ଆଇପିଏଲ 2023: ଗୁରୁବାର ବି ଡବଲ ହଡେର, ଅପରାହ୍ନରେ ଆରସିବିକୁ ଭେଟିବ ପଞ୍ଜାବ, ମୁହାଁମୁହିଁ ହେବେ ଦିଲ୍ଲୀ-କେକେଆ
IPL 2023, Double Header: ଆଜି ଗୁରୁବାର ଦିନ ଦୁଇଟି ମ୍ୟାଚ୍ ଖେଳାଯିବ । ପଞ୍ଜାବ କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯିବାକୁ ଥିବା ବେଳେ ୨ୟ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ହେବେ ମୁହାମୁହିଁ ।
ଆଇପିଏଲର ୨୭ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ତା' ଘରୋଇ ଷ୍ଟାଡିୟମ ମୋହାଲିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)କୁ ଭେଟିବ। ଏହି ମ୍ୟାଚ୍ ପୂର୍ବରୁ ଘରୋଇ ଦଳ ପାଇଁ ବଡ଼ ଚିନ୍ତା ହେଉଛି ଏହାର ଅଧିନାୟକ ଶିଖର ଧାୱନଙ୍କ ଆହତ ସମସ୍ୟା। ଫର୍ମରେ ଥିବା ୩୭ ବର୍ଷୀୟ ଧାୱନ କାନ୍ଧ ଆଘାତ ସମସ୍ୟା ଯୋଗୁଁ ଗତ ୧୫ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍ ଖେଳିପାରି ନଥିଲେ। ତେବେ ସାମ୍ କରନଙ୍କ ନେତୃତ୍ବରେ ଦଳ ଏହି ମ୍ୟାଚକୁ ୨ ୱିକେଟରେ ଜିତି ନେଇଥିଲା ।

ଅନ୍ୟପକ୍ଷରେ ଆର୍ସିବି ଅଧିନାୟକ ଫାଫ ଡୁ'ପ୍ଲେସିସ ଓ ବିରାଟ କୋହଲି ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଓପନିଂ ଯୋଡ଼ି ଭାବେ ଗଣା ଯାଉଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ କୋହଲି (୬) ଓ ମହିପାଲ ଲୋମରର (୦) ଶସ୍ତାରେ ଆଉଟ୍ ହେବାରୁ ଦାୟିତ୍ବ ଡୁ'ପ୍ଲେସିସ ଓ ମ୍ୟାକ୍ସୱେଲଙ୍କ କାନ୍ଧରେ ପଡ଼ିଥିଲା। ୨୨୭ ରନ୍କୁ ପିଛା କରୁଥିବା ଏହି ଦଳ ଲଢ଼ୁଆ ବ୍ୟାଟିଂ କରିଥିଲେ ମଧ୍ୟ ୮ ରନ୍ ପଛରେ ପଡ଼ି ଯାଇଥିଲା।
ସେପଟେ ସଂଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ହେବେ ମୁହାମୁହିଁ । ଏହି ମ୍ୟାଚକୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଏବେ ଯାଏଁ ୫ଟି ମ୍ୟାଚ୍ ଖେଳି ସାରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଖାତା ଖୋଲି ନାହିଁ । ଗୁରୁବାର ଶ୍ରେଷ୍ଠ ପ୍ରଦର୍ଶନ କରି ସିଜିନର ପ୍ରଥମ ବିଜୟ ପାଇଁ ଦଳ ଚେଷ୍ଟା କରିବ । ନାଇଟ୍ ରାଇଡର୍ସ ୫ଟି ମ୍ୟାଚ୍ ଖେଳି ୨ଟି ବିଜୟ ସହ ୪ ପଏଣ୍ଟ ହାସଲ କରିଛି । ଶେଷ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାଜିତ ହୋଇଥିବା ନାଇଟ ରାଇଡର୍ସ ଯଥା ସମ୍ଭବ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ।












Click it and Unblock the Notifications