Get Updates
Get notified of breaking news, exclusive insights, and must-see stories!

ଆଜି ଆଇପିଏଲ୍‌ -୧୯ର ମିନି ଅକ୍ସନ୍‌: ୭୭ ସ୍ଥାନ ପାଇଁ ୩୫୯ ଖେଳାଳି

ଆଗାମୀ ଆଇପିଏଲ-୧୯ ପାଇଁ ମଙ୍ଗଳବାର ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭାରତୀୟ ସମୟ ଅପରାହ୍ଣ ୨.୩୦ ମିନିଟ୍‌ରେ ଆବୁଧାବିର ଅଥିହାଡ୍ ଏରେନାରେ ନିଲାମ କାର୍ଯ୍ୟ ଆରମ୍ଭ ହେବ । ଷ୍ଟାର ସ୍ପୋର୍ଟ୍ସରେ ଏହାର ସିଧା ପ୍ରସାରଣ କରାଯିବ । ଇତି ମଧ୍ୟରେ ସମସ୍ତ ଫ୍ରାଞ୍ଚାଇଜ ସଦସ୍ୟମାନେ ଆବୁଧାବିରେ ନିଜ ପସନ୍ଦ ଖେଳାଳି ତାଲିକା ଧରି ପହଞ୍ଚି ଗଲେଣି । ସମ୍ପ୍ରତି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍‌ରୁ ବିରତି ନେଇଥିବା ଆହତ ପଞ୍ଜାବ କିଙ୍ଗ୍‌ସ ଅଧିନାୟକ ଶ୍ରେୟାସ ଆୟର ମଧ୍ୟ ନିଲାମ କାର୍ଯ୍ୟକ୍ରମରେ ଯୋଗ ଦେବେ । ୧୦ଟି ଯାକ ଫ୍ରାଞ୍ଚାଇଜ୍‌ରେ ଖାଲି ପଡ଼ିଥିବା ମୋଟ୍ ୭୭ଟି ସ୍ଥାନ ପାଇଁ ମୋଟ୍ ୩୫୦ ଜଣ ଖେଳାଳିଙ୍କୁ ନେଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ୨୪୪ ଜଣ ଭାରତୀୟ ଓ ୧୧୫ ଜଣ ବିଦେଶୀ ଖେଳାଳି ସ୍ଥାନ ପାଇଛନ୍ତି ।

IPL-19 mini

୩୫୯ଜଣ ଖେଳାଳିଙ୍କୁ ନେଇ ୪୨ଟି ସେଟ୍ ପ୍ରସ୍ତୁତ କରାଯାଇଛି । ସମସ୍ତ ଫ୍ରାଞ୍ଚାଇଜଙ୍କ ନିକଟରେ ୭୭ଟି ସ୍ଥାନ ଖାଲି ରହିଛି । ଏଥିରେ ରହିଛି ବିଦେଶୀ ଖେଳାଳିଙ୍କ ପାଇଁ ୩୧ଟି ସ୍ଥାନ । ଅଷ୍ଟ୍ରେଲିଆ ଅଲ୍ରାଉଣ୍ଡର କାମେରନ ଗ୍ରୀନ ଏଥର ସବୁଠୁ ଦାମୀ ଖେଳାଳି ସାବ୍ୟସ୍ତ ହେବେ ବୋଲି ଅନୁମାନ କରାଯାଉଛି । କୋଲକାତା ନାଇଟ୍ ରାଇଡର୍ସ, ଚେନ୍ନାଇ ସୁପରକିଙ୍ଗ୍ସ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଦିଲ୍ଲୀ କ୍ୟାପିଟାଲ୍ସ ପ୍ରମୁଖ ବିଦେଶୀ ପେସ୍ ବୋଲିଂ ଅଲ୍‌ରାଉଣ୍ଡର ସନ୍ଧାନରେ ରହିଛନ୍ତି ।

