ଆସନ୍ତା ବର୍ଷ କଟକ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦
ଆସନ୍ତାବର୍ଷ ଅର୍ଥାତ୍ ୨୦୨୨, ଫେବୃଆରୀ ୧୫ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍। ତେବେ ମ୍ୟାଚ ଖେଳାଯିବା ନେଇ ସ୍ପଷ୍ଟ କରିଛନ୍ତି ଓସିଏ ସମ୍ପାଦକ ସଂଜୟ ବେହେରା।
କଟକ: ଓଡ଼ିଶାକୁ ଫେରିଲା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ଦୀର୍ଘଦିନର ବ୍ୟବଧାନ ପରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ କ୍ରିକେଟ । ନିକଟରେ ଭାରତୀୟ କ୍ରିକେଟ୍ ଦଳର ଘରୋଇ ଶୃଙ୍ଖଳାର ଖେଳସୂଚୀ ପ୍ରସ୍ତୁତ ହୋଇଛି । ଏଥିରେ ବାରବାଟୀକୁ ମଧ୍ୟ ଭେନ୍ୟୁ ଭାବେ ଚୟନ କରାଯାଇଛି ।

ଆସନ୍ତାବର୍ଷ ଅର୍ଥାତ୍ ୨୦୨୨, ଫେବୃଆରୀ ୧୫ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍। ତେବେ ମ୍ୟାଚ ଖେଳାଯିବା ନେଇ ସ୍ପଷ୍ଟ କରିଛନ୍ତି ଓସିଏ ସମ୍ପାଦକ ସଂଜୟ ବେହେରା।
ଘରୋଇ ସିଜିନ ତାଲିକା
ଆସନ୍ତାବର୍ଷ ୱେଷ୍ଟଇଣ୍ଡିଜ୍ ଭାରତ ଗସ୍ତରେ ତିନୋଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବାକୁ ଆସିବ। ପ୍ରଥମେ ଦିନିକିଆ ସିରିଜ୍ ଖେଳାଯିବ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୬ରେ ଅହମ୍ମଦାବାଦ, ଦ୍ୱିତୀୟ ମ୍ୟାଚ୍ ଜୟପୁରରେ ଫେବୃଆରୀ ୯ ଏବଂ ତୃତୀୟ ଦିନିକିଆ କୋଲକାତାରେ ଫେବୃଆରୀ ୧୨ ତାରିଖରେ ଅନୁଷ୍ଠିତ ହେବ। ଏହା ପରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ କଟକରେ ଖେଳାଯିବ। ଏହା ପରେ ବାକି ଦୁଇଟି ମ୍ୟାଚ୍ ଫେବୃଆରୀ ୧୮ ଓ ୨୦ ତାରିଖରେ ଯଥାକ୍ରମେ ବିଶାଖାପାଟଣା ଓ ଥିରୁବନନ୍ତପୁରମରେ ଖେଳାଯିବ।

ଘରୋଇ ସିଜିନରେ ଭାରତ ୪ ଟେଷ୍ଟ, ୩ ଦିନିକିଆ ଏବଂ ୧୪ ଟି-୨୦ ମ୍ୟାଚ୍ ଖେଳିବ। ଏହାରି ଭିତରେ ନ୍ୟୁଜିଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଟିମ୍ ଭାରତ ଗସ୍ତରେ ଆସି ଦ୍ୱିପାକ୍ଷିକ ସିରିଜ୍ ଖେଳିବେ। ସେହିପରି ଏପ୍ରିଲ୍ ମାସରେ ଆଇପିଏଲ ଆରମ୍ଭ ହେବ । ଭାରତର ଘରୋଇ ସିଜନର ଶୁଭାରମ୍ଭ ନଭେମ୍ବରରୁ ଆରମ୍ଭ ହେବ ଏବଂ ଏହା ଜୁନ୍ ୧୯ ତାରିଖ ଯାଏ ଚାଲିବ।
ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଘରୋଇ ସିରିଜ ଖେଳିବା ଭାରତ । ଏଥିରେ ସାମଲ ରହିଛି 3ଟି ଟି-20 ଓ ଦୁଇଟି ଟେଷ୍ଟ ମ୍ୟାଚ । ଟି-୨୦ ବିଶ୍ୱକପର ଠିକ୍ ତିନି ଦିନ ପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜ୍ ଆରମ୍ଭ ହେବ। ତିନିମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜୟପୁରରେ ନଭେମ୍ବର ୧୭ ତାରିଖରେ ଖେଳାଯିବ। ଏହା ପରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରାଞ୍ଚି ଏବଂ ତୃତୀୟ ଟି-୨୦ କୋଲକାତାରେ ଖେଳାଯିବ। ଟି-୨୦ ପରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟ କାନପୁରରେ ନଭେମ୍ବର ୧୫ ଏବଂ ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୩ ତାରିଖରୁ ମୁମ୍ବାଇରେ ଆରମ୍ଭ ହେବ।
ଆସନ୍ତା ବର୍ଷ ଫେବୃଆରୀରେ ପୁଣି ଘରୋଇ ସିଜନ୍ ଆରମ୍ଭ ହେବ। ଯାହା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ରହିଛି । ଏହା ପରେ ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ଦୁଇଟି ଟେଷ୍ଟ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ। ଉଭୟ ଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୫ରୁ ମାର୍ଚ୍ଚ ୧ ତାରିଖ ଯାଏ ବେଙ୍ଗାଲୁରୁ ଏବଂ ଦ୍ୱିତୀୟ ଟେଷ୍ଟ ମୋହାଲିରେ ମାର୍ଚ୍ଚ ୫ରୁ ୯ ଯାଏ ଖେଳାଯିବ। ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୧୩ରେ ମୋହାଲି, ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୧୫ରେ ଧର୍ମଶାଳା ଏବଂ ତୃତୀୟ ମ୍ୟାଚ୍ ମାର୍ଚ୍ଚ ୧୮ରେ ଲକ୍ଷ୍ନୌରେ ଖେଳାଯିବ।

