ଆଇପିଏଲ 2023: ଆଜି କିଙ୍ଗ୍ସ-ଟାଇଟନ୍ସ ମୁହାଁମୁହିଁ
IPL 2023, PBKS vs GT: ଆଇପିଏଲର ୧୮ତମ ମୁକାବିଲାରେ ମୁହାଁମୁହିଁ ହେବେ ଘରୋଇ ପଞ୍ଜାବ କିଙ୍ଗ୍ସ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ । ଉଭୟ ଦଳ ବିଜୟ ଧାରାକୁ ଫେରିବା ପାଇଁ ଜୋରଦାର କସରତ କରିବେ । ଘରୋଇ ଗ୍ରାଉଣ୍ଡରେ ଖେଳିବାକୁ ଯାଉଥିବା ପଞ୍ଜାବ କିଙ୍ଗ୍ସର ପଲା ଭାରି ରହିବ ।
ଉଭୟ ଦଳ ଏପର୍ଯ୍ୟନ୍ତ ୩ ଲେଖାଏଁ ମ୍ୟାଚ୍ ଖେଳି ସାରିଥିଲା ବେଳେ ସମାନ ଦୁଇଟି ଲେଖାଏଁ ବିଜୟ ଏବଂ ଗୋଟିଏ ଲେଖାଏଁ ପରାଜୟ ବରଣ କରିଛନ୍ତି । ଉଭୟ ଦଳ ସମାନ ୪ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଉନ୍ନତ ନେଟ୍ ରନ୍ ରେଟ୍ ଭିତ୍ତିରେ ଗୁଜରାଟ ଚତୁର୍ଥ ଏବଂ ପଞ୍ଜାବ ଷଷ୍ଠ ସ୍ଥାନରେ ରହିଛି ।

ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ଗୁଜରାଟ ଅଭିଯାନ ଆରମ୍ଭ କରିଥିଲା ବେଳେ ପରବର୍ତୀ ମ୍ୟାଚରେ ଦିଲ୍ଲୀକୁ ପରାସ୍ତ କରିଥିଲା । ହେଲେ ତୃତୀୟ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ନିକଟରୁ ହାରି ଯାଇଥିଲା । ଅନ୍ୟପକ୍ଷରେ ପ୍ରଥମ ଦୁଇ ମ୍ୟାଚରେ ଯଥାକ୍ରମେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିବା ପଞ୍ଜାବ ତୃତୀୟ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାସ୍ତ ହୋଇଥିଲା । ଫଳରେ ଗୁରୁବାର ଉଭୟ ଦଳ ବିଜୟ ଧାରାକୁ ଫେରିବା ପାଇଁ ପ୍ରୟାସ କରିବେ। ଗତବର୍ଷ ଏପ୍ରିଲ୍ ୮ ତାରିଖ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ରାହୁଲ ତେୱାତିଆ ଶେଷ ୨ଟି ବଲରେ ୨ଟି ଛକା ମାରି ଟାଇଟନ୍ସକୁ ବିଜୟୀ କରାଇଥିଲେ ।
ପଞ୍ଜାବର ଷ୍ଟାର୍ ବ୍ୟାଟର ଲାଏମ୍ ଲିଭିଙ୍ଗଷ୍ଟୋନଙ୍କ ଉପସ୍ଥିତି ବ୍ୟାଟିଂ ବିଭାଗକୁ ଦୃଢ଼ କରିଛି । ଆହତ ସମସ୍ୟା ପାଇଁ ପୂର୍ବ ମ୍ୟାଚ୍ ଖେଳିନଥିବା ଭାନୁକା ରାଜାପାକ୍ସା ଫିଟ୍ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ପେସ୍ ବୋଲର କାଗିସୋ ରାବାଡ଼ା ଏପର୍ଯ୍ୟନ୍ତ ସୁଯୋଗ ପାଇନାହାନ୍ତି । ଗୁରୁବାର ନାଥାନ ଏଲିସଙ୍କ ସ୍ଥାନରେ ଦଳ ରାବାଡ଼ାଙ୍କୁ ଏକାଦଶରେ ସାମିଲ୍ କରିପାରେ ।
ବିଶେଷକରି ଗୁଜରାଟ ହାରିଯାଇଥିବା ତୃତୀୟ ମ୍ୟାଚ୍ରେ ହାର୍ଦିକ୍ ପାଣ୍ଡ୍ୟା ଖେଳିନଥିଲେ। ଅସୁସ୍ଥତା ଯୋଗୁଁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। କିନ୍ତୁ ପଞ୍ଜାବ ବିପକ୍ଷ ଗୁରୁବାର ମ୍ୟାଚ୍କୁ ସେ ଫେରିବେ ବୋଲି ସଂକେତ ଦେଇଛନ୍ତି । ଦଳ ପ୍ରଥମେ ବ୍ୟାଟିଂ କଲେ ଚୂଡାନ୍ତ ଏକାଦଶରେ ଅଭିନବ ମନୋହରଙ୍କ ବଦଳରେ ପାଣ୍ଡ୍ୟା ଖେଳିବେ।
ସମ୍ଭାବ୍ୟ ଗୁଜରାଟ ଟାଇଟନ୍ସ: ରିଦ୍ଧିମାନ ଶାହା (ୱିକେଟ୍ରକ୍ଷକ), ଶୁବମନ ଗିଲ୍, ସାଇ ସୁଦର୍ଶନ, ହାର୍ଦିକ୍ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ୍ ମିଲର, ରାହୁଲ ତିୱାତିଆ, ରସିଦ୍ ଖାନ୍, ଅଲ୍ଜେରି ଯୋଶେଫ, ମହମ୍ମଦ ସାମି, ଆର୍ ସାଇ କିଶୋର, ଜୋସ୍ ଲିଟଲ୍।
ସମ୍ଭାବ୍ୟ ପଞ୍ଜାବ କିଙ୍ଗ୍ସ: ପ୍ରଭ୍ସିମ୍ରନ ସିଂହ, ଶିଖର ଧ୍ବାୱନ (ଅଧିନାୟକ), ଜିତେଶ ଶର୍ମା (ୱିକେଟ୍ରକ୍ଷକ), ଭାନୁକା ରାଜପକ୍ଷ, ଲିଆମ ଲିଭିଙ୍ଗଷ୍ଟୋନ, ସାମ୍ କରନ, ଏମ୍ ଶାହରୁଖ ଖାନ୍, ହର୍ପ୍ରୀତ୍ ବ୍ରାର, ନାଥନ ଏଲିସ/କାଗିସୋ ରବାଦା, ରାହୁଲ ଚହର, ଅର୍ଶଦୀପ ସିଂହ, ରିଷି ଧାୱନ।












Click it and Unblock the Notifications