ପୂର୍ବ ବର୍ଷଗୁଡ଼ିକ ଭଳି ଏଥର ମଧ୍ୟ ଅନେକ ନୂଆ ଅପରିଚିତ ଘରୋଇ ଖେଳାଳି ମୁଖ୍ୟ ଆକର୍ଷଣ ସାଜିବେ । ଏଥର ଘରୋଇ କ୍ରିକେଟ୍ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଓ ବିଭିନ୍ନ ରାଜ୍ୟ ଆସୋସିଏସନର ଟି-ଟ୍ୱେଣ୍ଟି ଲିଗ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳି ଫ୍ରାଞ୍ଚାଇଜମାନଙ୍କ ନଜରରେ ରହିଛନ୍ତି । ରାଜସ୍ଥାନ ବ୍ୟାଟର କାର୍ତ୍ତିକ ଶର୍ମା ଓ ପେସ୍ ବୋଲର ଅଶୋକ ଶର୍ମାଙ୍କୁ କିଣିବା ପାଇଁ ଆଜି ଜୋରଦାର ଲଢ଼େଇ ହେବା ଆଶା କରାଯାଉଛି । ଜାମ୍ମୁ ଓ କାଶ୍ମୀର ପେସ୍ ବୋଲର ଆକିବ ନବି ମଧ୍ୟ ଫ୍ରାଞ୍ଚାଇଜଙ୍କ ନଜରରେ ରହିଛନ୍ତି । ବାମ ହାତି ସ୍ପିନର ହର୍ଷ ତ୍ୟାଗୀ, ପେସ ବୋଲର ରାଜ ଲିମ୍ବାନି, ସନି ସାନ୍ଧୁ, ଅଲରାଉଣ୍ଡର ପ୍ରଶାନ୍ତ ବୀର ମଧ୍ୟ ଫ୍ରାଞ୍ଚାଇଜମାନଙ୍କ ନଜରରେ ରହିଛନ୍ତି ।

କୋଲକାତା ନାଇଟ୍ ରାଇଡର୍ସ

ନାଇଟ ରାଇଡର୍ସ ନିକଟରେ ସର୍ବାଧିକ ୬୪.୩ କୋଟି ଟଙ୍କା ରହିଛି ଓ ଦଳରେ ଖାଲି ପଡ଼ିଛି ୧୩ଟି ସ୍ଥାନ । ୬ଜଣ ବିଦେଶୀ ଖେଳାଳିଙ୍କ ପାଇଁ ସ୍ଥାନ ଉପଲବ୍ଧ ରହିଛି । ମଙ୍ଗଳବାର ନିଲାମରେ ନାଇଟ ରାଇଡର୍ସ ସର୍ବାଧିକ ଖେଳାଳି କିଣିବା ନିଶ୍ଚିତ । ତେଣୁ ନିଲାମରେ ଡାକ ମଧ୍ୟ ପ୍ରତ୍ରିଦ୍ୱନ୍ଦ୍ୱିତାମୂଳକ ହେବ । କ୍ୱିଣ୍ଟନ ଡି କକ୍, ରହମନୁଲ୍ଲା ଗୁରବାଜଙ୍କୁ ବାଦ ଦେଇଥିବା ନାଇଟ୍ ରାଇଡର୍ସ ଜଣେ ଓପନିଂ ବ୍ୟାଟର/ୱିକେଟ୍ କିପରଙ୍କୁ କିଣିବା ପାଇଁ ପ୍ରୟାସ କରିବ । ସେହିପରି ଆନ୍ଦ୍ରେ ରସେଲଙ୍କ ସ୍ଥାନ ପାଇଁ କାମେରନ ଗ୍ରୀନଙ୍କୁ କିଣିବା ପଛରେ ନାଇଟ୍ ରାଇଡର୍ସ ଯଥେଷ୍ଟ ଅର୍ଥ ଲଗାଇବାକୁ ପ୍ରସ୍ତୁତ । ଏହା ବ୍ୟତୀତ ଜଣେ ବିଦେଶୀ ପେସ୍ ବୋଲରଙ୍କୁ କିଣିବା ପାଇଁ ମଧ୍ୟ ନାଇଟ୍ ରାଇଡର୍ସ ଲକ୍ଷ୍ୟ ରଖିବ । ଗତ ସିଜନରେ ଦଳରେ ଥିବା ଆନରିଚ ନର୍ଜ ଓ ସ୍ପେନସର ଜନସନଙ୍କୁ ନାଇଟ୍ ରାଇଡର୍ସ ବାଦ୍ ଦେଇ ସାରିଛି ।

