ଭାରତ ବନାମ ନ୍ୟୁଜିଲାଣ୍ଡ: ୧୪୩ ରନ ଆଗରେ ନ୍ୟୁଜିଲାଣ୍ଡ, ବିଶ୍ଵ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଲ ପାଇଁ କର ବା ମର !
ରୋମାଞ୍ଚକର ସ୍ଥିତିରେ ମୁମ୍ବାଇ ଟେଷ୍ଟ । ପାଇଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ଖେଳୁଥିବା ଟିମ ଇଣ୍ଡିଆ ଅପେକ୍ଷାକୃତ ସହଜ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ୨୮ ରନର ଗୁରୁତ୍ୱପୂର୍ଣ୍ଣ ଲିଡ୍ ପାଇଥିବା ଭାରତ ଦ୍ୱିତୀୟ ଇନିଂସରେ ନ୍ୟୁଜିଲ୍ୟାଣ୍ଡର ୯ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଛି ।
ଦ୍ୱିତୀୟ ଦିନରେ ମୋଟ ୧୫ଟି ୱିକେଟ ଝଡ଼ିଛି । ପ୍ରଥମ ଦିନରେ ୧୪ଟି ୱିକେଟ ଝଡ଼ିଥିଲା। ତେଣୁ ମୁମ୍ବାଇର ୱାଙ୍ଖେଡେ ପିଚ୍ ବୋଲରଙ୍କୁ ସୁହାଇବାରେ ଲାଗିଛି। ଭାରତ ଦ୍ୱିତୀୟ ଦିନରେ ତା'ର ପ୍ରଥମ ଇନିଂସରେ ୬ଟି ୱିକେଟ ହରାଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ୯ ଜଣ ବ୍ୟାଟର ଆଉଟ ହୋଇଛନ୍ତି।
ଦ୍ୱିତୀୟ ଦିନର ଖେଳ ଶେଷ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ତା'ର ଦ୍ୱିତୀୟ ଇନିଂସରେ ୯ ୱିକେଟ ହରାଇ ୧୭୧ ରନ କରିଛି। ଦିବସର ଶେଷ ବ୍ୟାଟର ଭାବେ ମ୍ୟାଟ ହେନରୀ ୧୦ ରନ କରି ଆଉଟ ହେବା ପରେ ଅମ୍ପାୟାର ଷ୍ଟମ୍ପ ଅପସାରଣ କରିଛନ୍ତି। ଏହି ସମୟରେ ଏଜାଜ ପଟେଲ ୭ ରନ କରି ରହିଥିଲେ।
ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟରେ ବଲରେ କମାଲ କରିଛନ୍ତି ରବୀନ୍ଦ୍ର ଜାଡେଜା। ସେ ଏକାକୀ ୪ ୱିକେଟ ନେଇଥିବା ବେଳେ ତାଙ୍କ ସିନିୟର ଯୋଡ଼ି ରବି ଅଶ୍ୱିନଙ୍କ ଖାତାକୁ ୩ ୱିକେଟ ଯାଇଛି। ଆକାଶ ଦୀପ ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ପ୍ରଥମ ଇନିଂସରେ ଜାଡେଜା ୫ଟି ଓ ୱାଶିଂଟନ ସୁନ୍ଦର ୪ଟି ୱିକେଟ ନେଇଥିଲେ। ନ୍ୟୁଜିଲ୍ୟାଣ୍ଡ ପାଇଁ ଦ୍ୱିତୀୟ ଇନିଂସରେ ୱିଲ ୟଙ୍ଗ ପୁଣି ଅର୍ଦ୍ଧଶତକ ହାସଲ କରିଛନ୍ତି। ହେଲେ ସେ ୫୧ ରନ କରି ଅଶ୍ୱିନଙ୍କ ବଲରେ ଆଉଟ ହୋଇଯାଇଛନ୍ତି।
