ବିଜୟ ଟ୍ରାକକୁ ଫେରିଲା ଆରସିବି, ବିରାଟଙ୍କ ଅଧିନାୟକତ୍ୱରେ ପଞ୍ଜାବକୁ ୨୪ ରନରେ ହରଇଲା ବାଙ୍ଗାଲୋର
ମୋହଲି: କ୍ରମାଗତ ୨ଟି ପରାଜୟ ପରେ ଆଜି ଆଇପିଏଲ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୨୪ ରନରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆଜି ନିୟମିତ ଅଧିନାୟକ ଫାଫ ଡୁପ୍ଲେସିସ ଖେଳୁଥିଲେ ମଧ୍ୟ ବିରାଟ କୋହଲି ଆରସିବିର କ୍ୟାପ୍ଟେନ୍ସି କରିଥିଲେ ।
ପ୍ରଥମେ ବ୍ୟାଟିଂ କରି ଆରସିବି ୪ ୱିକେଟରେ ୧୭୪ ରନ୍ ସ୍କୋର କରିଥିଲା । ବିରାଟ କୋହଲି ୪୭ ବଲ୍ରେ ୫୯ ଏବଂ ଡୁ ପ୍ଲେସିସ୍ ୫୬ ବଲ୍ରେ ୮୪ ରନ୍ କରିଥିଲେ । ପ୍ରଥମ ୱିକେଟରେ ଏହି ଦୁଇ ଓପନର ୧୩୭ ରନ୍ ଯୋଡ଼ିଥିଲେ ।

ଜବାବରେ ପଞ୍ଜାବ କିଙ୍ଗସ ୧୮.୨ ଓଭରରେ ୧୦ଟି ଯାକ ଓ୍ଵିକେଟ୍ ହରାଇ ୧୫୦ ରନ୍ କରି ପାରିଛି । ଦଳ ପକ୍ଷରୁ ପି. ସିଂହ ୪୬ ଏବଂ ଜିତେଶ ଶର୍ମା ୪୧ ରନ୍ କରିଥିଲେ । ଆରସିବି ପକ୍ଷରୁ ମହମ୍ମଦ ସିରାଜ ୪ଟି ୱିକେଟ୍ ନେଇ ଦଳକୁ ବିଜୟୀ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥିପାଇଁ ତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଛି।
୧୭୫ ରନର ଟାର୍ଗେଟ ପାଇଥିବା ପଞ୍ଜାବ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅର୍ଥବ ଟାଇଡେ(୪), ମାଥ୍ୟୁ ଶର୍ଟ(୮) ଓ ଲିଆମ ଲିଭିଙ୍ଗଷ୍ଟୋନ(୨) ଶସ୍ତାରେ ପ୍ୟାଭିଲିୟନ ଫେରିଥିଲେ। ଇମ୍ପାକ୍ଟ ଖେଳାଳି ଭାବେ ପଞ୍ଜାବ ପାଇଁ ଆସିଥିବା ପ୍ରବସିମରନ ସିଂହ ଗୋଟିଏ ପଟେ ଦମଦାର ବ୍ୟାଟିଂ କରୁଥିଲେ ମଧ୍ୟ ତାଙ୍କୁ ସେତେଟା ସମର୍ଥନ କେହି ଦେଇ ନଥିଲେ ।
କିଛି ସମୟ ପାଇଁ ହରପ୍ରୀତ ସିଂହ (୧୩) ଓ ଅଧିନାୟକ ସାମ କୁରାନ(୧୦) ତାଙ୍କୁ ସାଥ ଦେଇଥିଲେ । ହେଲେ ଏହା ଯଥେଷ୍ଟ ନଥିଲା। ଶେଷରେ ପ୍ରବସିମରନ ମଧ୍ୟ ୪୬ ରନ କରି ୱେନ ପାର୍ଣ୍ଣେଲଙ୍କ ବଲରେ ଆଉଟ ହୋଇ ଯାଇଥିଲେ ।
ଜିତେଶ ଶର୍ମା(୪୧) ଶେଷ ଯାଏ ଲଢ଼େଇ କରିଥିଲେ ମଧ୍ୟ ଦଳକୁ ମ୍ୟାଚ୍ ଜିତାଇ ପାରି ନଥିଲେ । ଶେଷ ବ୍ୟାଟର ଭାବେ ସେ ଆଉଟ ହେବାରୁ ପଞ୍ଜାବ ୧୮.୨ ଓଭରରେ ସମସ୍ତ ୱିକେଟ ହରାଇ ୧୫୦ ରନରେ ଅଟକି ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶାହରୁଖ ଖାନ ୭, ହରପ୍ରୀତ ବ୍ରାର ୧୩ ଓ ନାଥନ ଏଲିସ ୧ ରନ କରିଥିଲେ ।












Click it and Unblock the Notifications