ପ୍ରଥମ ଖେଳାଳି ଭାବେ ଟି-୨୦ କ୍ରିକେଟରେ ଇତିହାସ ରଚିଲେ ବିରାଟ କୋହଲି, ଜାଣନ୍ତୁ କଣ ଏହି ରେକର୍ଡ ?
IPL 2023, Virat Kohli: ଆଇପିଏଲ 2023ରେ ବିରାଟ କୋହଲିଙ୍କ ବ୍ୟାଟରୁ ପଞ୍ଚମ ଅର୍ଦ୍ଧଶତକ ଆସିଛି । ଗତକାଲି (ବୁଧାବାର) କେକେଆର ବିପକ୍ଷ ମ୍ୟାଚରେ ସେ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ ।
କେକେଆର ଦ୍ବାରା ଧାର୍ଯ୍ୟ 201 ରନର ଲକ୍ଷ୍ୟକୁ ଗୋଡ଼ାଇବା ବେଳେ ବିରାଟ 6ଟି ଚୌକା ସହାୟତାରେ 37 ବଲରେ 54 ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । କିନ୍ତୁ ମ୍ୟାଚ ଜିତାଇବାକୁ ଏହି ଇନିଂସ ସକ୍ଷମ ହୋଇ ନଥିଲା। ବିରାଟଙ୍କ ବ୍ୟତୀତ ମହିପାଲ ଲୋମରୋର 18 ବଲରେ 34 ରନ କରିଥିଲେ। ତଥାପି ଆରସିବି 21 ରନରେ କୋଲକାତା ଠାରୁ ହାରି ଯାଇଥିଲା ।

ତେବେ ଏହି ଇନିଂସ ଯୋଗୁଁ 34 ବର୍ଷୀୟ ବିରାଟ ଟି-20 କ୍ରିକେଟରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ସେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଟି-20 କ୍ରିକେଟର କୌଣସି ଗ୍ରାଉଣ୍ଡରେ 3000 ରୁ ଅଧିକ ରନ୍ ସ୍କୋର କରିଛନ୍ତି । କିଙ୍ଗ କୋହଲି ବେଙ୍ଗାଲୁରୁର ଆଇକନିକ୍ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟି-20 କ୍ରିକେଟରେ 3000 ରନ୍ ପୂରଣ କରିଛନ୍ତି । ସେ ମୋଟ୍ 92ଟି ଇନିଂସରେ 3015 ରନ କରିଛନ୍ତି । ତେବେ ବିରାଟଙ୍କ ବ୍ୟତୀତ ବିଶ୍ୱର ଆଉ କୌଣସି ଖେଳାଳି ଏପରି ରେକର୍ଡ କରି ନାହାନ୍ତି ।
2008 ରେ ଆଇପିଏଲ୍ ଆରମ୍ଭରୁ ବିରାଟ ଆରସିବି ଦଳ ସହ ଜଡିତ ରହିଛନ୍ତି । ସେ ଆଇପିଏଲର ଗୋଟିଏ ସ୍ଥାନରେ 2500 ରନ୍ ସ୍କୋର କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ ଏବଂ ବର୍ତ୍ତମାନ ବୁଧବାର ମଧ୍ୟ ସେ ନିଜ କ୍ୟାରିୟରରେ ଆଉ ଏକ ବଡ଼ ମାଇଲଖୁଣ୍ଟ ହାସଲ କରିଛନ୍ତି । ସମାନ ଗ୍ରାଉଣ୍ଡରେ ସର୍ବାଧିକ ଟି-20 ରନ୍ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ବିରାଟଙ୍କ ପରେ ବାଂଲାଦେଶର ମୁସଫିକର ରହିମ ଓ ମହମୁଦୁଲ୍ଲା ରହିଛନ୍ତି । ରହିମ ମୀରପୁରର ଶେର-ଇ-ବାଙ୍ଗଲା ଷ୍ଟାଡିୟମରେ 221 ଇନିଂସ ଖେଳି 2998 ରନ ଓ ମହମୁଦୁଲ୍ଲା ସମାନ ଭେନ୍ୟୁରେ 130 ଇନିଂସ ଖେଳି 2813 ରନ କରିଛନ୍ତି । ସେହିପରି ତାଲିକାର 4ର୍ଥ ସ୍ଥାନରେ ଇଂଲଣ୍ଡର ଆଲେକ୍ସ ହେଲ୍ସ ରହିଛନ୍ତି । ସେ ନଟ୍ଟିଂହାମର ଟ୍ରେଣ୍ଟ ବ୍ରିଜ୍ରେ 90 ମ୍ୟାଚରୁ 2794 ରନ କରିଛନ୍ତି । ମୀରପୁରରେ 2706 ରନ ସହ ତାମିମ ଇକବାଲ ତାଲିକାର 5ମ ସ୍ଥାନରେ ରହିବାକୁ ସକ୍ଷମ ହୋଇଛନ୍ତି।
ତେବେ ବୁଧବାର ଆଇପିଏଲ 2023 ର ଆଠଟି ମ୍ୟାଚରେ ବିରାଟ ନିଜର ପଞ୍ଚମ ଅର୍ଦ୍ଧଶତକ ହାସଲ କରିଥିଲେ । ସେ 333 ରନ୍ ସହ ଚଳିତ ସିଜନରେ ସର୍ବାଧିକ ରନ୍ ସ୍କୋରର୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ବିରାଟଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ବାଙ୍ଗାଲୋରକୁ କୋଲକାତା ବିପକ୍ଷରେ 21 ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା ।












Click it and Unblock the Notifications