ଆଇପିଏଲ କ୍ୱାଲିଫାୟର 2: ଲଗାତର ଦ୍ବିତୀୟଥର ପାଇଁ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ୍, ପରାଜୟ ସହ ମୁମ୍ବାଇ ବିଦା
IPL 2023, GT vs MI Qualifier 2: ଲଗାତର ଭାବେ ଦ୍ବିତୀୟ ଥର ପାଇଁ ଆଇପିଏଲ 2023 ଫାଇନାଲରେ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିୟନ୍ ଗୁଜୁରାଟ ଟାଇଟାନ୍ସ । ଆଜି ଫାଇନାଲ ଟିକେଟ ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲ କ୍ୱାଲିଫାୟର 2ରେ ଗୁଜୁରାଟ 5ଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ 62 ରନରେ ପରାସ୍ତ କରିଛି ।
ତେବେ ମ୍ୟାଚ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଗୁଜୁରାଟ୍ ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ୍ ହରାଇ 233 ରନର ବିଶାଳ ସ୍କୋର ଠିଆ କରିଥିଲା । ମୁମ୍ବାଇ ଆଗରେ ଥିବା 234 ରନର ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର 171 ରନ କରି ପାରିଥିଲା ଦଳ । ଫଳରେ 62 ରନରେ ମ୍ୟାଚ ଜିତି ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଗୁଜୁରାଟ୍ ।

ତେବେ ଆଜିର ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବର୍ଷା ହୋଇଥିଲା । ଯାହା ଫଳରେ ସନ୍ଧ୍ୟା 7ଟା ବଦଳରେ 7.45ରେ ମ୍ୟାଚ ପାଇଁ ଟସ୍ ପଡିଥିଲା । ଟସ୍ ଜିତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଭୁଲ ବୋଲି ପ୍ରମାଣିତ ହୋଇଥିଲା ।
କାରଣ ଗୁଗୁରାଟର ଯୁବ ଓପନର ଶୁଭମନ ଗିଲ୍ ଲଗାତାର ଭାବେ ତୃତୀୟ ମ୍ୟାଚରେ ଶତକ ହାସଲ କରିଥିଲେ । ମୁମ୍ବାଇ ବୋଲରମାନଙ୍କୁ ଖୁବ ମାଡ଼ ଦେଇଥିଲେ ଗିଲ୍ । ଗିଲ 60 ବଲରେ ବିସ୍ଫୋରକ 129 ରନର ଶତକୀୟ ପାଳି ଖେଳିଥିଲେ । ଗିଲଙ୍କ ବ୍ୟତୀତ ସାଇ ସୁଦର୍ଶନ 43 ରନ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା 28 ରନ ପାଳି ଖେଳିଛନ୍ତି ।
ପରେ 234ରନର ଟାର୍ଗେଟକୁ ପିଛା କରି ଭଲ ଆରମ୍ଭ କରିପାରି ନଥିଲା ମୁମ୍ବାଇ । ୱିକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଷାନ ଆହତ ହୋଇଥିଲେ । ତାଙ୍କ ସ୍ଥାନରେ ରୋହିତଙ୍କ ସହ ଓପନ କରିବାକୁ ଆସିଥିଲେ ନେହାଲ ୱାଧେରା । ତେବେ ଉଭୟେ ଦଳକୁ ଭଲ ଆରମ୍ଭ ଦେଇପାରି ନଥିଲେ । ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ଓ ତିଲକ ବର୍ମା ଦଳ ପାଳିକୁ ସମ୍ଭାଳିଥିଲେ । ମାତ୍ର ଦୁହେଁ ଆଉଟ୍ ହେବା ପରେ ଦଳର ବ୍ୟାଟିଂ ଅର୍ଡର ଭୂଷୁଡ଼ି ଯାଇଥିଲା । ସୂର୍ଯ୍ୟ 38 ବଲରୁ ବିସ୍ଫୋରକ 61 ରନ ସ୍କୋର କରିଥିବା ବେଳେ ତିଲକ ବର୍ମା 14 ବଲର ଦୃତ 43 ରନ ସଂଗ୍ରହ କରିଥିଲେ । ଅନ୍ୟପଟେ 3କ୍ରମରେ ବ୍ୟାଟିଂ ଆସିଥିବା କ୍ୟାମରନ ଗ୍ରୀନ ମଝିରେ ଆହତ ହୋଇ ପାଭିଲିୟନ ଫେରିଥିଲେ । ମାତ୍ର ପୁଣି ଥରେ ସେ ପଡିଆକୁ ଆସି ବ୍ୟାଟିଂ କରିଥିଲେ । 20 ବଲରୁ 30 ରନର ପାଳି ଖେଳିଥିଲେ ଗ୍ରୀନ୍ । ମାତ୍ର କୌଣସି ବ୍ୟାଟ୍ସମ୍ୟାନଙ୍କ ପାଳି ମୁମ୍ବାଇକୁ ବିଜୟ ଦେଇପାରି ନଥିଲା ।












Click it and Unblock the Notifications