ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ସ୍କ୍ୱାଡ ଘୋଷଣା; ଦଳରେ କିଏ ? କିଏ ପଡ଼ିଲେ ବାଦ୍?
ବର୍ଡର-ଗାଭାସ୍କର ଟ୍ରଫି ପାଇଁ ବିସିସିଆଇ ଭାରତୀୟ ସ୍କ୍ୱାଡ ଘୋଷଣା କରିଛି । ନଭେମ୍ବର ୨୨ରୁ ପର୍ଥରେ ୫ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆରମ୍ଭ ହେବ । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମରେ ଯଶପ୍ରୀତ ବୁମ୍ରା ଉପ ଅଧିନାୟକ ଭାବେ କାର୍ଯ୍ୟ କରିବେ । ସେହିପରି ଆହତ ସମସ୍ୟା ଦେଇ ଗତି କରୁଥିବା ମହମ୍ମଦ ଶାମିଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି।
ପ୍ରଥମଥର ପାଇଁ ଯୁବ ଦ୍ରୁତ ହର୍ଷିତ ରାଣାଙ୍କୁ ସ୍କ୍ୱାଡରେ ସୁଯୋଗ ମିଳିଛି । ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ମଧ୍ୟ ପ୍ରଥମଥର ଟେଷ୍ଟ ଟିମରେ ସୁଯୋଗ ପାଇଛନ୍ତି । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ଚାଲିଥିବା ଅଭିମନ୍ୟୁ ଈଶ୍ୱରନ ସ୍କ୍ୱାଡରେ ନୂଆ ମୁହଁ ଭାବେ ସାମିଲ ହୋଇଛନ୍ତି ।
ଦଳରେ ଋଷଭ ପନ୍ତଙ୍କ ସହ ଧ୍ରୁବ ଜୁରେଲ ୱିକେଟ କିପର ଭୂମିକାରେ ରହିବେ। ଯଶସ୍ୱୀ ଜୈସୱାଲ, ଶୁବମନ ଗିଲ ଓ ବିରାଟ କୋହଲି ଟପ୍ ଅର୍ଡର ସମ୍ଭାଳିବେ। ମଧ୍ୟକ୍ରମ ବ୍ୟାଟର ଭାବେ କେଏଲ ରାହୁଲ ଓ ସର୍ଫରାଜ ଖାନଙ୍କୁ ଚୟନ କରାଯାଇଇଛି।

ବୁମ୍ରା ଓ ରାଣାଙ୍କ ବ୍ୟତୀତ ଦ୍ରୁତ ବୋଲର ଭାବେ ସ୍କ୍ୱାଡରେ ମହମ୍ମଦ ସିରାଜ, ଆକାଶ ଦୀପ ଓ ପ୍ରସିଦ୍ଧ କ୍ରିଷ୍ଣା ଅଛନ୍ତି। ରବି ଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ସ୍ପିନ ବୋଲର ଭାବେ ଦଳରେ ରହିଛନ୍ତି।
କୁଲଦୀପ ଯାଦବ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପରେ ବିସିସିଆର ଏକ୍ସିଲେନ୍ସୀ କେନ୍ଦ୍ରକୁ ଯିବେ। ସେଠାରେ ତାଙ୍କର ଆହତ ସମସ୍ୟାର ଚିକିତ୍ସା ହେବ ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ସ୍କ୍ୱାଡରେ ତାଙ୍କୁ ରଖାଯାଇ ନାହିଁ। ଅନ୍ୟତମ ବାମହାତୀ ସ୍ପିନର ଅକ୍ଷର ପଟେଲ ମଧ୍ୟ ସ୍କ୍ୱାଡରେ ନାହାନ୍ତି।
ରିଜର୍ଭ ଖେଳାଳି ଭାବେ ଦଳ ସହ ମୁକେଶ କୁମାର, ନବଦୀପ ସୈନି ଓ ଖଲୀଲ ଅହମଦ ଦଳ ସହ ଅଷ୍ଟ୍ରେଲିଆ ଗସ୍ତ କରିବେ।
ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), ଯଶପ୍ରୀତ ବୁମ୍ରା(ଉପ ଅଧିନାୟକ) ଯଶସ୍ୱୀ ଜୈସୱାଲ, ଅଭିମନ୍ୟୁ ଈଶ୍ୱରନ, ଶୁବମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ, ଧ୍ରୁବ ଜୁରେଲ, ରବି ଅଶ୍ୱିନଳ ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ନୀତୀଶ କୁମାର ରେଡ୍ଡୀ ଓ ୱାଶିଂଟନ ସୁନ୍ଦର।












Click it and Unblock the Notifications