ଆଜି ଇଣ୍ଡିଆ-ଇଣ୍ଡିଜ୍ ୧୦୦ ତମ ଟେଷ୍ଟ: କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ, ବିରାଟ୍ ରେକର୍ଡ କରିବେ କୋହଲି
IND vs WI, 2nd Test: ଭାରତ ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଆଜି ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ ଖେଳାଯିବ । ତ୍ରିନିଦାଦରେ ଉଭୟ ଦଳ ମୁହାଁମୁହିଁ ହେବେ । ତେବେ ଉଭୟ ଟିମ୍ ମଧ୍ୟରେ ୨ୟ ଟେଷ୍ଟ ଐତିହାସିକ ହେବାକୁ ଯାଉଛି । କାରଣ ୧୦୦ ତମ ଟେଷ୍ଟ ଖେଳିବେ ଉଭୟ ଟିମ୍ ।
ଏହି ଟେଷ୍ଟ ସିରିଜରେ ବିଜୟ ସହ ଭାରତ ୧-୦ରେ ଆଗୁଆ ରହିଛି । ଡୋମିନିକାରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଗୋଟିଏ ଇନିଂସ ଏବଂ ୧୪୧ ରନରେ ଜିତିଥିଲା । ତେଣୁ ଭାରତ ଦ୍ବିତୀୟ ମ୍ୟାଚ ଜିତି ସିରିଜ କ୍ଲିନ୍ସୁଇପ୍ ଲକ୍ଷ୍ୟରେ ରହିଛି । ଅନ୍ୟପଟେ ମାତ୍ର ୪ ଦିନ ଭିତରେ ପ୍ରଥମ ମ୍ୟାଚ ହାରିଥିବା ଘରୋଇ ୱେଷ୍ଟଇଣ୍ଡିଜ୍ ପାଇଁ ଏହି ମ୍ୟାଚ ନିଶ୍ଚିତ ଏକ ଆହ୍ବାନ ପରି ହେବ ।

୧୦୦ ତମ ଟେଷ୍ଟ
ଭାରତ ଏବଂ ୱେଷ୍ଟଇଣ୍ଡିଜ ଏପର୍ଯ୍ୟନ୍ତ ୯୯ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ୱେଷ୍ଟଇଣ୍ଡିଜ ୩୦ ଏବଂ ଭାରତ ୨୩ଟି ଜିତିଛି । ୪୬ ଟେଷ୍ଟ ମ୍ୟାଚ ଡ୍ର ହୋଇଛ । ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ବିଗତ ୨୧ ବର୍ଷ ଭିତରେ ଗୋଟିଏ ବି ମ୍ୟାଚ ଜିତି ନାହିଁ । ୨୦୦୨ରେ ଭାରତକୁ ୱେଷ୍ଟଇଣ୍ଡିଜ୍ ଶେଷ ଥର ପାଇଁ ହରାଇଥିଲା । ଏହା ପରଠାରୁ ଉଭୟ ଦଳ ୨୪ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୧୫ଟି ଜିତି ଅବଶିଷ୍ଟ ୯ଟିକୁ ଅମୀମାଂସିତ ରଖିଛି ।
ବିରାଟ୍ ରେକର୍ଡ କରିବେ କୋହଲି
ସେପଟେ ଆଜି କ୍ୟାରିୟରର ୫୦୦ତମ ଆନ୍ତର୍ଜାତିକ ମ୍ୟାଚ ଖେଳିବେ ବିରାଟ କୋହଲି । ପ୍ରଥମ ଟେଷ୍ଟ୍ରେ ୭୬ ରନ୍ କରିଥିବା ବିରାଟ କୋହଲିଙ୍କଠାରୁ ୨୦୧୮ ମସିହା ପରେ ବିଦେଶରେ ପ୍ରଥମ ଶତକ ଆଶା କରାଯାଉଛି । ତୃତୀୟ ଭାରତୀୟ ଭାବେ ଯଶସ୍ବୀ ଜୟସ୍ବାଲ ପଦାର୍ପଣରେ ୧୫୦ରୁ ଅଧିକ ରନ୍ ପାଳି ଖେଳିଥିବାରୁ ଏଠାରେ ମଧ୍ୟ ଅନୁରୂପ ଆଶା ରହିବ ।
କେଉଁଠି ଓ କେତେବେଳେ ଦେଖିବେ ମ୍ୟାଚ ?
ଭାରତ ବନାମ ୱେଷ୍ଟଇଣ୍ଡଜ୍ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଭାରତୀୟ ସମୟରେ ୭.୩୦ରୁ ଆରମ୍ଭ ହେବ । ଡିଡି ସ୍ପୋର୍ଟସରେ ଏହାର ସିଧା ପ୍ରସାରଣ ହେବ। ଏହି ମ୍ୟାଚ ଜିଓ ସିନେମା ଏବଂ ଫାନକୋଡ ଆପ ଏବଂ ୱେବସାଇଟରେ ଦେଖି ପାରିବେ । ଜିଓ ସିନେମା ଆପ କିମ୍ବା ୱେବସାଇଟରେ ଆପଣ ମାଗଣାରେ ମ୍ୟାଚ ଦେଖି ପାରିବେ ।












Click it and Unblock the Notifications