ଚେନ୍ନାଇ ସୁପରକିଙ୍ଗ୍‌ସ

ଚେନ୍ନାଇ ସୁପରକିଙ୍ଗ୍ସ ନିକଟରେ ୪୩.୪ କୋଟି ଟଙ୍କା ରହିଛି ଓ ଦଳରେ ୯ଟି ସ୍ଥାନ ଖାଲି ପଡ଼ିଛି । ନିଲାମରେ ସୁପରକିଙ୍ଗ୍‌ସ ବିଦେଶୀ ଅଲ୍ରାଉଣ୍ଡର ଓ ଫିନିଶର କିଣିବାକୁ ଜୋର ଦେବ । ଏହା ବ୍ୟତୀତ ମଧ୍ୟ କ୍ରମ ପାଇଁ ପେସ୍ ବୋଲିଂ ଅଲରାଉଣ୍ଡର କିଣିବା ଦଳର ପ୍ରଥମ କାର୍ଯ୍ୟ ହେବ । ଏଥର ଦଳରୁ ବାଦ ଦେଇଥିବା ପେସ୍ ବୋଲର ମଥିଶା ପତିରଣାଙ୍କୁ ଫେରାଇ ଆଣିବାକୁ ଫ୍ରାଞ୍ଚାଇଜ୍ ପ୍ରୟାସ କରିବ ।

ରାଜସ୍ଥାନ ରୟାଲ୍ସ ସହ ଟ୍ରେଡ୍ କରିଥିବା ରବିନ୍ଦ୍ର ଜାଡେଜାଙ୍କ ସ୍ଥାନ ପାଇଁ ସୁପରକିଙ୍ଗ୍‌ସ ଜଣେ ଘରୋଇ ସ୍ପିନ୍ ବୋଲିଂ ଅଲରାଉଣ୍ଡରଙ୍କୁ କିଣିବା ଆଶା କରାଯାଉଛି । ଉତ୍ତର ପ୍ରଦେଶର ବାମ ହାତି ସ୍ପିନ ବୋଲିଂ ଅଲରାଉଣ୍ଡର ପ୍ରଶାନ୍ତ ବୀରଙ୍କୁ ସୁପରକିଙ୍ଗ୍‌ସ କିଣିବା ସମ୍ଭାବନା ରହିଛି । ପ୍ରଶାନ୍ତ ସୁପରକିଙ୍ଗ୍ସର ଟ୍ରାଏଲ୍‌ରେ ଯୋଗ ଦେଇ ସାରିଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସ

ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ୨୧.୮୦ କୋଟି ଟଙ୍କା ରହିଥିବାବେଳେ ଦଳରେ ୮ଟି ସ୍ଥାନ ଖାଲି ରହିଛି । ଦଳ ୫ଜଣ ବିଦେଶୀ ଖେଳାଳି କିଣିବାକୁ ଯାଉଛି । ତେଣୁ ନିଲାମରେ ଫ୍ରାଞ୍ଚାଇଜ ଡ଼ାକ ଜୋରଦାର ହେବା ନିଶ୍ଚିତ । ପ୍ରଥମତଃ ବିଦେଶୀ ଓପନିଂ ବ୍ୟାଟର କିଣିବା ପାଇଁ କ୍ୟାପିଟାଲ୍ସ ଲକ୍ଷ୍ୟ ରଖିଛି । ତେଣୁ ଡେଭନ କନୱେ ଓ ରଚିନ ରବିନ୍ଦ୍ରଙ୍କ ପଛରେ ଡ଼ାକ ଲଗାଇବାକୁ କ୍ୟାପିଟାଲ୍ସ ପଛାଇବ ନାହିଁ । ନିଲାମରେ ପେସ୍ ବୋଲରଙ୍କ ପଛରେ ମଧ୍ୟ କ୍ୟାପିଟାଲ୍ସର ଅର୍ଥ ଲାଗିବ । କାରଣ ଟି ନଟରାଜନ ଫିଟ୍‌ନେସ୍ ଫେରି ପାଇନାହାନ୍ତି। ମିଚେଲ ଷ୍ଟାର୍କ ମଧ୍ୟ ଆସେସ ଖେଳି କ୍ଲାନ୍ତ ହୋଇ ସାରିଥିବେ । ତେଣୁ ତାଙ୍କୁ ଆବଶ୍ୟକ ପରିମାଣର ବିଶ୍ରାମ ମିଳିବ । ଏହା ବ୍ୟତୀତ କ୍ୟାପିଟାଲ୍ସ ମଧ୍ୟକ୍ରମ ବ୍ୟାଟିଂ ବିଭାଗ ପାଇଁ ଜଣେ ଦକ୍ଷ ବ୍ୟାଟର ସନ୍ଧାନରେ ରହିବ ।

ଗୁଜରାଟ ଟାଇଟନ୍ସ

ଗୁଜରାଟ ଟାଇଟନ୍ସ ପର୍ସରେ ୧୨.୯୦ କୋଟି ଟଙ୍କା ରହିଥିବାବେଳେ ଦଳରେ ୪ ବିଦେଶୀ ଖେଳାଳିଙ୍କ ସମେତ ମୋଟ୍ ୫ଟି ସ୍ଥାନ ଖାଲି ରହିଛି । ନିଲାମରେ ଟାଇଟନ୍ସ ବିଦେଶୀ ଖେଳାଳିଙ୍କ ଉପରେ ଗୁରୁତ୍ୱ ଦେବା ନିଶ୍ଚିତ । କାଗିସୋ ରାବାଡାଙ୍କୁ ସହାୟତା କରିବା ପାଇଁ ଜଣେ ଦକ୍ଷ ପେସ୍ ବୋଲରଙ୍କ ଆବଶ୍ୟକତା ରହିଛି । ଏହା ବ୍ୟତୀତ ମଧ୍ୟକ୍ରମ ବ୍ୟାଟିଂ ବିଭାଗକୁ ସୁଦୃଢ଼ କରିବା ପାଇଁ ଘରୋଇ ଖେଳାଳିଙ୍କୁ କିଣିବା ଉପରେ ଫ୍ରାଞ୍ଚାଇଜ ଗୁରୁତ୍ୱ ଦେବ । ଦଳର ମଧ୍ୟ କ୍ରମ ବ୍ୟାଟର ଶାହରୁଖ ଖାନ ଫର୍ମ ହରାଇ ତାମିଲନାଡୁ ଦଳରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ରାହୁଲ ତେୱାତିଆ ଗତ ଆଇପିଏଲ୍ ପରଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍ ଖେଳି ନାହାନ୍ତି । ତେଣୁ ଏହି ସବୁ ସ୍ଥାନର ବିକଳ୍ପ ଆଶାରେ ଟାଇଟନ୍ସ ରହିଛି । ରସିଦ ଖାନଙ୍କ ବିକଳ୍ପ ପାଇଁ ମଧ୍ୟ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର କିଣିବାକୁ ଟାଇଟନ୍ସ ଯୋଜନା କରିଛି । ସମ୍ଭବତଃ ନ୍ୟୁଜିଲାଣ୍ଡର ମାଇକେଲ ବ୍ରେସୱେଲଙ୍କୁ କିଣିବା ପାଇଁ ଟାଇଟନ୍ସ ପ୍ରୟାସ କରିବ ।

