ଆଜି ଆଇପିଏଲ ଫାଇନାଲ, ଗୁରୁ-ଶିକ୍ଷ୍ୟ ଲଢେଇ: କିଏ ମାରିବ ବାଜି ?
IPL 2023 Final, GT vs CSK: ଆଜି ଚଳିତ ଆଇପିଏଲ 2023 ଅନ୍ତିମ ମ୍ୟାଚ୍ ଅର୍ଥାତ୍ ଆଇପିଏଲ ଫାଇନାଲ ମ୍ୟାଚ । ଦୁଇ ଫାଇନାଲିଷ୍ଟ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆଜି ଲଢେଇ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ଗ୍ରାଣ୍ଡ ଫାଇନାଲ୍ ।
ରବିବାର ସନ୍ଧ୍ୟାରେ ଖେଳାଯିବାକୁ ଥିବା ବିଶ୍ୱର ସବୁଠାରୁ ଏହି ଧନୀ ତଥା ଶ୍ରେଷ୍ଠ ଟି-୨୦ ଲିଗ୍ ଫାଇନାଲ ମୁକାବିଲା ଉପରେ ସାରା ବିଶ୍ୱର ନଜର ରହିଛି । ଗୁଜରାଟ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ରହିଥିବା ବେଳେ ଚେନ୍ନାଇ ମହେନ୍ଦ୍ର ସିଂ ଧୋନିଙ୍କୁ ସମ୍ଭାବ୍ୟ ଅନ୍ତିମ ଆଇପିଏଲ ଟ୍ରଫି ଉପହାର ସ୍ୱରୂପ ପ୍ରଦାନ କରିବା ଲକ୍ଷ୍ୟରେ ରହିଛି ।

ତେବେ ଆଇପିଏଲର ୧୬ତମ ସଂସ୍କରଣ ଯେଉଁଠୁ ଆରମ୍ଭ ହୋଇଥିଲା । ଆଜି ଠିକ୍ ସେହି ସ୍ଥାନରେ ପହଞ୍ଚିଛି । ଅହମ୍ମଦାବାଦରେ ଟାଇଟନ୍ସ ଓ ସୁପର କିଙ୍ଗ୍ସ ମଧ୍ୟରେ ଉଦ୍ଘାଟନୀ ମୁକାବିଲାରୁ ଆଇପିଏଲ୍ ଆରମ୍ଭ ହୋଇଥିଲା । ୭୩ଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ପରେ ପୁନର୍ବାର ଉଭୟ ଦଳ ସେହି ଷ୍ଟାଡିୟମ୍ରେ ଫାଇନାଲ ମୁକାବିଲା ଖେଳିବେ । ଚଳିତ ସିଜନରେ ଉଭୟ ଦଳ ତୃତୀୟ ଥର ପାଇଁ ପରସ୍ପରକୁ ଭେଟିବେ । ପ୍ରଥମ ମ୍ୟାଚ୍ରେ ଟାଇଟନ୍ସ ଆଧିପତ୍ୟ ଜାହିର କରି ବିଜୟୀ ହୋଇଥିଲା । ଏହାପରେ ଉଭୟ ଦଳ ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନରେ ରହି ଲିଗ୍ ପର୍ଯ୍ୟାୟ ଶେଷ କରିଥିଲେ ।
ପ୍ରଥମ କ୍ୱାଲିଫାୟରରେ ଦୁଇ ଦଳ ଭେଟିଥିଲେ ଓ ଏଥିରେ ଚେନ୍ନାଇ ୧୫ ରନରେ ଗୁଜରାଟକୁ ପରାସ୍ତ କରି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା। ଏହାପରେ ଗୁଜରାଟ ଏଲିମିନେଟର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଦ୍ୱିତୀୟ କ୍ୱାଲିଫାୟରରେ ୬୨ ରନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ୪ଥର ଚାମ୍ପିଅନ ହୋଇଥିବା ବେଳେ ଗୁଜରାଟ ଗତ ସଂସ୍କରଣରେ ପଦାର୍ପଣ କରି ଟାଇଟଲ ହାସଲ କରିଥିଲା । ତେଣୁ ଚେନ୍ନାଇର ଆଇପିଏଲ୍ ଇତିହାସ ପୁରୁଣା ହୋଇଥିବା ବେଳେ ଗୁଜରାଟ ନୂଆ ଇତିହାସ ସୃଷ୍ଟି ଲକ୍ଷ୍ୟରେ ରହିଛି । ଚେନ୍ନାଇ ପଞ୍ଚମଥର ପାଇଁ ଓ ଗୁଜରାଟ କ୍ରମାଗତ ଦ୍ୱିତୀୟ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି ।
ଅହମ୍ମଦାବାଦରେ ଉଭୟ ଦଳ ଇତି ମଧ୍ୟରେ ୩ଥର ମୁହାଁମୁହିଁ ହୋଇଛନ୍ତି । ଟାଇଟନ୍ସ ସମସ୍ତ ମ୍ୟାଚ୍ ଜିତିଛି । ସେହିପରି ଟାଇଟନ୍ସ ମୋଟ୍ ୯ଟି ମ୍ୟାଚ ଖେଳି ୬ଟିରେ ବିଜୟ ହାସଲ କରିଛି । ଅନ୍ୟପଟେ ମହୀ-ଆଣ୍ଡ-କୋ ଟାଇଟନ୍ସକୁ ହରାଇବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଜବରଦସ୍ତ ଫର୍ମରେ ଥିବା ଶୁବମନ ଗିଲଙ୍କୁ ଅଟକାଇବାକୁ ପ୍ରୟାସ କରିବ ସିଏସକେ । ଚଳିତ ସିଜନରେ ଗିଲ୍ ୩ଟି ଶତକ ମାରି ବିରୋଧୀ ବୋଲରଙ୍କୁ ଧୂଳି ଚଟାଇ ଦେଇଛନ୍ତି । ୧୬ଟି ମ୍ୟାଚରୁ ୮୫୧ ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ ହୋଲ୍ଡର ହୋଇଛନ୍ତି ।
ସେହିପରି ଚେନ୍ନାଇ ପାଇଁ ବ୍ୟାଟିଂରେ ଓପର ଋତୁରାଜ ଗାଏକ୍ୱାଡ, ଡେଭନ କନୱେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବେ। ବୋଲିଂରେ ଯୁବ ଦ୍ରୁତ ବୋଲର ମଥିସା ପତିରାଣା ଓ ସ୍ପିନର ରବୀନ୍ଦ୍ର ଜାଡେଜା ଚେନ୍ନାଇ ପାଇଁ ଚାମ୍ପିଅନ ହେବାର ସୁଯୋଗ ସୃଷ୍ଟି କରିବେ । ଉଭୟ ଦଳରେ ଏକାଧିକ ମ୍ୟାଚ୍ ବିଜେତା ରହିଛନ୍ତି । ତେଣୁ ଯେକୌଣସି ଖେଳାଳି ଦମ୍ଦାର ପ୍ରଦର୍ଶନ କରି ଦଳ ପାଇଁ ସୁଯୋଗ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଧୋନି ପୁଣିଥରେ ଫିନିସର ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି ।












Click it and Unblock the Notifications