IPL 2025: କର ବା ମର ସ୍ଥିତିରେ ଚେନ୍ନଇ ଓ ହାଇଦରାବାଦ, କିଏ କଟିବ କିଏ ରହିବ ?
ଚେନ୍ନଇ : ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପର କିଙ୍ଗ୍ସ ଓ ସନରାଇଜର୍ସ ହାଇଦରାବାଦ୍ ମଧ୍ୟରେ ମୁକାବିଲା ହେବ । ଦୁଇ ଦଳ ଏବେ ସଙ୍କଟଜନକ ସ୍ଥିତିରେ ରହିଛନ୍ତି । ପ୍ଳେ ଅଫ ଦୌଡ଼କୁ ବଜାୟ ରଖିବା ନେଇ ଦୁଇ ଦଳ ପାଇଁ ପ୍ରତିଟି ମ୍ୟାଚ ନକ୍ଆଉଟ୍ ସଦୃଶ ହୋଇଛି। ଦୁଇ ଦଳ ଚଳିତ ଆଇପିଏଲରେ ପ୍ରଥମ ରାଉଣ୍ଡ ମ୍ୟାଚରେ ଅବତ୍ତୀର୍ଣ୍ଣ ହେବେ। ଉଭୟ ଦଳ ସମାନ ସ୍ଥିତିରେ ରହିଥିବାରୁ ଉକ୍ତ ମ୍ୟାଚକୁ ଜିତି ଆଗକୁ ବଢିବାକୁ ଉଦ୍ୟମ କରିବେ ।
ଚେନ୍ନଇ ସୁପର କିଙ୍ଗ୍ସ ୮ଟି ମ୍ୟାଚରୁ ୨ଟି ବିଜୟ ଓ ୬ଟି ପରାଜିତ ହୋଇଛି। ଦଳ ଶେଷ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସ ନିକଟରୁ ୯ ୱିକେଟରେ ପରାଜିତ ହୋଇଥିଲା। ବ୍ୟାଟିଂ ହେଉ କି ବୋଲିଂ ପ୍ରତିଟି ବିଭାଗରେ ଚେନ୍ନଇ ବିଫଳ ହେଉଛି। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇକୁ ପ୍ଲେ ଅଫ ଆଶା ବଜାୟ ରଖିବାକୁ ହେଲେ ସନରାଇଜର୍ସ ବିପକ୍ଷ ମ୍ୟାଚକୁ ଜିତିବା ଏକାନ୍ତ ଆବଶ୍ୟକତା ରହିଛି। ଓପନର ରଚିନ ରବୀନ୍ଦ୍ର ନିୟମିତ ବିଫଳ ହେବା ଦଳର ବ୍ୟାଟିଂ ବିଫଳତାର ମୁଖ୍ୟ କାରଣ ହୋଇଛି। ଏହାବାଦ୍ ସେକ ରସିଦ ମଧ୍ୟ ବଡ଼ ଇନିଂସ ଖେଳିବାରେ ବିଫଳ ହେଉଛନ୍ତି।

ଶିଭମ ଦୁବେ ଓ ରବୀନ୍ଦ୍ର ଜାଡେଜା ଦଳର ବ୍ୟାଟିଂ ସ୍ଥିତିକୁ ସମ୍ଭାଳୁଛନ୍ତି। ମହେନ୍ଦ୍ର ସିଂହ ଧୋନି ଫିନିସର ବିଭାଗରେ ମଧ୍ୟ ସେଭଳି ପ୍ରଦର୍ଶନ କରିପାରୁନାହାନ୍ତି। ବୋଲିଂରେ ମଧ୍ୟ ଦଳ ସେଭଳି ପ୍ରଦର୍ଶନ କରିପାରୁନାହିଁ। ଖଲିଲ ଅହମ୍ମଦ ଓ ନୂର ଅହମ୍ମଦଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲର ସେଭଳି ପ୍ରଭାବୀ ପ୍ରଦର୍ଶନ କରିପାରୁନାହାନ୍ତି। ଜେମି ଓଭରଟନ, ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା ଓ ମାଥିଶା ପାଥିରାଣା ବିଫଳ ହେଉଛନ୍ତି। ଦଳକୁ ବିଜୟ ଧାରାକୁ ଫେରିବାକୁ ହେଲେ ବ୍ୟାଟିଂ ଓ ବୋଲିଂ ବିଭାଗକୁ ପ୍ରଥମତଃ ସଜାଡିବାକୁ ପଡ଼ିବ।
ସନରାଇଜର୍ସ ହାଇଦରାବାଦ୍ ୮ଟି ମ୍ୟାଚରୁ ୨ଟି ବିଜୟ ଓ ୬ଟି ପରାଜିତ ହୋଇଛି। ଦଳ ଶେଷ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସ ନିକଟରୁ ୭ ୱିକେଟରେ ପରାଜିତ ହୋଇଥିଲା। ବ୍ୟାଟିଂ ବିଭାଗରେ ଟ୍ରେଭିସ ହେଡ୍, ଈଶାନ କିଷନ, ଅଭିଷେକ ଶର୍ମା, ନୀତିଶ କୁମାର ରେଡ୍ଡି, ହେନରିକ କ୍ଲାସେନଙ୍କ ଭଳି ବ୍ୟାଟ୍ସମ୍ୟାନ ରହି ମଧ୍ୟ ଦଳ ଦୁର୍ଦଶା ଭୋଗୁଛି। େହଡ୍ ଓ ଈଶାନ କ୍ରମାଗତ ଭାବେ ବ୍ୟାଟିଂରେ ବିଫଳ ହେଉଛନ୍ତି। ଅଭିଷେକଙ୍କ ଅସ୍ଥିର ପ୍ରଦର୍ଶନ ରହିଛି। ଯାହା ଫଳରେ ଦଳ ପ୍ରତିଟି ମ୍ୟାଚରେ ସ୍ଥିର ପ୍ରଦର୍ଶନ ଓ ଏକ ଚ୍ୟାଲେଞ୍ଜଭାର ସ୍କୋର ଛିଡ଼ା କରିବାରେ ବିଫଳ ହେଉଛି। ବ୍ୟାଟ୍ସମ୍ୟାନଙ୍କ ପାଇଁ ଅବଶିଷ୍ଟ ମ୍ୟାଚ ଆହ୍ବାନକର ହେବ। ବୋଲିଂ ବିଭାଗରେ ପ୍ୟାଟ୍ କମିନ୍ସ, ଜୟଦେବ ଉନାଦକତ, ହର୍ଶଲ ପଟେଲ, ଇଶାନ ମାଲିଙ୍ଗା ଓ ଜିଶାନ ଅନ୍ସାରୀ ରହିଛନ୍ତି। କମିନ୍ସ ଓ ଉନାଦକତଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲର ପ୍ରଭାବୀ ପ୍ରଦର୍ଶନ କରିପାରୁନାହାନ୍ତି। ଶେଷ ଦୁଇ ମ୍ୟାଚରେ ଦଳ ବ୍ୟାଟିଂ ପାଇଁ ପରାଜିତ ହୋଇଛି। ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ବିଫଳ ହୋଇଛି। ଚେନ୍ନଇ ବିପକ୍ଷରେ ଦଳକୁ ବୋଲିଂ ଅପେକ୍ଷା ବ୍ୟାଟିଂ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।












Click it and Unblock the Notifications