ଆଇପିଏଲ 2023: ଆଜି ଫ୍ରାଇଡେ ଫାଇଟରେ ଚେନ୍ନାଇ ବନାମ ହାଇଦ୍ରାବାଦ ମୁକାବିଲା
ଚେନ୍ନାଇ: ଆଜି (ଶୁକ୍ରବାର) ଚଳିତ ଆଇପିଏଲ 2023ର 29ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ ଚିପକ ଷ୍ଟାଡିୟମରେ ଖେଳାଯିବ । ଚଳିତ ସିଜନରେ ସୁପର କିଙ୍ଗ୍ସ ଘରୋଇ ଗ୍ରାଉଣ୍ଡରେ ତାର ତୃତୀୟ ମ୍ୟାଚ ଖେଳିବ ।
ଏହି ମ୍ୟାଚରେ ଆହତରୁ ମୁକୁଳି ଥିବା ସିଏସକେର ବିଦେଶୀ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ଫେରିବାର ସମ୍ଭାବନା ରହିଛି । ଆହତ ଯୋଗୁଁ ଷ୍ଟୋକ୍ସ ୩ଟି ମ୍ୟାଚ୍ ଖେଳିପାରି ନାହାନ୍ତି । ହେଲେ ବୁଧବାର ସେ ଅଭ୍ୟାସକୁ ଫେରିଛନ୍ତି । ତେଣୁ ଆଜି ତାଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରାଯିବାର ସମ୍ଭାବନା ରହିଛି । ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ରବିନ୍ଦ୍ର ଜାଡେଜ, ମୋଇନ ଅଲି ଓ ମହୀଶ ତୀକ୍ଷଣା ସ୍ପିନ ବିଭାଗ ସମ୍ଭାଳୁଛନ୍ତି ।

ସେପଟେ ପୂର୍ବ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାଜିତ ହେବା ପରେ ସନରାଇଜର୍ସ ମଧ୍ୟ ବିଜୟଧାରାକୁ ଫେରିବା ପାଇଁ ତତ୍ପର । ମାତ୍ର ଏହା ପୂର୍ବରୁ ଅନେକ ତ୍ରୁଟି ସୁଧାରିବାକୁ ପଡ଼ିବ । ଚିପକ ଷ୍ଟାଡିୟମ୍ ପିଚ୍ ସ୍ପିନରଙ୍କୁ ସହାୟତା କରିବ । ସନରାଇଜର୍ସ ଦଳରେ ୱାସିଂଟନ ସୁନ୍ଦର ଓ ମୟଙ୍କ ମାର୍କଣ୍ଡେ ରହିଛନ୍ତି । ଅଭିଷେକ ଶର୍ମା, ଅବଦୁଲ ସମଦ ଓ ଅଧିନାୟକ ଆଡେନ ମାରକ୍ରମ ସ୍ପିନ ବୋଲିଂ କରିବାର କ୍ଷମତା ରଖିଛନ୍ତି ।
ଅନ୍ୟପଟେ ଦୁଇ ଓପନର୍ ଡେଭନ କନୱେ ଓ ଋତୁରାଜ ଗାଇକ୍ୱାଡ ଭଲ ଆରମ୍ଭ କରୁଥିଲା ବେଳେ ଶିବମ ଦୁବେଙ୍କ ବଡ଼ ସଟ୍ ଯୋଗୁଁ ସିଏସକେ ଅଧିକ ରନ୍ କରିପାରୁଛି । ସେହିପରି ଅଜିଙ୍କ୍ୟ ରାହାଣେ ମଧ୍ୟ ଉପଯୋଗୀ ପାଳି ଖେଳୁଛନ୍ତି । ଚେନ୍ନାଇ ବ୍ୟାଟିଂ ୟୁନିଟ୍ ରନ୍ କରୁଥିଲା ବେଳେ ବୋଲର ଓ ଫିଲ୍ଡରଙ୍କ ଆଖିଦୃଶିଆ ପ୍ରଦର୍ଶନ ରହୁନଥିବାରୁ ଦଳ ପାଇଁ ଚିନ୍ତା ବଢ଼ାଇଛି ।
ଅନ୍ୟପକ୍ଷରେ ହାଇଦ୍ରାବାଦ ତା'ର ବ୍ୟାଟିଂ ୟୁନିଟ୍ କମାଲ କରିବା ନେଇ ଆଶା ରଖିଛି । ଏହି ଭାର ଅଧିନାୟକ ଆଡେନ୍ ମାର୍କ୍ରମଙ୍କ କାନ୍ଧରେ ରହିବ । ଅନ୍ୟ ବ୍ୟାଟର୍ ଯଦି ଚେପକରେ ଭଲ ବ୍ୟାଟିଂ କରନ୍ତି ସିଏସ୍କେ ଉପରେ ଏହା ଭାରି ପଡ଼ିବ ।












Click it and Unblock the Notifications