ଇତିହାସ ରଚିଲେ ଭାରତୀୟ ମହିଳା ଟିମ୍; ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ଜିତିଲା ଦଳ
ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଭାରତୀୟ ମହିଳା ଦଳ ଆଜି କମାଲ କରିଛି। ଘରୋଇ ମାଟିରେ ଖେଳୁଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତି ନେଇଛି।

ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତୀୟ ମହିଳା ଦଳ ସୋଫି ଡିଭାଇନଙ୍କ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିଲା। ପରବର୍ତ୍ତୀ ଅବସ୍ଥାରେ ନ୍ୟୁଜିଲ୍ୟାଣ୍ଡ ଟି-୨୦ ବିଶ୍ୱକପ ଟ୍ରଫି ଜିତିଥିଲା। ହେଲେ ଆଜି ନ୍ୟୁଜିଲ୍ୟାଣ୍ଡକୁ ଦିନିକିଆ ସିରିଜରେ ଭାରତ ଚିତ କରି ମଧୁର ପ୍ରତିଶୋଧ ନେଇଛି।
ଦିନିକିଆ ସିରିଜ ପ୍ରଥମ ମ୍ୟାଚ୍ରେ ଭାରତ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚକୁ ନ୍ୟୁଜିଲ୍ୟାଣ୍ଡ କବଜା କରିଥିଲା। ନିର୍ଣ୍ଣାୟକ ଦିନିକିଆକୁ ଭାରତୀୟ ମହିଳା ଦଳ ୬ ୱିକେଟରେ ଜିତି ନେଇଛନ୍ତି। ଶେଷ ଦିନିକିଆରେ ଓପନର ସ୍ମୃତି ମନ୍ଧାନା ରେକର୍ଡ ଶତକ ହାସଲ କରିଥିବା ବେଳେ ଅଧିନାୟକ ହରମନପ୍ରୀତ କୌର ଅପରାଜିତ ୫୯ ରନର ଇନିଂସ ଖେଳିଛନ୍ତି।
ଏହି ଦୁହିଁଙ୍କ ବ୍ୟତୀତ ୟାସ୍ତିକା ଭାଟିଆ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ୩୫ ଓ ଜେମିମା ରୋଡ୍ରିଗ୍ସ ୨୨ ରନ କରିଛନ୍ତି। ବ୍ୟାଟରଙ୍କ ଦମରେ ଭାରତୀୟ ମହିଳା ଦଳ ନ୍ୟୁଜିଲ୍ୟାଣ୍ଡ ଦେଇଥିବା ୨୩୩ ରନର ଟାର୍ଗେଟକୁ ୩୪ ବଲ ପୂର୍ବରୁ ଜିତି ନେଇଛି। ଦଳକୁ ୩୫ ବଲରେ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ କୌର ଚୌକା ମାରି ବିଜୟ ଭେଟି ଦେଇଛନ୍ତି।












Click it and Unblock the Notifications