ଆଇପିଏଲ 2023ରେ ଆଜି ମୁହାଁମୁହିଁ ହେବେ କୋଲକାତା-ରାଜସ୍ଥାନ
IPL 2023, 56th Match, KKR vs RR: ଆଇପିଏଲ ୧୬ତମ ସଂସ୍କରଣ ଗୁରୁବାର ଖେଳାଯିବ ୫୬ତମ ମ୍ୟାଚ୍ । ଇଡେନ୍ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେବେ । ଉଭୟ ଦଳ ପାଇଁ ଆଜିର ମ୍ୟାଚ ଗୁରୁତ୍ବପୂର୍ଣ୍ଣ ।

ତେବେ କେକେଆର୍ (KKR) ବର୍ତ୍ତମାନ ସୁଦ୍ଧା ୧୧ଟି ମ୍ୟାଚ୍ ଖେଳି କେବଳ ୫ଟିରେ ବିଜୟ ହାସଲ କରିଛି । ଦଳ ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୫ ୱିକେଟରେ ପରାସ୍ତ କରିଥିଲା । ରିଙ୍କୁ ସିଂ ଓ ଆନ୍ଦ୍ରେ ରସେଲଙ୍କ ଚମତ୍କାର ପ୍ରଦର୍ଶନ ଫଳରେ ପଞ୍ଜାବର ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲା ଦଳ। ରିଙ୍କୁ ସିଂ ମାତ୍ର ୧୦ ବଲରେ ୨୧ ରନ୍ ସଂଗ୍ରହ କରି ଶେଷ ବଲରେ ଚାରିଟି ଚୌକା ସହ ଦଳକୁ ଜିତି ନେଇଥିଲେ।
ସେପଟେ ରାଜସ୍ଥାନ ରୟାଲ୍ସ ସିଜନ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲେ ହେଁ ଧୀରେ ଧୀରେ ଲୟ ହରାଇ ବସିଥିଲା । କ୍ରମାଗତ ୩ଟି ମ୍ୟାଚ୍ରେ ଯଥାକ୍ରମେ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଟାଇଟନ୍ସ ଓ ସନରାଇଜର୍ସ ଠାରୁ ପରାଜିତ ହୋଇଛି । ନାଇଟ୍ ରାଇଡର୍ସକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍ରେ ହରାଇବାକୁ ହେଲେ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ । ଦଳର ବ୍ୟାଟିଂ ବିଭାଗ ସଦୃଢ ରହିଛି । ବୋଲିଂ ବିଭାଗ ଠାରୁ ଶୃଙ୍ଖଳିତ ପ୍ରଦର୍ଶନ ଆଶା କରାଯାଉଛି । ଟ୍ରେଣ୍ଟ ବୋଲ୍ଟ ଫିଟ୍ ହୋଇ ଅଭ୍ୟାସ ଆରମ୍ଭ କରିଥିବାରୁ ରୟାଲ୍ସର ବୋଲିଂ ବିଭାଗ ସଦୃଢ ହେବା ନିଶ୍ଚିତ ।
ରାଜସ୍ଥାନ ୧୧ଟି ମ୍ୟାଚ୍ ମଧ୍ଯରୁ ୫ଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ତେବେ ପୂର୍ବ ମ୍ୟାଚରେ ସନରାଇଜର ହାଇଦ୍ରାବାଦଠାରୁ ପରାଜୟ ବରଣ କରିଥିଲା ଦଳ । ରାଜସ୍ଥାନ ରୟାଲ୍ସ ପାଇଁ ଯଶସ୍ୱୀ ଜୟସୱାଲ ସର୍ବାଧିକ ୪୭୭ ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ନାମରେ ଏକ ଶତକ ମଧ୍ଯ ରହିଛି । ସେହିପରି ବୋଲିଂରେ ଚହଲ ସର୍ବାଧିକ ୧୭ଟି ୱିକେଟ୍ ନେଇଛନ୍ତି।
ସେପଟେ ଚଳିତ ସିଜନରେ ଉଭୟ ଦଳ ପ୍ରଥମ କରି ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଘରୋଇ ଗ୍ରାଉଣ୍ଡ୍ରେ ଖେଳୁଥିବାରୁ ଏହି ମ୍ୟାଚରେ ନାଇଟ୍ ରାଇଡର୍ସର ପଲା ଭାରି ରହିବ । ପୂର୍ବ ରେକର୍ଡକୁ ଦେଖିଲେ ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୨୭ଥର ଭେଟିଛନ୍ତି । ଏଥିରୁ ନାଇଟ୍ ରାଇଡର୍ସ ୧୪ ଓ ରାଜସ୍ଥାନ ରୟାଲ୍ସ ୧୨ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି ।
- RR ସମ୍ଭାବ୍ୟ ଏକାଦଶ: ଯଶସ୍ବୀ ଜୈସ୍ବାଲ, ଜୋସ ବଟଲର, ସଞ୍ଜୁ ସାମସନ (ଅଧିନାୟକ), ଜୋରୁଟ, ଦେବଦତ୍ତ ପାଡିକଲ, ସିମରନ ହେତମାୟର, ଧ୍ରୁବ ଜୁରେଲ, ଆର ଅଶ୍ବିନୀ, ଟ୍ରେଣ୍ଡ ବୋଲ୍ଟ, ସନ୍ଦୀପ ଶର୍ମା, ୟୁଝବେନ୍ଦ୍ର ଚହଲ ।
- KKR ସମ୍ଭାବ୍ୟ ଏକାଦଶ: ଜାସନ ରଏ, ରହମନୁଲ୍ଲା ଗୁରବାଜ, ଭେଙ୍କଟେଶ ଆୟର, ନିତୀଶ ରାଣା,(ଅଧିନାୟକ), ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ, ସାର୍ଦୁଳ ଠାକୁର, ସୁନିଲ ନାରାଏନ, ହର୍ଷିତ ରାଣା, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ ।












Click it and Unblock the Notifications