ଆଜି ଭାରତ ୮୬/୪ରୁ ଖେଳ ଆରମ୍ଭ କରିଥିଲା। ଶୁବମନ ଗିଲଙ୍କ ୯୦ ଓ ଋଷଭ ପନ୍ତଙ୍କ ୬୦ ରନ ବଳରେ ଭାରତୀୟ ଟିମ ଟ୍ରି ବ୍ରେକ ପୂର୍ବରୁ ୨୬୩ ରନ କରି ଅଲଆଉଟ ହୋଇଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ପାଇଁ ଏଜାଜ ପଟେଲ ସର୍ବାଧିକ ୫ ୱିକେଟ ନେଇଥିଲେ। ଭାରତ ୨୬୩ ରନରେ ଅଲଆଉଟ ହୋଇଥିଲେ ହେଁ ଗୁରୁତ୍ୱପୂର୍ଣ୍ଣ ୨୮ ରନର ଲିଡ ହାସଲ କରିଥିଲା।
ନ୍ୟୁଜିଲ୍ୟାଣ୍ଡ ତା'ର ଦ୍ୱିତୀୟ ଇନିଂସ ଆରମ୍ଭରୁ ଅଧିନାୟକ ଟମ ଲାଥମ(୨)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ଆକାଶ ଦୀପ ନେଇଥିଲେ। ଟି ବ୍ରେକ ପରେ କମାଲ କରିଥିଲେ ଅଶ୍ୱିନ ଓ ଜାଡେଜା ଯୋଡ଼ି। ଏହାପୂର୍ବରୁ ୱାଶିଂଟନ ସୁନ୍ଦର ୨୨ ରନ କରିଥିବା ଡେଭନ କନୱେଙ୍କ ୱିକେଟ ନେଇଥିଲେ। ରଚିନ ରବୀନ୍ଦ୍ର(୪) ଅଶ୍ୱିନଙ୍କ ଶିକାର ବନିବା ପରେ ନ୍ୟୁଜିଲ୍ୟାଣ୍ଡ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲା।
ଡାରେଲ ମିଚେଲ ଓ ୟଙ୍ଗ ୪ର୍ଥ ୱିକେଟ ପାଇଁ ୫୦ ରନ ଯୋଡ଼ିଥିଲେ। ହେଲେ ୨୧ ରନ କରିଥିବା ମିଚେଲଙ୍କୁ ଜାଡେଜା ଚମତ୍କାର ଢଙ୍ଗରେ ଅଶ୍ୱିନଙ୍କ ବଲରେ ଆଉଟ କରି ଦେଇଥିଲେ। ଏହାପରେ ୱିକେଟ ଝଡ଼ିବା ଆରମ୍ଭ ହୋଇଥିଲା।
ଟମ ବ୍ଲଣ୍ଡେଲ(୪), ଗ୍ଲେନ ଫିଲିପ୍ସ(୨୬) ଓ ଈଶ ଶୋଢ଼ି(୮) ୧୪୮ ରନ ଭିତରେ ଆଉଟ ହୋଇଥିଲେ। ଏହାପରେ ୫୧ ରନ କରିଥିବା ୟଙ୍ଗଙ୍କୁ ଅଶ୍ୱିନ ଆଉଟ କରି ବଡ଼ ବିପର୍ଯ୍ୟୟ ଘଟାଇଥିଲେ। ଏଜାଜ ପଟେଲ ଓ ହେନରୀ ୯ମ ୱିକେଟ ପାଇଁ ୨୧ ରନ ଯୋଡ଼ିଥିଲେ ହେଁ ଏହାକୁ ଜାଡେଜା ଭାଙ୍ଗି ଦେଇଥିଲେ। ହେନରୀ ୧୦ ରନ କରି ଜାଡେଜାଙ୍କ ବଲରେ ବୋଲ୍ଡ ହେବା କ୍ଷଣି ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ହୋଇଥିଲା।












Click it and Unblock the Notifications