IPL 2024: ଏଥର ଆଇପିଏଲରେ ଶୁଭିବନି ଓଡ଼ିଆ କମେଣ୍ଟ୍ରୀ, ଏହି ୮ଟି ଭାଷାରେ ହେବ କମେଣ୍ଟ୍ରୀ
ଆସନ୍ତା ମାର୍ଚ୍ଚ ୨୨ରୁ ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ତେବେ ସବୁଠୁ ବଡ କଥା ହେଉଛି ଏଥର ଆଇପିଏଲରେ ଶୁଭିବନି ଓଡ଼ିଆ କମେଣ୍ଟ୍ରୀ । କାରଣ ଓଡ଼ିଆକୁ ଏଥର ବାଦ୍ ଦିଆଯାଇଛି ।
୨୦୨୩ ଆଇପିଏଲରେ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ଆଇପିଏଲର ମଜା ଉଠାଇଥିଲେ କ୍ରିକେଟ ପ୍ୟାନ୍ସ । ଆଇପିଏଲର ମ୍ୟାଚ ପୂର୍ବରୁ ଓଡ଼ିଆରେ 'କ୍ରିକେଟ ଲାଇଭ୍' କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା। ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ମଧ୍ୟ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆଙ୍କର ଭାବେ କଟକର ଝିଅ ଲୋରିଆ ମହାନ୍ତିଙ୍କୁ ଚୟନ କରାଯାଇଥିଲା।

ଓଡ଼ିଆ ଭାଷାକୁ ବାଦ ଦିଆଯାଇଥିଲା ବେଳେ ହିନ୍ଦୀ ଓ ଇଂଲିଶ ସମେତ ତେଲୁଗୁ, ତାମିଲ, କନ୍ନଡ, ମରାଠୀ, ଭୋଜପୁରୀ ଓ ଗୁଜରାଟୀ ଭଳି ୮ଟି ଭାଷାରେ ଆଇପିଏଲ କମେଣ୍ଟ୍ରୀ ହେବ । ହେଲେ ଓଡ଼ିଆ ଭାଷା ବ୍ୟତୀତ ଓଡ଼ିଆ ଗ୍ରାଫିକ୍ସ ମଧ୍ୟ ଦେଖିବାକୁ ମିଳିବ ନାହିଁ । ଯାହା ଓଡ଼ିଆଙ୍କ ମନରେ ବହୁ ଦୁଃଖ ଦେଇଛି ।
କାର୍ଯ୍ୟକ୍ରମରେ କିଛି ଓଡ଼ିଆ କ୍ରିକେଟର ଓ ଖେଳ ସହ ସମ୍ପୃକ୍ତ ବ୍ୟକ୍ତି ଯୋଗଦେଉଥିଲେ। ମ୍ୟାଚ୍ ବେଳେ ଦେବାଶିଷ ମହାନ୍ତି, ବିପ୍ଳବ ସାମନ୍ତରାୟ, ଓ ରଶ୍ମି ରଞ୍ଜନ ପରିଡ଼ାଙ୍କ ଭଳି ଅଭିଜ୍ଞ କ୍ରିକେଟରମାନେ କମେଣ୍ଟ୍ରୀ କରୁଥିଲେ ।
ତେବେ ଅନେକ ତ୍ରୁଟି ମଧ୍ୟ ଦେଖାଯାଇଥିଲା । ନାମ ଟ୍ରାନସଲେସନ୍ ଭୁଲ ହୋଇଥିଲା । ଏହା ସହ ନିମ୍ନମାନର ଗ୍ରାଫିକ୍ସ ଓ ଏହାର ପରିଚାଳନା ଦାୟିତ୍ୱରେ ଥିବା କିଛି ଲୋକଙ୍କ ଅହେତୁକ ଅବହେଳା ହେତୁ ଓଡ଼ିଆ ଭାଷାରେ ଆଇପିଏଲର ପ୍ରସାରଣ ସେତେଟା ଆଦୃତ ହୋଇ ନଥିଲା। ଏହି କାରଣ ପାଇଁ ୨୦୨୪ ଆଇପିଏଲରୁ ଓଡ଼ିଆ ଭାଷାକୁ ବାଦ ଦିଆଯାଇଥିବା କୁହାଯାଉଛି।
ତେବେ ଏଥର ଆଇପିଏଲରେ କୌଣସି ଓଡ଼ିଆ ଖେଳାଳୀ ବି ନାହାନ୍ତି । ଗତଥର୍ ଶୁଭ୍ରାଂଶୁ ସେନାପତିଙ୍କୁ ଦେଖିବାକୁ ମିଳିଥିଲା । ଶୁଭ୍ରାଂଶୁ ସେନାପତି ଏକ ଜବରଦସ୍ତ ରନ ଆଉଟରେ, ଓଡ଼ିଆ ଟୋକା କରିଦେଲା ଖେଳ କମେଣ୍ଟ୍ରୀ ଭାରି ଭାଇରାଲ ହୋଇଥିଲା ।












Click it and Unblock the Notifications