ଆଜି ଆଇପିଏଲ 2023ର ପ୍ରଥମ କ୍ୱାଲିଫାୟର: କାହାକୁ ମିଳିବ ଫାଇନାଲ ଟିକେଟ୍ ?
ଚେନ୍ନଇ: ସ୍ଥାନୀୟ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଆଇପିଏଲ 2023ର ପ୍ରଥମ କ୍ୱାଲିଫାୟରରେ ପରସ୍ପର ସହ ମୁକାବିଲା କରିବେ । ଏହି ନିର୍ଣ୍ଣାୟକ ମ୍ୟାଚ୍ର ବିଜୟୀ ଦଳ ସିଧାସଳଖ ଫାଇନାଲ ମ୍ୟାଚ୍ ଖେଳିବ।
ଦୁଇ ଦଳ ପଏଣ୍ଟ ତାଲିକାର ପ୍ରଥମ ଦୁଇଟି ସ୍ଥାନରେ ରହି ପ୍ଲେ-ଅଫ୍ରେ ପ୍ରବେଶ କରିଥିଲେ । ଗୁଜରାଟ ୧୪ଟି ମ୍ୟାଚ୍ ଖେଳି ୧୦ ବିଜୟ ଓ ୪ ପରାଜୟ ସହ ୨୦ ପଏଣ୍ଟ ପାଇ ଶୀର୍ଷରେ ରହିଥିଲା । ସେହିପରି ଚେନ୍ନାଇ ୧୪ ମ୍ୟାଚ୍ ଖେଳି ୮ ବିଜୟ, ୫ ପରାଜୟ ସହ ୧୭ ପଏଣ୍ଟ ପାଇ ଉନ୍ନତ ନେଟ୍ ରନ ରେଟରେ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଥିଲା । ତେବେ ଏହି ମ୍ୟାଚ୍ ନା କେବଳ ୨ ଟିମ୍ ମଧ୍ୟରେ ହେବ ବରଂ ଗୁରୁ ଓ ଶିଷ୍ୟ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ ।

ଆଇପିଏଲ ୨୦୨୩ର ଓପନିଂ ମ୍ୟାଚରେ ଗୁଜରାଟ ଟିମ୍, ଚେନ୍ନାଇକୁ ହରାଇଥିଲା । ଯାହାର ବଦଲା ନେବା ଲାଗି ଚେନ୍ନାଇ ପାଖରେ ଏହା ଏକ ଭଲ ସୁଯୋଗ ହେବ ବୋଲି କୁହାଯାଉଛି । ତେଣୁ କ୍ୱାଲିଫାୟର-୧ ମ୍ୟାଚରେ ଚେନ୍ନାଇ ଟିମ୍ ଯଥା ସମ୍ଭବ ଗୁଜରାଟକୁ ହରାଇବା ପାଇଁ ଚେଷ୍ଟା କରିବ ବୋଲି ଆଶା କରାଯାଉଛି ।
ପ୍ଲେ ଅଫ୍ରେ ଗୁଜରାଟର ଶତ ପ୍ରତିଶତ ବିଜୟ ରେକର୍ଡ ରହିଛି । ଗତ ୨୦୨୨ରେ ଗୁଜରାଟ ପଦାର୍ପଣ କରିଥିଲା । ଗତ ବର୍ଷ ପ୍ଲେ ଅଫ୍ରେ ୨ଟି ମ୍ୟାଚ୍ ଖେଳି ଗୁଜରାଟ ଦୁଇଟିରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରି ଶେଷରେ ଚାମ୍ପିଅନ ବିବେଚିତ ହୋଇଥିଲା। ଚେପକ୍ ଷ୍ଟାଡିୟମରେ ଗୁଜରାଟ କୌଣସି ମ୍ୟାଚ୍ ଖେଳି ନାହିଁ । କିନ୍ତୁ ଲିଗ ପର୍ଯ୍ୟାୟରେ ଉଭୟ ଦଳ ମଧ୍ୟରେ ୩ଥର ମୁକାବିଲା ହୋଇଛି । ଏ ସମସ୍ତ ମୁକାବିଲାରେ ଗୁଜରାଟ ପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇକୁ ପରାସ୍ତ କରିଛି। ଏଠାରେ ଦୁଇ ପୂର୍ବ ଚାମ୍ପିଅନ ଦଳ ପରସ୍ପରକୁ ପ୍ରଥମଥର ପାଇଁ ଭେଟିବେ ।












Click it and Unblock the Notifications