ଲକ୍ଷ୍ନୌ ସୁପରଜାଏଣ୍ଟ୍ସ

ସୁପରଜାଏଣ୍ଟ୍ସ ପର୍ସରେ ୨୨.୯୫ କୋଟି ଟଙ୍କା ରହିଥିବାବେଳେ ଦଳରେ ମାତ୍ର ୬ଜଣ ଖେଳାଳିଙ୍କ ସ୍ଥାନ ଖାଲି ପଡ଼ିଛି । ଏଥିରେ ବିଦେଶୀ ଖେଳାଳିଙ୍କ ପାଇଁ ୪ଟି ସ୍ଥାନ ଉପଲବ୍ଧ ରହିଛି । ଏଥର ନିଲାମରେ ସୁପରଜାଏଣ୍ଟ୍ସ ଡେଭିଡ୍ ମିଲରଙ୍କ ସ୍ଥାନ ପୂରଣ ପାଇଁ ଜଣେ ଫିନିଶରଙ୍କୁ କିଣିବାକୁ ଚେଷ୍ଟା କରିବ । ଏହା ବ୍ୟତୀତ ଫ୍ରାଞ୍ଚାଇଜ ଘରୋଇ ପେସ୍ ବୋଲରଙ୍କ ପଛରେ ଅର୍ଥ ଲଗାଇବାକୁ ପ୍ରସ୍ତୁତ ।

ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ୨.୭୫ କୋଟି ଟଙ୍କା ରହିଛି । ଦଳରେ ୫ଜଣ ଖେଳାଳିଙ୍କ ପାଇଁ ସ୍ଥାନ ଖାଲି ରହିଛି । ଦଳରେ ପ୍ରାୟତଃ ସବୁ ବିଭାଗ ସମ୍ପୂର୍ଣ୍ଣ ରହିଛି । କେବଳ କିଛି ନୂଆ ଅପରିଚିତ ଖେଳାଳିଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସ ଅର୍ଥ ଲଗାଇ ପାରେ । ଜଣେ ବିକଳ୍ପ ଓପନର, ବାମ ହାତି ସ୍ପିନର ଓ ବାମ ହାତି ଘରୋଇ ପେସ୍ ବୋଲରଙ୍କୁ କିଣିବାକୁ ମୁମ୍ବାଇ ଇଣ୍ଡିଆନ୍ସ ଗୁରୁତ୍ୱ ଦେବା ଆଶା କରାଯାଉଛି ।

ପଞ୍ଜାବ କିଙ୍ଗ୍‌ସ

ଗତ ବର୍ଷର ରନର୍ସ ଅପ୍ ପଞ୍ଜାବ କିଙ୍ଗ୍ସ ନିକଟରେ ୧୧.୫୦ କୋଟି ଟଙ୍କା ରହିଥିବାବେଳେ ଦଳରେ ୪ଟି ସ୍ଥାନ (୨ବିଦେଶୀ ଖେଳାଳି) ଖାଲି ରହିଛି । ଫ୍ରାଞ୍ଚାଇଜ୍ ଗ୍ଲେନ ମ୍ୟାକ୍ସୱେଲଙ୍କ ସ୍ଥାନରେ ଜଣେ ବିଦେଶୀ ଅଲରାଉଣ୍ଡର ଓ କିଛି ଘରୋଇ ସ୍ପିନରଙ୍କୁ କିଣିବା ଅଶା କରାଯାଉଛି ।

