ଆଇପିଏଲ 2023: ଆଜି ପ୍ରଥମ ବିଜୟ ଲକ୍ଷ୍ୟରେ ଆରସିବିକୁ ଭେଟିବ କେକେଆର
IPL 2023, RCB vs KKR: ଆଜି ଆଇପିଏଲର ନବମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ଏହି ମ୍ୟାଚ୍ । ଘରୋଇ ସମର୍ଥକଙ୍କ ଗହଣରେ ପ୍ରଥମ ବିଜୟ ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ କେକେଆର ।
କେକେଆର୍ ମୋହାଲିରେ ଖେଳିଥିବା ପଞ୍ଜାବ କିଙ୍ଗ୍ସ ବିପକ୍ଷ ନିଜର ପ୍ରଥମ ମ୍ୟାଚରେ ଡକ୍ୱର୍ଥ ଲୁଇସ୍ ମେଥଡ୍ ଅନୁଯାୟୀ ୭ ରନରେ ପରାସ୍ତ ହୋଇଥିଲା । ତେଣୁ ଆଜି ହୋମ୍ ଗ୍ରାଉଣ୍ଡରୁ ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ କେକେଆର । ଅନ୍ୟ ପକ୍ଷରେ କେକେଆରକୁ ଘାରିଛି ଆହତ ଚିନ୍ତା ।

ବାଂଲାଦେଶର ଅଲରାଉଣ୍ଡର ସାକିବ ଅଲ୍ ହାସନ ନିଜ ଦେଶ ପାଇଁ ଖେଳିବାକୁ ପୂରା ଆଇପିଏଲରୁ ଓହରି ଯାଇଥିଲା ବେଳେ ପିଠି ଯନ୍ତ୍ରଣା ଯୋଗୁଁ ଏହାର ନିୟମିତ ଅଧିନାୟକ ଶ୍ରେୟସ ଆୟର ମଧ୍ୟ ପୂରା ପ୍ରତିଯୋଗିତାରୁ ଦୂରେଇ ଯାଇଛନ୍ତି । ଫଳରେ ନୀତୀଶ ରାଣାଙ୍କୁ ଦଳ ନେତୃତ୍ବ ଭାର ଦେଇଛି । ସେହିପରି ଲୋକି ଫର୍ଗୁସନ୍ ମଧ୍ୟ ଏପର୍ଯ୍ୟନ୍ତ ଫିଟ୍ ହୋଇନଥିବାବେଳେ ଲିଟନ୍ ଦାସ ମଧ୍ୟ ଦଳରେ ଯୋଗ ଦେଇ ନାହାନ୍ତି । ଯାହାକି କୋଲକାତାର ଚିନ୍ତାର ବିଷୟ ପାଲଟିଛି ।
ତେବେ ପଞ୍ଜାବ ବିପକ୍ଷରେ ଆନ୍ଦ୍ରେ ରସେଲ ଓ ଭେଙ୍କଟେଶ ଆୟର ଦ୍ରୁତ ଅର୍ଦ୍ଧଶତକୀୟ ଭାଗୀଦାରି ଗଢ଼ି ଦଳକୁ ବିଜୟ ଆଶା ଦେଇଥିଲେ। ଆଫ୍ଗାନ ୱିକେଟରକ୍ଷକ ବ୍ୟାଟର୍ ରହମନୁଲ୍ଲା ଗୁର୍ବାଜ ମଧ୍ୟ ଭଲ ଖେଳିଥିଲେ। ବ୍ୟାଟିଂରେ ଦଳ ଏମାନଙ୍କ ଉପରେ ନିର୍ଭର କରିବ। ବୋଲିଂରେ ଟିମ୍ ସାଉଦି ଓ ସୁନିଲ ନାରାୟଣ ଅଧିକ ରନ୍ ବ୍ୟୟ କରିଥିଲେ ।
ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କଥା ଯଦି କହିବା ତାହାଲେ ଆରସିବି ତା'ର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ପ୍ରଥମ ମ୍ୟାଚରେ ବିଜୟ ସହ ଆରସିବିର ମନବୋଳ ସୁଦୃଢ଼ ରହିଛି । ଏହି ମ୍ୟାଚରେ ସୁନ୍ଦର ବୋଲିଂ କରିଥିବା ୩ ଦ୍ରୁତ ବୋଲର ମହମ୍ମଦ ସିରାଜ, ହର୍ଷଲ ପଟେଲ ଓ ଆକାଶ ଦୀପ ଇଡେନ୍ ଗାର୍ଡେନ୍ସ ସହ ପୂରା ପରିଚିତ । ତେଣୁ ଏମାନଙ୍କୁ ଏଠାରେ ସେପରି ଅସୁବିଧା ହେବନି ।
ତେବେ ଆହତ କାରଣରୁ ମଧ୍ୟ ଆରସିବିର ଏକାଧିକ ଖେଳାଳି ଚୁଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି । ଇଂଲିସ୍ ପେସର୍ ରିସି ଟପଲେ ଆହତ ପାଇଁ ମ୍ୟାଚରୁ ବାଦ ପଡିଛନ୍ତି । ଗତ ମ୍ୟାଚ୍ରେ ଟପଲେଙ୍କ କାନ୍ଧରେ ଆଘାତ ଲାଗିଥିବାରୁ ସେ ଏହି ମ୍ୟାଚ୍ ଖେଳି ପାରିବେନି। ତାଙ୍କ ସ୍ଥାନରେ ଡେଭିଡ ୱିଲି ଖେଳିବାର ସମ୍ଭାବନା ରହିଛି।
- କୋଲ୍କାତା ନାଇଟ୍ ରାଇଡର୍ସ: ନୀତୀଶ ରାଣା (ଅଧିନାୟକ), ରହମନୁଲ୍ଲା ଗୁର୍ବାଜ, ଭେଙ୍କଟେଶ ଆୟର, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, ଶାର୍ଦୁଲ ଠାକୁର, ଲୋକି ଫର୍ଗୁସନ, ଉମେଶ ଯାଦବ, ଟିମ୍ ସାଉଦି, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତି, ଅନୁକୁଳ ରୟ, ରିଙ୍କୁ ସିଂହ, ଏନ୍ ଜଗଦୀସାନ, ବୈଭବ ଆରୋରା, ସୁୟାଶ ଶର୍ମା, ଡେଭିଡ ୱିଜ୍, କୁଲବନ୍ତ ଖେଜ୍ରୋଲିୟା, ଲିଟନ ଦାସ, ମନଦୀପ ସିଂହ।
- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ ଡୁ'ପ୍ଲେସିସ୍ (ଅଧିନାୟକ), ବିରାଟ କୋହଲି, ସୁୟାଶ ପ୍ରଭୂଦେଶାଇ, ଦୀନେଶ କାର୍ତ୍ତିକ, ଅନୁଜ ରାୱତ, ଫିନ ଆଲିନ, ଗ୍ଲେନ ମ୍ୟାକ୍ସୱେଲ, ୱାନିନ୍ଦୁ ହସରଙ୍ଗା, ଶାହବାଜ ଅହମଦ, ହର୍ଷଲ ପଟେଲ, ଡେଭିଡ ୱିଲି, କର୍ଣ୍ଣ ଶର୍ମା, ମହିପାଲ ଲୋମରୋର, ମହମ୍ମଦ ସିରାଜ, ଜୋସ ହାଜଲେଉଡ, ସିଦ୍ଧାର୍ଥ କୌଲ, ଅକାଶ ଦୀପ, ରିସି ଟପ୍ଲେ, ହିମାଂଶୁ ଶର୍ମା, ମିଚେଲ ବ୍ରେସୱେଲ।












Click it and Unblock the Notifications