Women's World Cup: ଆଜି ମହିଳା ବିଶ୍ଵକପ ଫାଇନାଲ୍ , ବିଶ୍ବ ଚମ୍ପିୟାନ ଲକ୍ଷ୍ୟରେ ଭାରତ

ମହିଳା କ୍ରିକେଟ୍ ବିଶ୍ବକପ୍‌ର ବହୁ ପ୍ରତୀକ୍ଷିତ ଫାଇନାଲ୍‌ରେ ରବିବାର ସହଆୟୋଜକ ଭାରତ ଏବଂ ପ୍ରଥମ ଥର ଫାଇନାଲ୍ ଖେଳିବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। ସେଥିପାଇଁ ଭାରତୀୟ ମହିଳା କ୍ରିକେଟ୍ ଏବେ ମହତ୍ତ୍ବପୂର୍ଣ୍ଣ ତଥା ଗୌରବମୟ ମୋଡ଼ରେ ରହିଛି।

ରବିବାର ଏଥିରେ ସଫଳତାର ନୂଆ ଅଧ୍ୟାୟ ଯୋଡ଼ିହେବାର ସମ୍ଭାବନା ରହିଛି। ୧୪୫ କୋଟି ଭାରତୀୟଙ୍କ ଶୁଭେଚ୍ଛା ଓ ଶୁଭ ଆଶୀର୍ବାଦକୁ ନେଇ ହରମନପ୍ରୀତ୍ କୌରଙ୍କ ଦଳ ନବି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ନୂଆ ଇତିହାସ ରଚିବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। କପିଳ ଦେବଙ୍କ ଅପରିଚିତ ବାହିନୀର ୧୯୮୩ ମସିହା ଐତିହାସିକ ପୁରୁଷ ବିଶ୍ବକପ୍ ବିଜୟ ମୁହୂର୍ତ୍ତକୁ ପାଥେୟ କରି ପ୍ରଥମ ଥର ବିଶ୍ବକପ୍ ଜିତି ଭାରତୀୟ ମହିଳା କ୍ରିକେଟ୍‌ରେ ନୂଆ ଗୌରବଗାଥା ଯୋଡ଼ିବାକୁ ଚେଷ୍ଟା କରିବ। ‌ତୃତୀୟ ଥର ଫାଇନାଲ୍ ଖେଳିବାକୁ ଯାଉଥିବା ଟିମ୍ ଇଣ୍ଡିଆ ବିଜୟୀ ହେଲେ କାହିଁ କେତେ କାଳର ବିଶ୍ବକପ୍ ଟ୍ରଫି ମରୁଡ଼ି ଦୂର କରିବ। ଦକ୍ଷିଣ ଆଫ୍ରିକା ବିଜୟୀ ହେଲେ ପ୍ରଥମ ଥର କୌଣସି ବର୍ଗର ବିଶ୍ବକପ୍ ହାସଲ କରିବ। କିନ୍ତୁ ଗୋଟିଏ କଥା ନିଶ୍ଚିତ, ଯିଏ ଜିତିଲେ ବି ମହିଳା କ୍ରିକେଟ୍‌କୁ ନୂଆ ବିଜେତା ମିଳିବ। ଏହି ଫାଇନାଲ୍ ଟକ୍କରକୁ ନେଇ ପ୍ରଶଂସକମାନେ ଢେର୍‌ ଉତ୍ସୁକ ଅଛନ୍ତି।

ଜିତିଲେ ୧୨୫ କୋଟି ପାଇବ ହର୍ମନ୍‌ପ୍ରୀତ୍‌ଙ୍କ ଦଳ
ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ପରେ ବିସିସିଆଇ ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୧୨୫ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲା। ରବିବାର ଯଦି ହରମନ୍‌ପ୍ରୀତ୍ କୌରଙ୍କ ସହ ମହିଳା ବିଶ୍ବକପ୍ ଫାଇନାଲ୍ ଜିତେ, ତାହେଲେ ବିସିସିଆଇ ସମାନ ୧୨୫ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିବ। ଫାଇନାଲ୍‌ର ଗୋଟିଏ ଦିନ ପୂର୍ବରୁ ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ଏହି ସଙ୍କେତ ଦେଇଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ୨୦୧୭ ମସିହାରେ ଇଂଲଣ୍ଡଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିବା ବେଳେ ଭାରତୀୟ ଦଳର ତତ୍‌କାଳୀନ ସଦସ୍ୟଙ୍କୁ ବିସିସିଆଇ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦେଇଥିଲା। ପ୍ରଶିକ୍ଷକ ତୁଷାର ଆରୋଥେ ଓ ଅନ୍ୟ ସହକାରୀ ଅଧିକାରୀମାନେ ମଧ୍ୟ ମୋଟା ଅଙ୍କ ପାଇଥିଲେ। ଏଥର ଯଦି ଭାରତ ବିଜେତା ହୁଏ, ଦଳର ପ୍ରତ୍ୟେକ ଖେଳାଳିଙ୍କଠାରୁ ଆରମ୍ଭ କରି ପ୍ରଶିକ୍ଷକ ଅମୋଲ ମଜୁମଦାର ଏବଂ ଅନ୍ୟ ସହକାରୀ ଅଧିକାରୀମାନେ ଏକାଧିକ କୋଟି ଟଙ୍କାର ପୁରସ୍କାର ଲାଭ କରିବେ। ଏହି ବିଷୟରେ ସୂଚନା ଦେବାକୁ ଯାଇ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିସିସିଆଇ ଲିଙ୍ଗଗତ ସମାନତାରେ ବିଶ୍ବାସ କରେ। ଏଣୁ ମହିଳା ଦଳ ବିଜେତା ହେଲେ ପୁରୁଷ ଦଳ ଭଳି ୧୨୫ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଲାଭ କରିବା ଏକପ୍ରକାର ନିଶ୍ଚିତ।

