ଆଇପିଏଲ 2023: ପୁଣି ଚାଲିଲା କୋହଲି କ୍ୟାପ୍ଟେନ୍ସିର ଯାଦୁ, ରୋମାଞ୍ଚକ ମ୍ୟାଚରେ ଆରଆରକୁ ପରାସ୍ତ କଲା ଆରସିବି
IPL 2023, RCB vs RR Match Report: ଘରୋଇ ଗ୍ରାଉଣ୍ଡରେ ଆରସିବି ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଏକ ରୋମାଞ୍ଚକର ମ୍ୟାଚରେ ଆରସିବି ରାଜସ୍ଥାନ ରୟାଲ୍ସକୁ 7 ରନରେ ପରାସ୍ତ କରିଛି । କୋହଲିଙ୍କ ଅଧିନାୟକତ୍ୱରେ ଦଳ ଚଳିତ ସିଜନରେ କ୍ରମାଗତ ଦ୍ୱିତୀୟ ବିଜୟ ପଞ୍ଜିକରଣ କରିବାର ସୁଯୋଗ ପାଇଛି ।
ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଏକ ଖରାପ ଆରମ୍ଭ କରିଥିଲା । ଆରସିବି ଅଧିନାୟକ ବିରାଟ କୋହଲି ଗୋଲ୍ଡନ ଡକ୍ ହୋଇଥିଲେ । ଟ୍ରେଣ୍ଟ ବୋଲ୍ଟ ତାଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଲେ । ତେବେ ଗ୍ଲେନ ମ୍ୟାକ୍ସୱେଲ୍ ଏବଂ ଫାଫ ଡୁପ୍ଲେସିସଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଆରସିବି ୯ ୱିକେଟ୍ ହରାଇ 189 ରନ କରି ପାରିଥିଲା । ତେବେ ଜବାବରେ ରାଜସ୍ଥାନ ଦଳ ନିର୍ଦ୍ଧାରିକ 20 ଓଭରରେ 6 ୱିକେଟ୍ ହରାଇ ମାତ୍ର 182 ରନ୍ କରି ପାରିଥିଲା । ଫଳରେ ଆରସିବି ଏହି ମ୍ୟାଚକୁ 7 ରନରେ କବଜା କରିଛି ।

ତେବେ ଆରସିବିର ଖରାପ ଆରମ୍ଭ ସତ୍ୱେ ମଧ୍ୟ ଫାଫ୍ ଡୁ ପ୍ଲେସିସ୍ ଏବଂ ମ୍ୟାକ୍ସୱେଲ ବିସ୍ଫୋରଣ କରିଥିଲେ । ମିଳିତ ଭାବେ ସେମାନେ ତୃତୀୟ ୱିକେଟ୍ ପାଇଁ ଏକ ଶତକୀୟ ଭାଗିଦାରୀ କରିଥିଲେ । ଡୁ ପ୍ଲେସିସ୍ ଋତୁର ପଞ୍ଚମ ଅର୍ଦ୍ଧଶତକ ସ୍କୋର କରିଥିଲେ । ସେ 39 ବଲରେ 62 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ସେହିପରି ମ୍ୟାକ୍ସୱେଲ 44 ବଲରେ 77 ରନ ସ୍କୋର କରିଥିଲେ ।
ସେହିପରି ଦିନେଶ କାର୍ତ୍ତିକ 13 ବଲରେ 16 ରନ୍ ସଂଗ୍ରହ କରିଥିଲେ । ମାତ୍ର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଗୋଟିଏ ପରେ ଗୋଟିଏ ପାଭିଲିୟନ ଫେରିଥିଲେ । ଶେଷରେ ଆରସିବି 9 ୱିକେଟ ପାଇଁ 189 ସ୍କୋର କରିଥିଲା । ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଏବଂ ସନ୍ଦୀପ ଶର୍ମା ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି । ଏହା ପୂର୍ବରୁ ଟସ୍ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
ତେବେ ଟାର୍ଗେଟକୁ ଗୋଡ଼ାଇ ରାଜସ୍ଥାନ ରୟାଲ୍ସ ମଧ୍ୟ ଏକ ଖରାପ ଆରମ୍ଭ କରିଥିଲା । ପ୍ରଥମ ଓଭରର ତୃତୀୟ ବଲରେ ଜସ୍ ବଟଲର ସିରାଜଙ୍କ ଶିକାର ହୋଇଥିଲେ। ସେ ନିଜ ଖାତା ଖୋଲି ପାରି ନଥିଲେ । ଏଠୁ ୟଶ୍ୱସୀ ଜସୱାଲ ଏବଂ ଦେବଦତ୍ତ ପାଦିକଲ ଦାୟିତ୍ୱେ ଗ୍ରହଣ କରିଥିଲେ । ପାଦିକଲ 30 ଟି ବଲରୁ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ 52 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ ।
ଜସୱାଲ ମଧ୍ୟ ଭଲ ବ୍ୟାଟିଂ କରୁଥିଲେ। କ୍ରିଜରେ ରହିବା ପରେ ସେ ମନ୍ଥର ହୋଇ 37 ବଲରେ 47 ରନ୍ ସ୍କୋର କରିଥିଲେ । ତାଙ୍କ ପରେ ଅଧିନାୟକ ସଞ୍ଜୁ ସାମସନ୍ ମଧ୍ୟ 22 ରନ୍ ସ୍କୋର କରିବା ପରେ ଦଳର ଅବସ୍ଥା ବିଗିଡି ଯାଇଥିଲା । ଆରସିବି ରାଜସ୍ଥାନ ରୟାଲ୍ସକୁ ଚାପରେ ରଖିଥିଲା ।
ଶେଷରେ ଧ୍ରୁଭ ଜୁରେଲ 16 ଟି ବଲରୁ ଅପରାଜିତ 34 ରନ୍ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷ ଓଭରରେ ରାଜସ୍ଥାନ ରୟାଲ୍ସ 20 ରନ୍ ସ୍କୋର କରିପାରି ନଥିଲା ଏବଂ ଆରସିବି 7 ରନରେ ମ୍ୟାଚ୍ ଜିତିଥିଲା । ରୟାଲ୍ସ 6 ୱିକେଟ୍ ପାଇଁ 182 ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଆରସିବି ପାଇଁ ହର୍ଷଲ ପଟେଲ 3 ୱିକେଟ୍ ନେଇଥିଲେ ।












Click it and Unblock the Notifications