ଆଇପିଏଲ 2023: ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ ରୋହିତ-କୋହଲି

IPL 2023, Match 5, MI vs RCB Preview: ଆଜି ସୁପର ସଣ୍ଡେରେ ଆଇପିଏଲରେ ଖେଳାଯିବ ଦୁଇଟି ମ୍ୟାଚ୍ । ଆଜି ପ୍ରଥମ ମ୍ୟାଚରେ ରାଜସ୍ଥାନକୁ ଭେଟୁଛି ସନରାଇଜର୍ସ ହାଇଦ୍ରାବାଦ । ସେହିପରି ଆଜିର ସନ୍ଧ୍ୟା ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ସହ ମୁହାଁମୁହିଁ ହେବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) । ଏହି ମ୍ୟାଚ ସନ୍ଧ୍ୟା ୭.୩୦ରେ ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ୩ ବର୍ଷ ପରେ ଘରୋଇ ଷ୍ଟାଡିୟମରେ ମ୍ୟାଚ ଖେଳା ଯାଉଥିବାରୁ ଆରସିବି ଦର୍ଶକଙ୍କ ଉତ୍ସାହ ବେଶ୍ ରହିଛି ।
ଆଇପିଏଲରେ ୨୦୨୦ ପରଠୁ ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ୫ଟି ମୁକାବିଲାରୁ ଆରସିବି ଲଗାତାର ତିନି ଥର ବିଜୟ ହାସଲ କରିଛି । ତେଣୁ ପ୍ରଥମ ଟ୍ରଫି ସନ୍ଧାନରେ ରହିଥିବା ଆରସିବି ଏଥର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଘରୋଇ ଦର୍ଶକଙ୍କ ଆଗରେ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚାହିଁବ । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଗତ ସଂସ୍କରଣରେ ସବୁଠୁ ତଳେ ରହିଥିଲା। ଆଇପିଏଲର ସବୁଠୁ ସଫଳ ଦଳ ମୁମ୍ବାଇ ଏଥର ତାହାର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପୂର୍ବ ଲଜ୍ଜାକୁ ଲିଭାଇବାକୁ ଚାହିଁବ ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳ
ତେବେ ଆରସିବି ପାଇଁ ମେରୁଦଣ୍ଡ ସାଜିଥିବା ଆହତ ରଜତ ପଟିଦାର ଓ ଜୋସ୍ ହାଜଲ୍ଉଡ୍ ଆଇପିଏଲରେ ପାଖାପାଖି ଅଧା ପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିବେ ନାହିଁ । ସେହିପରି ୱିଲ୍ ଜାକ୍ସ ସଂପୂର୍ଣ୍ଣ ପ୍ରତିଯୋଗିତାରେ ଖେଳି ପାରିବେନି। ସେହିପରି ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଉପଲବ୍ଧତାକୁ ନେଇ ସନ୍ଦେହ ଦେଖା ଦେଇଛି ।
