ଆଇପିଏଲ 2023: ଆଜି ରୟାଲ୍ସ-କିଙ୍ଗ୍ସ ଫାଇଟ୍
ଗୌହାଟୀ: ଆଜି (ବୁଧବାର) ଆଇପିଏଲ 2023ର ଅଷ୍ଟମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା । ସ୍ଥାନୀୟ ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମରେ ଦୁଇ ଦଳ ସେମାନଙ୍କର ଦ୍ବିତୀୟ ମ୍ୟାଚ୍ ଖେଳିବେ ।
ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ତେଣୁ ବିଜୟ ଧାରାକୁ ଅବ୍ୟାହତ ରଖିବାକୁ ଉଭୟ ଦଳ ଚେଷ୍ଟା କରିବେ । ଗତଥରର ଉପବିଜେତା ରାଜସ୍ଥାନ ପ୍ରଥମ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୭୨ ରନରେ ପରାସ୍ତ କରିଥିଲା । ୟସଶ୍ୱୀ ଜୟସ୍ବାଲ, ଜେସ୍ ବଟଲର ଓ ଅଧିନାୟକ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ବଳରେ ଏହି ଦଳ ୨୦୩ ରନ୍ କରିଥିଲା । ଏହାପରେ ଭାରତୀୟ ସ୍ପିନର ୟୁଝବେନ୍ଦ୍ର ଚହଲ (୪/୧୭) ଓ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ (୨/୨୧)ଙ୍କ ଘାତକ ବୋଲିଂ ବଳରେ ହାଇଦ୍ରାବାଦକୁ ୧୩୧/୮ରେ ଅଟକାଇ ଦେଇଥିଲା ।

ସେହିପରି ପଞ୍ଜାବ କିଙ୍ଗ୍ସ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଡକ୍ୱର୍ଥ-ଲୁଇସରେ କୋଲକାତା ନାଇଟ୍ ରାଇଡର୍ସକୁ ୭ ରନରେ ପରାସ୍ତ କରିଥିଲା । ରୟାଲ୍ସ ବ୍ୟାଟରଙ୍କୁ ଅଟକାଇବା ପାଇଁ ପଞ୍ଜାବ କିଙ୍ଗ୍ସ ମଧ୍ୟ ପ୍ରସ୍ତୁତି ରହିଛି । ଅଭିଜ୍ଞ କାଗିସୋ ରାବାଡା ଦଳରେ ଯୋଗ ଦେଇ ସାରିଛନ୍ତି । ତାଙ୍କ ଉପସ୍ଥିତି ପଞ୍ଜାବ କିଙ୍ଗ୍ସର ବୋଲି ବିଭାଗ ସୁଦୃଢ ହେବ । ବିଶେଷ କରି ବଟଲର ଓ ରାବାଡାଙ୍କ ମଧ୍ୟରେ ଅସଲ ଲଢେଇ ଦେଖିବାକୁ ମିଳିବ ।
ଅନ୍ୟପଟେ ଶିଖର ଧାୱନ ଓ ଭାନୁକା ରାଜପକ୍ଷଙ୍କ ଉପରେ ପଞ୍ଜାବର ଶୀର୍ଷ କ୍ରମ ଏବଂ ବୋଲିଂ ବାହିନୀ ଦାୟିତ୍ବ ଯୁବ ବାମହାତୀ ଭାରତୀୟ ବୋଲର ଅର୍ଶଦୀପ ସିଂହଙ୍କ କାନ୍ଧରେ ରହିବ । କୋଲ୍କାତା ବିପକ୍ଷ ମ୍ୟାଚରେ ଖେଳି ପାରିନଥିବା ଇଂଲଣ୍ଡ ବିସ୍ଫୋରକ ବ୍ୟାଟର୍ ଲିଅମ ଲିଭିଂଷ୍ଟୋନ୍ ଏବଂ ଅଲରାଉଣ୍ଡର ତଥା ଆଇପିଏଲ୍ ଇତିହାସର ଦାମୀ ଖେଳାଳି ସାମ କରନ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିବେ ।
ସେପଟେ ରାଜସ୍ଥାନ ରୟାଲ୍ସର ଶୀର୍ଷକ୍ରମ ବ୍ୟାଟର୍ ପ୍ରଥମ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବ୍ୟାଟର୍ ସିମ୍ରନ ହେଟମେୟରଙ୍କ ବିସ୍ଫୋରକ ପାଳି ଯୋଗୁଁ ଦଳ ୨୦୦ ରନ୍ ପାରି କରିଥିଲା। ବୋଲିଂରେ ବିଶ୍ବର ଅଗ୍ରଣୀ ଦ୍ରୁତ ବୋଲର ବୋଲ୍ଟଙ୍କ ସହ ସ୍ପିନର ଚହଲ ଓ ରବିଚନ୍ଦ୍ରନ ଅଶ୍ବିନ ଦଳକୁ ଜିତାଇବା ପାଇଁ କିଛି ବି କରି ପାରିବେ ।
- ରାଜସ୍ଥାନ ରୟାଲ୍ସ ସମ୍ଭାବ୍ୟ ଏକାଦଶ: ଜଶସ୍ୱୀ ଜସୱାଲ୍, ଜସ୍ ବଟଲର, ସଞ୍ଜୁ ସାମସନ୍ (ଅଧିନାୟକ), ଦେବଦତ୍ତ ପଡିକଲ, ସିମରନ୍ ହେଟମାୟର, ରିୟାନ ପରାଗ, ଜେସନ ହୋଲ୍ଡର, ଆର୍ ଅଶ୍ୱିନୀ, ଟ୍ରେଣ୍ଟ ବୋଲ୍ଟ , ଜେଏମ୍ ଆସିଫ୍, ୟୁଜବେନ୍ଦ୍ର ଚହଲ ।
- ପଞ୍ଜାବ କିଙ୍ଗ୍ସ ସମ୍ଭାବ୍ୟ ଏକାଦଶ: ପ୍ରଭ ସିମ୍ରନ୍ ସିଂହ, ଶିଖର ଧୱନ (ଅଧିନାୟକ), ଭାନୁକା ରାଜପକ୍ସା, ଜିତେଶ ଶର୍ମା, ସିକନ୍ଦର ରାଜା, ସାମ୍ କୁମାନ୍, ଶାହାରୁଖ୍ ଖାନ୍, ହରପ୍ରୀତ୍ ବ୍ରାର, ରାହୁଲ୍ ଚହଲ, ଅର୍ଶଦୀପ ସିଂହ, କାଗିସୋ ରାବାଡ଼ା ।












Click it and Unblock the Notifications