India vs South Africa

ଭାରତ ତୃତୀୟ ଥର ପାଇଁ ଫାଇନାଲ୍‌ ଖେଳିବାକୁ ଯାଉଥିବାରୁ ଏହି କ୍ଷେତ୍ରରେ ଦକ୍ଷିଣ ଆଫ୍ରିକାଠାରୁ ଆଗରେ ରହିଛି। କାରଣ ଦକ୍ଷିଣ ଆଫ୍ରିକା ପୂର୍ବରୁ କେବେବି ଫାଇନାଲ୍‌କୁ ଆସିନଥିଲା। ଭାରତ ୨୦୦୫ ଓ ୨୦୧୭ରେ ଫାଇନାଲ୍ ଖେଳିଥିଲେ ମଧ୍ୟ ଯଥାକ୍ରମେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡଠାରୁ ହାରି ଉପବିଜେତା ହୋଇଥିଲା। ଏଥର କିନ୍ତୁ ହର୍ମନପ୍ରୀତ୍‌ କୌରଙ୍କ ଦଳ ଘରୋଇ ମାଟିରେ ଦଶନ୍ଧି ଦଶନ୍ଧି ତଳର ପ୍ରତୀକ୍ଷାରେ ଅନ୍ତ ଘଟାଇବ ବୋଲି ବିଶ୍ବାସ ବଢ଼ିଛି। ୭ ଥର ବିଜେତା ଅଷ୍ଟ୍ରେଲିଆ ବିପକ୍ଷରେ ୩୩୮ ରନ୍‌କୁ ପିଛା କରି ଭାରତ ସେମିଫାଇନାଲ୍‌ ଜିତିଥିବାରୁ ଏବେ ଭାରତୀୟ ଖେଳାଳିଙ୍କ ମନୋବଳ ବି ଆକାଶଛୁଆଁ ରହିଛି। ଦକ୍ଷିଣ ଆଫ୍ରିକା ମଧ୍ୟ ଭଲ ସମୟ ଦେଇ ଗତି କରିଛି। ନିଜ ପ୍ରଥମ ଓ ଶେଷ ଲିଗ୍‌ ମ୍ୟାଚ୍‌ ହାରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍‌ରେ ଅନ୍ୟତମ ଦାବିଦାର ଇଂଲଣ୍ଡକୁ ମାତ୍‌ ଦେଇ ଫାଇନାଲ୍‌କୁ ଆସିଛି। ରାଉଣ୍ଡ୍‌ ରବିନ୍ ଫର୍ମାଟରେ ଖେଳାଯାଇଥିବା ଲିଗ୍ ମୁକାବିଲା ବେ‌ଳେ ଭାରତ କିନ୍ତୁ ଦକ୍ଷିଣ ଆଫ୍ରିକାଠାରୁ ହାରିଯାଇଥିଲା। ଏହାର ମଧୁର ପ୍ରତିଶୋଧ ନେଇ ଭାରତ ଟ୍ରଫି ସ୍ବପ୍ନ ସାକାର କରିବ ବୋଲି କୋଟି କୋଟି ଭାରତୀୟ ପ୍ରାର୍ଥନା କରୁଛନ୍ତି। ଭାରତ ସପକ୍ଷରେ ବି ଘରୋଇ ପରିବେଶ, ପଡ଼ିଆ, ପ୍ରଶଂସକ ଆଦିର ଫାଇଦା ରହିବ।

