କ୍ରୁନାଲ ପାଣ୍ଡ୍ୟା, ଲିୟାମ ଲିଭିଂଷ୍ଟୋନ, ରୋମାରିଓ ସେଫର୍ଡ, ଭୁବନେଶ୍ବର କୁମାର, ୟଶ୍ ଦୟାଲ, ଜୋସ୍ ହାଜେଲଉଡ୍, ସୂୟାଶ ଶର୍ମା।












Click it and Unblock the Notifications