ସେହିପରି ସ୍ପିନ୍ ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗା ନିଜ ଦେଶ ପାଇଁ ନ୍ୟୁଜିଲାଣ୍ଡରେ ମ୍ୟାଚ୍ ଖେଳୁ ଥିବାରୁ ପ୍ରଥମ କିଛି ମ୍ୟାଚରେ ଦଳ ସହ ଉପଲବ୍ଧ ହେବେନି । ଏଭଳି ସ୍ଥିତିରେ ମାଇକେଲ ବ୍ରାସ୍ୱେଲ୍ ଓ ମଧ୍ୟକ୍ରମରେ ଦିନେଶ କାର୍ତ୍ତିକ ବଡ୍ ସଟ୍ ଖେଳିବେ। ଅଧିନାୟକ ଡୁପ୍ଲେସିସ୍ ଓ ବିରାଟ କୋହଲି ଶୀର୍ଷ ବ୍ୟାଟିଂକୁ ସମ୍ଭାଳିବେ। ସେହିପରି ହର୍ଷଲ ପଟେଲ ଓ ମହମ୍ମଦ ସିରାଜ ଆଗଧାଡ଼ିର ବୋଲର ରହିବେ।
ମୁମ୍ବାଇ ଇଣ୍ଡିଆନ୍ସ ଦଳ
ଆଇପିଏଲର ସବୁଠୁ ସଫଳ ଦଳ ମୁମ୍ବାଇର ଅବସ୍ଥା ମଧ୍ଯ ସମାନ । ଜସପ୍ରୀତ ବୁମରା ଓ ରିଚାର୍ଡସନଙ୍କ ଅନୁପସ୍ଥିତିରେ ଜୋଫ୍ରା ଆର୍ଚର ଏହି ଶୂନ୍ୟସ୍ଥାନ ପୂରଣ କରିବେ ବୋଲି ଦଳ ଆଶା ବାନ୍ଧିଛି । ତାଙ୍କୁ ଜାସନ୍ ବେହରେନଡ୍ରଫ୍ ଓ ଆକାଶ ମାଧୱଲ ସହାୟତା ଦେବେ ।
ଅଧିନାୟକ ରୋହିତ ଶର୍ମା, ଈଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଦ୍ରୁତ ରନ୍ ବାହାର କରିବା ଦାୟିତ୍ବ ରହିବ । ସେହିପରି ଯୁବ ଖେଳାଳି ତିଳକ ବର୍ମା, ବ୍ରେଭିସ୍, ତ୍ରିଷ୍ଟାନ ଷ୍ଟବ୍ସ ଓ ଟିମ୍ ଡେଭିଡଙ୍କ ଉପରେ ଗୁରୁଦାୟିତ୍ବ ରହିବ। କାମରନ୍ ଗ୍ରୀନ୍ ଦଳରେ ଯୋଗଦେବା ପରଠୁ ପୀୟୂଷ ଚାୱଲାଙ୍କୁ ନେଇ ସ୍ପିନ୍ କ୍ରମ ଟିକେ ମଜବୁତ୍ ହୋଇଛି । ଗତବର୍ଷ ମାତ୍ର ୪ଟି ମ୍ୟାଚ୍ ଖେଳିଥିବା କୁମାର କାର୍ତ୍ତିକେୟ ମଧ୍ୟ ଅନ୍ୟତମ ସ୍ପିନର ଭାବେ ଦଳରେ ଅଛନ୍ତି।
- ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ: ଫାଫ୍ ଡୁପ୍ଲେସିସ୍, ବିରାଟ କୋହଲି, ମହମ୍ମଦ ସିରାଜ, ହର୍ଷଲ ପଟେଲ, ଦିନେଶ କାର୍ତ୍ତିକ, ଶାହବାଜ ଅହମଦ, ଅନୁଜ ରାୱତ, ଆକାଶଦୀପ, ମହିପାଲ୍ ଲୋମରର୍, ଫିନ୍ ଆଲେନ୍, ସୂୟାଶ ପ୍ରଭୂଦେଶାଇ, କରଣ ଶର୍ମା, ସିଦ୍ଧାର୍ଥ କାଉଲ, ଡେଭିଡ୍ ୱିଲି, ରିସ୍ ଟପ୍ଲେ, ହିମାଂଶୁ ଶର୍ମା, ମନୋଜ ଭାଣ୍ଡାଗେ, ରାଜନ କୁମାର, ଅବିନାଶ ସିଂହ, ସୋନୁ ଯାଦବ, ମାଇକେଲ ବ୍ରାସ୍ୱେଲ।
- ମୁମ୍ବାଇ ଇଣ୍ଡିଆନ୍ସ ଦଳ: ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଟିମ୍ ଡେଭିଡ୍, ଦେୱାଲ୍ଦ ବ୍ରେଭିସ୍, ତିଳକ ବର୍ମା, ଈଶାନ କିଶନ, ତ୍ରିଷ୍ଟାନ ଷ୍ଟବ୍ସ, ବିଷ୍ଣୁ ବିନୋଦ, କାମେରୁନ୍ ଗ୍ରିନ୍, ଅର୍ଜୁନ ତେନ୍ଦୁଲକର, ରମଣଦୀପ ସିଂହ, ସାମ୍ସ ମୁଲାନି, ନେହାଲ ୱାଧେରା, ହ୍ରିତିକ ସୋକିନ୍, ଅର୍ଶଦ ଖାନ୍, ଡୁଆନ୍ ଜାନସେନ୍, ପୀୟୂଷ ଚାୱଲା, କୁମାର କାର୍ତ୍ତିକେୟ, ରାଘବ ଗୋୟଲ, ଜୋଫ୍ରା ଆର୍ଚର, ଜାସନ୍ ବେହରେନଡ୍ରୋଫ୍, ଆକାଶ ମାଧୱଲ।












Click it and Unblock the Notifications