ରାଜସ୍ଥାନ ରୟାଲ୍ସ

ରାଜସ୍ଥାନ ରୟାଲ୍ସ ଟ୍ରେଡିଂ ଜରିଆରେ ଆବଶ୍ୟକ ସ୍ଥାନ ପୂରଣ କରିସାରିଛି । ବର୍ତ୍ତମାନ ଫ୍ରାଞ୍ଚାଇଜ୍ ନିକଟରେ ରହିଛି ୧୬.୦୫ କୋଟି ଟଙ୍କା । ଦଳରେ ଜଣେ ବିଦେଶୀଙ୍କୁ ମିଶାଇ ମୋଟ୍ ୯ଜଣ ଖେଳାଳିଙ୍କ ସ୍ଥାନ ଖାଲି ରହିଛି । ନିଲାମରେ ଜଣେ ବିଦେଶୀ ଲେଗ ସ୍ପିନରଙ୍କୁ କିଣିପାରେ । ସମ୍ପ୍ରତି ଚମତ୍କାର ଫର୍ମରେ ରହିଥିବା ଘରୋଇ ପେସ୍ ବୋଲର ଅଶୋକ ଶର୍ମାଙ୍କୁ ମଧ୍ୟ ଫେରାଇ ଆଣିବାକୁ ରୟାଲ୍ସ ଗୁରୁତ୍ୱ ଦେବ । ଅଶୋକ ନିୟମିତ ଭାବେ ୧୪୫କିଲୋ ମିଟର ବେଗରେ ବୋଲିଂ କରୁଛନ୍ତି ଓ ସଦୟ ମୁସ୍ତାକ ଅଲି ଟି-ଟ୍ୱେଣ୍ଟିରେ ୭ଟି ମ୍ୟାଚରେ ୧୯ଟି ୱିକେଟ୍ ନେଇ ସାରିଛନ୍ତି ।

ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ୍ସ ଚ୍ୟାଲେଞ୍ଜର୍ସ ନିକଟରେ ୧୬.୪୦ କୋଟି ଟଙ୍କା ବଳକା ରହିଛି । ଦଳରେ ମୋଟ୍ ୮ଜଣ (୨ବିଦେଶୀ) ଖେଳାଳିଙ୍କ ପାଇଁ ସ୍ଥାନ ଖାଲି ରହିଛି । ଜୋସ ହାଜେଲଉଡଙ୍କ ବିକଳ୍ପ ଭାବେ ଜଣେ ବିଦେଶୀ ପେସ୍ ବୋଲର ଓ କିଛି ଘରୋଇ ପେସ୍ ବୋଲର କିଣିବା ପାଇଁ ଫ୍ରାଞ୍ଚାଇଜ୍ ଗୁରୁତ୍ୱ ଦେବା ଆଶା କରାଯାଉଛି ।

ସନରାଇଜର୍ସ ହାଇଦ୍ରାବାଦ

ସନରାଇଜର୍ସ ନିକଟରେ ୨୫.୫୦ କୋଟି ଟଙ୍କା ଉପଲବ୍ଧ ରହିଛି । ଦଳରେ ୧୦ଜଣ ଖେଳାଳିଙ୍କ ପାଇଁ ସ୍ଥାନ ଖାଲି ରହିଛି । ଏଥିରେ ୨ଜଣ ବିଦେଶୀ ଖେଳାଳିଙ୍କ ପାଇଁ ସ୍ଥାନ ଉପଲବ୍ଧ ରହିଛି । ମହମ୍ମଦ ସାମିଙ୍କ ସ୍ଥାନରେ ଘରୋଇ ପେସ୍ ବୋଲର, ଫିନିଶର ସ୍ଥାନ ପାଇଁ କିଛି ଘରୋଇ ଖେଳାଳିଙ୍କୁ କିଣିବା ଉପରେ ସନରାଇଜର୍ସ ଗୁରୁତ୍ୱ ଦେବ । ଏହା ବ୍ୟତୀତ ମଧ୍ୟ କ୍ରମ ପାଇଁ ବିଦେଶୀ ଅଲ୍‌ରାଉଣ୍ଡର କିଣିବାକୁ ଫ୍ରାଞ୍ଚାଇଜ୍ ପ୍ରୟାସ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+