ଶ୍ରୀଲଙ୍କା ଯିବା ପରେ ଭାରତରେ ଏପ୍ରିଲ ମାସରେ ଆଇପିଏଲର ୧୫ଶ ସଂସ୍କରଣ ଆରମ୍ଭ ହେବ। ଯେହେତୁ ଆଇପିଏଲର ଏହି ନୂଆ ସଂସ୍କରଣରେ ୧୦ ଟିମ୍ ଭାଗ ନେବେ, ତେଣୁ ଟୁର୍ଣ୍ଣାମେଣ୍ଟ ଆହୁରି ଲମ୍ବା ହୋଇପାରେ। ଆଇପିଏଲ୍ ପରେ ଜୁନ୍ ମାସରେ ଦକ୍ଷିଣ ଆଫ୍ରିକା ଟିମ୍ ଗସ୍ତ ଗସ୍ତ କରି ଏଠାରେ ପାଞ୍ଚଟି ଟି-୨୦ ମ୍ୟାଚ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ଜୁନ୍ ୯ ତାରିଖରେ ଚେନ୍ନାଇ, ଦ୍ୱିତୀୟ ମ୍ୟାଚ୍ ଜୁନ୍ ୧୨ରେ ବେଙ୍ଗାଲୁରୁ, ତୃତୀୟ ମ୍ୟାଚ୍ ଜୁନ୍ ୧୪ରେ ନାଗପୁର, ଚତୁର୍ଥ ମ୍ୟାଚ୍ ଜୁନ୍ ୧୭ରେ ରାଜକୋଟ ଏବଂ ପଞ୍ଚମ ମ୍ୟାଚ୍ ଜୁନ୍ ୧୯ ତାରିଖରେ ଦିଲ୍ଲୀରେ ଖେଳାଯିବ।
ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ
ଶେଷଥର ଲାଗି ଡିସେମ୍ବର ୨୨, ୨୦୧୯ରେ ବାରବାଟୀରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ଯାହା ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ୪ ୱିକେଟରେ ବିଜୟୀ ହୋଇଥିଲା। ଏହାର ଦୁଇ ବର୍ଷ ପରେ ପୁଣିଥରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ଦାୟିତ୍ୱ ମିଳିଛି ।

ବାରବାଟୀରେ ଏପର୍ଯ୍ୟନ୍ତ ମାତ୍ର ଦୁଇଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଛି। ୨୦୧୫, ଅକ୍ଟୋବର ୫ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ହେଲେ ଏହି ମ୍ୟାଚରେ ଭାରତ ଶୋଚନୀୟ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ନିକଟରୁ ୬ ୱିକେଟରେ ପରାସ୍ତ ହୋଇଥିଲା। ଏହା ପରେ ୨୦୧୭ ମସିହା ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ତେବେ ଏହି ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରି ୯୩ ରନରେ ବିଜୟ ଲାଭ କରିଥିଲା।
ବାରବାଟୀରେ ଭାରତ ୧୯ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଛି, ଯେଉଁଥିରୁ ୧୩ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି। କିନ୍ତୁ ଦୁଇଟି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ସେହିପରି ଏଠାରେ ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳାଯାଇଥିଲା, ଯେଉଁଥିରେ ଭାରତ ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଡ୍ର' ହୋଇଛି। ବାରବାଟୀରେ ଏଯାଏ ମାତ୍ର ଦୁଇଟି ଟି-୨୦ ମ୍ୟାଚର ଆୟୋଜନ ହୋଇଛି। ଏଥିରୁ ଭାରତ ଗୋଟିଏରେ ଜିତିଥିବା ବେଳେ ଗୋଟିଏରେ ହାରିଛି।












Click it and Unblock the Notifications