ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ ୧୧ ରନରେ ଜିତିଲା ଭାରତ, ୨-୧ରେ ଆଗୁଆ
ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦କୁ ୧୧ ରନରେ ଜିତିନେଇଛି ଭାରତ । ଭାରତ ପକ୍ଷରୁ ଧାର୍ଯ୍ୟ ୨୨୦ ରନ୍ର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୨୦୮/୭ କରିଥିଲା। ଫଳରେ ୪ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୨-୧ରେ ଆଗୁଆ ରହିଛି।
ତିଳକ ବର୍ମାଙ୍କ ଶତକ ସହିତ ଅଭିଷେକ ଶର୍ମାଙ୍କ ଜବରଦସ୍ତ ପ୍ରତ୍ୟାବର୍ତ୍ତନ ଏହି ମ୍ୟାଚ୍ର ମୁଖ୍ୟାଂଶ ପାଲଟିଥିଲା। ତୃତୀୟ ସ୍ଥାନରେ ବ୍ୟାଟିଂ ପଦୋନ୍ନତି ପାଇଥିବା ତିଳକ ୫୧ ବଲ୍ରୁ ଶତକ ଅର୍ଜନ କରିବା ସହ ଯଶସ୍ବୀ ଜୟସ୍ବାଲ୍ଙ୍କ ପରେ ଦ୍ବିତୀୟ ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ଆନ୍ତର୍ଜାତିକ ଶତକ ଅର୍ଜନ କରିଛନ୍ତି। ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୦୭* ରନ୍ କରିଥିଲେ। ଅଫ୍ସାଇଡ୍ରେ ପଡ଼ିଥିବା ସିପମ୍ଲାଙ୍କ ବଲ୍କୁ ମିଡ୍ ଅଫ୍ରେ ଚୌକା ମାରି ଶତକୀୟ ଉତ୍ସବ ପାଳିଥିଲେ। ମ୍ୟାଚ୍ରେ ଐଦେନ ମାରକ୍ରମ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ଦ୍ବିତୀୟ ବଲ୍ରେ ସଂଜୁ ସାମ୍ସନ୍ଙ୍କୁ ଆଉଟ୍ କରି ମାର୍କୋ ୟାନ୍ସେନ୍ ଘରୋଇ ଦଳକୁ ସଫଳତା ଦେଇଥିଲେ। କିନ୍ତୁ ଅଭିଷେକଙ୍କ ସହ ତିଳକ ପିଚ୍ରେ ଯୋଗଦେବା ପରେ ସ୍କୋର ବୋର୍ଡକୁ ବିଶ୍ରାମ ମିଳି ନଥିଲା।

୭ଟି ପାଳି ପରେ ଅଭିଷେକଙ୍କ ବ୍ୟାଟ୍ ଗର୍ଜିଥିଲା। କିନ୍ତୁ ୩ ଚୌକା ଓ ୫ ଛକା ସହାୟତାରେ ଅର୍ଦ୍ଧଶତକରେ ପହଞ୍ଚିବା ପରେ ପୁଣି ଏକ ବଡ଼ ସଟ୍ ମାରିବାକୁ ଯାଇ ଷ୍ଟମ୍ପିଂ ହୋଇଯାଇଥିଲେ। ଅନ୍ୟମାନଙ୍କ ବ୍ୟାଟ୍ରୁ ବଡ଼ ରନ୍ ବାହାରି ନଥିଲେ ମଧ୍ୟ ତିଳକ ବର୍ମା ଘରୋଇ ବୋଲର୍ଙ୍କ ପାଇଁ କାଳ ସାଜିଥିଲେ। ୩୨ ବଲ୍ରୁ ଅର୍ଦ୍ଧଶତକରେ ପହଞ୍ଚିଥିବା ତିଳକ ଚୌକା, ଛକା ବର୍ଷା ଜାରି ରଖି ପରବର୍ତ୍ତୀ ୫୦ ରନ୍ ପାଇଁ ମାତ୍ର ୧୯ ବଲ୍ ଖେଳିଥିଲେ। ଆନ୍ଦିଲ ସିମିଲାନେ ଓ କେଶବ ମହାରାଜ ୨ ୱିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ।
ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ଲଢ଼େଇ କରିଥିଲେ ମଧ୍ୟ ଅର୍ଶଦୀପ ସିଂହ (୩/୩୭) ଭାରତର ବିଜୟ ମୁଣ୍ଡି ମାରିଥିଲେ। ବିଜୟ ପାଇଁ ଶେଷ ଓଭରରେ ୨୫ ରନ୍ ଆବଶ୍ୟକ ଥିବା ବେଳେ ଅର୍ଶଦୀପ ୧୩ ରନ୍ ଦେଇଥିଲେ ଓ ଦୁର୍ଦ୍ଧର୍ଷ ବ୍ୟାଟିଂ କରୁଥିବା ମାର୍କୋ ୟାନସେନ୍ (୫୪, ୧୭ ବଲ୍, ୪ ଚୌକା, ୫ ଛକା)ଙ୍କୁ ଆଉଟ୍ କରିଥିଲେ। ମଧ୍ୟକ୍ରମରେ ହେନରିକ୍ କ୍ଲାସେଁ (୪୧) ଦ୍ରୁତ ବ୍ୟାଟିଂ କରି ବୋଲର୍ଙ୍କୁ ସମସ୍ୟାରେ ପକାଇଥିଲେ ମଧ୍ୟ ଡେଥ୍ ଓଭରରେ ତାଙ୍କୁ ଅର୍ଶଦୀପ ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ। ବରୁଣ ଚକ୍ରବର୍ତ୍ତୀ (୨/୫୪), ଅକ୍ଷର ପଟେଲ୍ (୧/୨୯) ଓ ପାଣ୍ଡ୍ୟା (୧/୫୦) ବିଜୟର ଅନ୍ୟତମ ସୂତ୍ରଧର ଥିଲେ।
ସଂକ୍ଷିପ୍ତ ସ୍କୋର୍: ଭାରତ ୨୦ ଓଭରରେ-୨୧୯/୬ (ତିଳକ ବର୍ମା ୧୦୭*, ଅଭିଷେକ ଶର୍ମା ୫୦, ହାର୍ଦିକ ପାଣ୍ଡ୍ୟା ୧୮, ରମଣଦୀପ ସିଂହ ୧୫, ଆନ୍ଦିଲ ସିମେଲାନ୍ ୨/୩୪, କେଶବ ମହାରାଜ ୨/୩୬)। ଦକ୍ଷିଣ ଆଫ୍ରିକା୨୦ ଓଭରରେ ୨୦୮/୭ (ମାର୍କୋ ୟାନସେନ୍-୫୪, ହେନରିକ୍ କ୍ଲାସେଁ-୪୧, ଐଦେନ ମାରକ୍ରମ-୨୯, ଅର୍ଶଦୀପ ସିଂହ-୩/୩୭, ବରୁଣ ଚକ୍ରବର୍ତ୍ତୀ-୨/୫୪, ଅକ୍ଷର ପଟେଲ-୧/୨୯)।












Click it and Unblock the Notifications