ଆଇପିଏଲ 2023: ଋଷଭ ପନ୍ତଙ୍କ ସ୍ଥାନରେ ଏହି ଖେଳାଳି ଧରିବେ ଦିଲ୍ଲୀ କ୍ୟାପିଟାଲ୍ସର ମଙ୍ଗ...
ଅଷ୍ଟ୍ରେଲିଆ ଓପନର ଡେଭିଡ୍ ୱାର୍ଣ୍ଣରଙ୍କୁ ଦଳ ନୂଆ ଅଧିନାୟକ ନିଯୁକ୍ତ କରିଥିବା ବେଳେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଦଳ ଉପ ଅଧିନାୟକ ଭାବେ ନିଯୁକ୍ତ କରିଛି ।

ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜିନ ପାଇଁ ନୂଆ କ୍ୟାପଟେନ୍ ବାଛିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଷ୍ଟ୍ରେଲିଆ ଓପନର ଡେଭିଡ୍ ୱାର୍ଣ୍ଣରଙ୍କୁ ଦଳ ନୂଆ ଅଧିନାୟକ ନିଯୁକ୍ତ କରିଥିବା ବେଳେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଦଳ ଉପ ଅଧିନାୟକ ଭାବେ ନିଯୁକ୍ତ କରିଛି ।
ଗତ ୨ଟି ସିଜିନରୁ ଦିଲ୍ଲୀ କ୍ୟାପିଟାଲ୍ସର ଦାୟିତ୍ୱ ନେଇଥିଲେ ରିଷଭ ପନ୍ତ । ଦୁର୍ଘଟଣା ପରେ ଗୁରୁତର ଆହତ ହୋଇଥିବାରୁ ଚଳିତଥର ଆଇପିଏଲରୁ ବାଦ୍ ପଡିଛନ୍ତି । ଗତ କିଛିଦିନ ହେଲାଣି ଡେଭିଡ ଓ୍ଵାର୍ଣ୍ଣର କ୍ୟାପଟେନ ହେବା ନେଇ ଚର୍ଚ୍ଚା ଚାଲିଥିଲା । ଟିମର ଡାଇରେକ୍ଟର ସୌରଭ ଗାଙ୍ଗୁଲି ପୂର୍ବରୁ ୱାର୍ଣ୍ଣର ଅଧିନାୟକ ହେବା ନେଇ ସଂକେତ ଦେଇଥିଲେ ।
ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏନେଇ ପ୍ରଥମେ ସୂଚନା ଦିଆଯାଇଥିଲା । ଦଳ ୱାର୍ଣ୍ଣର ଆଉ ଅକ୍ଷରଙ୍କର ଫଟୋ ସେୟାର କରି, ଦୁହିଁଙ୍କୁ କ୍ୟାପଟେନ୍ ଓ ଭାଇସ-କ୍ୟାପଟେନ୍ ଦାୟିତ୍ୱ ଦେଇଥିବା ସୂଚନା ଦେଇଥିଲା । ପ୍ରଥମ ଥର ପାଇଁ ନୁହେଁ, ଏହା ପୂର୍ବରୁ ଓ୍ଵାର୍ଣ୍ଣର ଦିଲ୍ଲୀ କ୍ୟାପିଟାଲ୍ସର ଦାୟିତ୍ୱ ନେଇଛନ୍ତି । ୨୦୦୯ ଏବଂ ୨୦୧୩ରେ ଦିଲ୍ଲୀ ଡେୟାରଡେଭିଲ୍ସରେ ଟିମର ଦାୟିତ୍ୱ ନେଇଥିଲେ ଓ୍ଵାର୍ଣ୍ଣର । ଏହା ପରେ ସନରାଇଜର୍ସ ହାଇଦ୍ରାବାଦ ତାଙ୍କ କିଣି ନେଇଥିଲା । ଏହା ପରେ ତାଙ୍କୁ ଟିମର ଦାୟିତ୍ୱ ଦିଆ ଯାଇଥିଲା।
ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଦାୟିତ୍ୱ ମିଳିବା ପରେ ଓ୍ଵାର୍ଣ୍ଣର କହିଛନ୍ତି, ପନ୍ତ ଦିଲ୍ଲୀ ପାଇଁ ଜଣେ ଭଲ ଲିଡର । ପନ୍ତଙ୍କ ଯୋଗଦାନକୁ ଟିମ୍ ନିଶ୍ଚିତ ମିସ୍ କରିବ । ତେବେ ମ୍ୟାନେଜମେଣ୍ଟ ମୋ ଉପରେ ଭରସା କରିଛି, ସେଥିପାଇଁ କୃତଜ୍ଞ । ଯୁବ ଖେଳାଳିଙ୍କ ଟିମକୁ ଲିଡ୍ କରିବା ମୋ ପାଇଁ ଗର୍ବର କଥା ।
ତେବେ ସନରାଇଜର୍ସ ହାଇଦ୍ରାବାଦକୁ ସେ ୨୦୧୬ରେ ଚାମ୍ପିୟନ୍ କରାଇଥିବାବେଳେ, ତାଙ୍କ ପାଖରେ ଲମ୍ବା ସମୟ ଧରି ଅଧିନାୟକ ରହିବାର ଅଭିଜ୍ଞତା ମଧ୍ୟ ଅଛି । ବର୍ତ୍ତମାନ ସୁଦ୍ଧା ୬୯ଟି ଆଇପିଏଲ୍ ମ୍ୟାଚରେ ୱାର୍ଣ୍ଣର କ୍ୟାପଟେନ୍ ରହିସାରି ଥିବାବେଳେ, ତା ଭିତରୁ ୩୫ଟି ମ୍ୟାଚରେ ସେ ଟିମକୁ ଜିତାଇପାରିଛନ୍ତି । ସେହିପରି ୩୨ଟି ମ୍ୟାଚରେ ପରାଜୟ ଦେଖିଥିବା ବେଳେ, ୱାର୍ଣ୍ଣରଙ୍କ କ୍ୟାପଟେନ୍ସିରେ ଦୁଇଟି ମ୍ୟାଚ୍ ଟାଇ ହୋଇଛି ।












Click it and Unblock the Notifications