ଆଇପିଏଲ ଫାଇନାଲ: କଣ କହୁଛି ଅହମଦାବାଦ ପିଚ୍ ? ଟସ୍ ଜିତିଲେ କଣ କରିବା ଉଚିତ୍ ?
IPL 2023 Final, GT vs CSK, Pitch Report: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଦୁଇ ଫାଇନାଲିଷ୍ଟ୍ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ମଧ୍ୟରେ ଖେଳାଯିବ ଏହି ଗ୍ରାଣ୍ଡ ଫାଇନାଲ ମ୍ୟାଚ୍ । ଏହି ମ୍ୟାଚ୍ ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା ରହିଛି ।
ନରେନ୍ଦ୍ର ମୋଦି ଷ୍ଟାଡିୟମର ପିଚ ବ୍ୟାଟ୍ସମ୍ୟାନଙ୍କ ପାଇଁ ସ୍ବର୍ଗ । ଏହି ଫ୍ଲାଟ ପିଚରେ ବ୍ୟାଟିଂ କରିବା ସହଜ ହୋଇଥାଏ । ବ୍ୟାଟ୍ସମ୍ୟାନ ଏଠାରେ ବହୁତ ରନ ସ୍କୋର କରନ୍ତି । ଶେଷ ମ୍ୟାଚରେ ଶୁଭମାନ ଗିଲ ମଧ୍ୟ ଏହା ପ୍ରମାଣ କରିଛନ୍ତି । ପିଚରେ ୟୁନିଫର୍ମ ବାଉନ୍ସ ଅଛି । ଏହାର ଆଉଟଫିଲ୍ଡ ମଧ୍ୟ ବହୁତ ଦ୍ରୁତ ଅଟେ ।

ତେଣୁ ମ୍ୟାଚରେ ଟସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଟସ ଜିତିଥିବା ଦଳ ଏଠାରେ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରି ଏକ ବଡ ସ୍କୋର କରିବାର ଲକ୍ଷ୍ୟ ରଖିବେ । ୨୦୨୩ରେ ଏଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳର ହାରାହାରି ସ୍କୋର ୧୮୭ ରହିଛି ।
ସିଏସକେ ଏବଂ ଜିଟି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏପର୍ଯ୍ୟନ୍ତ କେବଳ ଥରେ ପରସ୍ପରକୁ ଭେଟିଛନ୍ତି । ଯେଉଁଥିରେ ଜିଟି ବିଜୟୀ ହୋଇଛି। ରବିବାର ଏଠାରେ ଆଇପିଏଲ ୨୦୨୩ ଗ୍ରାଣ୍ଡ ଫାଇନାଲରେ ଏହି ଦୁଇ ଦଳ ମଧ୍ୟରେ ଆଉ ଏକ ରୋମାଞ୍ଚକର ମୁକାବିଲା ଆଶା କରାଯାଉଛି ।
ଚଳିତ ସିଜନରେ ଉଭୟ ଦଳ ତୃତୀୟ ଥର ପାଇଁ ପରସ୍ପରକୁ ଭେଟିବେ । ପ୍ରଥମ ମ୍ୟାଚ୍ରେ ଟାଇଟନ୍ସ ଆଧିପତ୍ୟ ଜାହିର କରି ବିଜୟୀ ହୋଇଥିଲା । ଏହାପରେ ଉଭୟ ଦଳ ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନରେ ରହି ଲିଗ୍ ପର୍ଯ୍ୟାୟ ଶେଷ କରିଥିଲେ । ପ୍ରଥମ କ୍ୱାଲିଫାୟରରେ ଦୁଇ ଦଳ ଭେଟିଥିଲେ ଓ ଏଥିରେ ଚେନ୍ନାଇ ୧୫ ରନରେ ଗୁଜରାଟକୁ ପରାସ୍ତ କରି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା। ଏହାପରେ ଗୁଜରାଟ ଏଲିମିନେଟର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଦ୍ୱିତୀୟ କ୍ୱାଲିଫାୟରରେ ୬୨ ରନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ।












Click it and Unblock the Notifications