ଶେଷ ୧୦ରେ ୫-୫
ଏସିଆ ଓ ଆଫ୍ରିକାର ଏହି ଦୁଇ ଦେଶ ଅତୀତରେ ୩୪ଟି ମ୍ୟାଚ୍‌ ଖେଳିଛନ୍ତି ଦିନିକିଆ ଫର୍ମାଟ୍‌ରେ। ଭାରତ ୨୦ଟି ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା ୧୩ଟି ଜିତିଛି। ଗୋଟିଏରୁ ଫଳାଫଳ ବାହାରି ପାରିନାହିଁ। ତେବେ ଶେଷ ୧୦ ମହିଳା ଦିନିକିଆ ମଧ୍ୟରୁ ଉଭୟ ୫-୫ରେ ଥିବାରୁ ସ୍ଥିତି ବରାବର ରହିଛି। କିନ୍ତୁ ଏହା ଶେଷ ୫କୁ ନେଇ ଆସିଲେ ଭାରତ ୪-୧ରେ ଆଗୁଆ ରହିଛି। ଏକମାତ୍ର ପରାଜୟ ଚଳିତ ବିଶ୍ବକପ୍‌ର ଲିଗ୍ ପର୍ଯ୍ୟାୟରେ ବରଣ କରିଛି।

ଅତୀତ ରେକର୍ଡ ବି ଭାରତ ସପକ୍ଷରେ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ୧୨୭* ରନ୍‌ର ଅବିଶ୍ବସନୀୟ ପାଳି ଖେଳିଥିବା ଜେମିମା ରଡ୍ରିଗ୍ସଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଲିଗ୍ ପର୍ଯ୍ୟାୟରେ ଭାରତକୁ ଦକ୍ଷିଣ ଆଫ୍ରିକା ହରାଇଥିବାରୁ ଫାଇନାଲ୍‌ରେ ଏହାର ପ୍ରତିଶୋଧ ନେବାର ସୁଯୋଗ ଘରୋଇ ଦଳ ପାଖରେ ରହିବ। ଶେଫାଳି ବର୍ମା, ସ୍ମୃତି ମନ୍ଧାନା, ହରମନପ୍ରୀତ୍, ଦୀପ୍ତି ଶର୍ମା, ରିଚା ଘୋଷଙ୍କ ପ୍ରଦର୍ଶନ ଭାରତ ପାଇଁ ନିର୍ଣ୍ଣାୟକ ହେବ। ଦକ୍ଷିଣ ଆଫ୍ରିକା ଏହାର ଅଭିଜ୍ଞ ମାରିଜାନ କାପଙ୍କ ସହ, ନାଦିନ ଡି କ୍ଲାର୍କ, ତାଜମିନ ବ୍ରିଟ୍ସ ଏବଂ ଅଧିନାୟିକା ଲୌରା ଓଲଭାର୍ଟଙ୍କ ଉପରେ ନିର୍ଭରଶୀଳ ରହିବ।

ଭାରତୀୟ ଦଳ ସହ ଥିବା ୩ ପୁରୁଷ କ୍ରିକେଟର୍ ଅମୋଲ ମଜୁମଦାର (ମୁଖ୍ୟ ପ୍ରଶିକ୍ଷକ), ଆବିଷ୍କାର ସାଲ୍‌ଭି (ବୋଲିଂ ପ୍ରଶିକ୍ଷକ), ମୁନୀଷ ବାଲି (ଫିଲ୍‌ଡିଂ ପ୍ରଶିକ୍ଷକ)ଙ୍କ ଯୋଗଦାନ ବି ଏବେ ଚର୍ଚ୍ଚାରେ ରହିଛି। ଅଭିଜ୍ଞ ଶୀର୍ଷକ୍ରମ, ନିର୍ଭରଯୋଗ୍ୟ ବୋଲିଂ ୟୁନିଟ୍‌, ସଂଗତିପୂର୍ଣ୍ଣ ମଧ୍ୟକ୍ରମ ବ୍ୟାଟିଂରେ ସ୍ମୃତି ମନ୍ଧାନା ଓ ହର୍ମନପ୍ରୀତ୍ କୌରଙ୍କ ଉପସ୍ଥିତି ଭାରତର ବଡ଼ ସାମର୍ଥ୍ୟ। ଦକ୍ଷିଣ ଆଫ୍ରିକା ପାଇଁ ସନ୍ତୁଳିତ ସ୍ପିନ୍ ଆକ୍ରମଣ, ଲୌରା ଓଲଭର୍ଟଙ୍କ ଭଲ ନେତୃତ୍ବ ଏବଂ ନାଦିନ୍ ଡି'କ୍ଲାର୍କଙ୍କ ଫିନିସିଂ କ୍ଷମତା ସମ୍ଭାବନା ସୃଷ୍ଟି କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+