T20 World Cup Final: ଟି-୨୦ ବିଶ୍ବକପ ଫାଇନାଲରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର
କ୍ରିକେଟ୍ ଇତିହାସରେ ଆଉ ଏକ ବିଶ୍ବକପ୍ ତୋଳି ଧରିବା ପାଇଁ ଟିମ ଇଣ୍ଡିଆକୁ ମିଳିଛି ପୁଣି ଏକ ସୁଯୋଗ । ଆଜି (ଶନିବାର) ଭାରତୀୟ ସମୟ ରାତି ୮ଟାରେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପୂର୍ବରୁ ଖେଳାଯାଇଥିବା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟରୁ ଭାରତ ଆଗରେ ରହିଛି। ମୋଟ୍ ୨୬ ଥର ମୁହାଁମୁହିଁରେ ଭାରତ ୧୪ ଓ ଦକ୍ଷିଣ ଆଫ୍ରିକା ୧୧ ବିଜୟ ପାଇଛି। ଗୋଟିଏ ମ୍ୟାଚର ଫଳାଫଳ ଆସିନି।
ପରସ୍ପରକୁ ୬ ଥର ଭେଟିଛନ୍ତି
ସେହିପରି ଟ୍ବେଣ୍ଟି-୨୦ ବିଶ୍ବକପ୍ ଇତିହାସରେ ଏହି ଦୁଇ ଦଳ ପରସ୍ପରକୁ ୬ ଥର ଭେଟିଛନ୍ତି। ଯେଉଁଥିରୁ ଭାରତ ସର୍ବାଧିକ ୪ଥର ବିଜୟୀ ହୋଇଥିଲା। ତେବେ ଗତ ୫ ମୁକାବିଲା ମଧ୍ୟରୁ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍ ଜିତି ଭାରତକୁ ଆହ୍ବାନ ଦେବାକୁ ପ୍ରସ୍ତୁତ ହୋଇଛି । ଭାରତ ୧୦ ବର୍ଷ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ଖେଳିବାକୁ ଯାଉଥିବାରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଭଲରେ ବିଦାୟ ନେବାର ବଡ଼ ସୁଯୋଗ ମଧ୍ୟ ରହିଛି। ଶେଷ ଥର ପାଇଁ ଭାରତ ୨୦୧୩ରେ ଏକ ଆଇସିସି ଟ୍ରଫି ଜିତିଥିବାରୁ ମଧ୍ୟ ଏକ ଦଶନ୍ଧିର ଟ୍ରଫି ମରୁଡ଼ି ଅନ୍ତ ଘଟାଇବା ଆଶା ରଖିଛନ୍ତି ପ୍ରଶଂସକ।

ଅନ୍ୟପକ୍ଷରେ ବାର୍ବାଡସ୍ର ବ୍ୟାଟିଂକୁ ସହାୟତା ମିଳୁଥିବା ପିଚ୍ରୁ ହାରାହାରି ରନ୍ ୧୬୭ ରହୁଛି। ପ୍ରଥମେ ବ୍ୟାଟିଂ କରୁଥିବା ଦଳ ହାରାହାରି ୧୮୪ ରନ୍ ସଂଗ୍ରହ କରୁଥିବା ବେଳେ ଚଳିତ ବିଶ୍ବକପ୍ରେ ହାରାହାରି ପ୍ରଥମ ପାଳି ସ୍କୋର ହେଉଛି ୧୫୦ ରନ୍ । କେବଳ ଏତିକି ନୁହେଁ, ଦ୍ରୁତ ବୋଲରଙ୍କୁ ଏଠାରେ ସବୁଠୁ ଅଧିକ ସଫଳତା ମିଳିବ ବୋଲି ରେକର୍ଡ କହୁଛି।
୨୦୨୨ ପରଠୁ ଏଠାରେ ୨୦ ମ୍ୟାଚ୍ ଖେଳାଯାଇଥିଲା ବେଳେ ସ୍ପିନରମାନେ ୯୯ ୱିକେଟ୍ ନେଇଛନ୍ତି। ଦ୍ରୁତ ବୋଲରମାନେ ୧୪୫ ୱିକେଟ୍ ପାଇଛନ୍ତି। କିନ୍ତୁ ବାର୍ବାଡସ୍ରେ ଫାଇନାଲ୍ ମ୍ୟାଚ୍ ଦିନ ୭୦ ପ୍ରତିଶତ ବର୍ଷା ହେବାକୁ ଥିଲା ବେଳେ ପର୍ଯ୍ୟାୟକ୍ରମେ ବର୍ଷାର ପରିମାଣ କମିବ। ଏଥିସହ ଫାଇନାଲ୍ ପାଇଁ ଆଉ ଏକ ସଂରକ୍ଷିତ ଦିବସ ଥିବାରୁ ପୂର୍ଣ୍ଣାଙ୍ଗ ମ୍ୟାଚ୍ ଦେଖିବାକୁ ମିଳିପାରେ।
୨୦୦୭ରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିଲା
ପ୍ରଥମ ସଂସ୍କରଣ ବିଜେତା ଭାରତ ସହିତ ପ୍ରଥମ ଥର କୌଣସି ଆଇସିସି ଇଭେଣ୍ଟ୍ ଫାଇନାଲ୍ରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ୍ ଟକ୍କରକୁ ନେଇ ଉଭୟ ଦେଶର ଫ୍ୟାନସ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଟିମ୍ ଇଂଡିଆ ବିଶ୍ବକପ୍ ଜିତିଲେ ଦିନିକିଆ ଭଳି ଟ୍ବେଣ୍ଟି-୨୦ରେ ମଧ୍ୟ ଦ୍ବିତୀୟ ଥର ଏହି ଟ୍ରଫି ଆଣିପାରିବ । ଭାରତ ୧୯୮୩ ଓ ୨୦୧୧ରେ ଦିନିକିଆା ବିଶ୍ବକପ୍ ଏବଂ ୨୦୦୭ରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିଲା ।












Click it and Unblock the Notifications