ଆଜିଠୁ ଭାରତ ବନାମ ଇଂଲଣ୍ଡ ଲଢ଼େଇ: ୧୮ ବର୍ଷ ପରେ ଇଂଲଣ୍ଡରେ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍ ଲିଡ୍ସର ହେଡିଂଲେ ପଡ଼ିଆରେ ଶୁକ୍ରବାରଠାରୁ ଆରମ୍ଭ ହେବ । ଭାରତୀୟ କ୍ରିକେଟ୍ରେ ଆନୁଷ୍ଠାନିକ ଭାବେ ଗିଲ୍ ଯୁଗର ଶୁଭାରମ୍ଭ ହେବ ।
୨୫ ବର୍ଷୀୟ ଶୁବମନ ଗିଲ୍ଙ୍କ ନେତୃତ୍ବରେ ପ୍ରଥମ ଥର ଭାରତୀୟ କ୍ରିକେଟ୍ ଦଳ ଏକ ପୂର୍ଣ୍ଣକାଳୀନ ଶୃଙ୍ଖଳା ଖେଳି ନୂଆ ଅଭିଯାନ ଆରମ୍ଭ କରିବ। ଦୁଇ ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ୍ର ଦୁଇ ମହାନ ତାରକା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ପରେ ଗିଲ୍ ଆନୁଷ୍ଠାନିକ ଭାବେ ଏହି ଟେଷ୍ଟ୍ରୁ ଭାରତୀୟ କ୍ରିକେଟ୍ର ମଙ୍ଗ ଧରିବେ।

ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଓପନର୍ ଗୌତମ ଗମ୍ଭୀରଙ୍କ ପାଇଁ ମଧ୍ୟ ଏହି ଶୃଙ୍ଖଳା ନୂଆ ଆହ୍ବାନ ନେଇ ଆସିବ। ଗିଲ୍-ଗମ୍ଭୀର ଯୋଡ଼ି ମଧ୍ୟ ୧୮ବର୍ଷ ପରେ ଇଂଲଣ୍ଡରେ ଭାରତୀୟ କ୍ରିକେଟ୍ ଦଳକୁ ଶୃଙ୍ଖଳା ବିଜୟୀ କରାଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ। କିନ୍ତୁ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ହରାଇବା ଲାଗି ଭାରତୀୟ ଖେଳାଳିଙ୍କୁ ଦଳଗତ କ୍ରିକେଟ୍ର ଶ୍ରେଷ୍ଠ ନମୁନା ଦେଖାଇବାକୁ ହେବ। ପୁଣି ଏହି ଶୃଙ୍ଖଳା ଏକ ନୂଆ ଟ୍ରଫି 'ସଚିନ-ଆଣ୍ଡରସନ୍' ଟ୍ରଫି ପାଇଁ ଖେଳାଯିବ। ସେଥିପାଇଁ ଉଭୟ ଦେଶର ଟେଷ୍ଟ୍ ଇତିହାସରେ ଏହି ଶୃଙ୍ଖଳା ଢେର ଗୁରୁତ୍ବ ବହନ କରିବ। ପ୍ରଥମ ଥର ପାଇଁ ମଧ୍ୟ ଶୃଙ୍ଖଳାର ବିଜୟୀ ଅଧିନାୟକଙ୍କୁ ପଟୌଦି ମେଡାଲ ପ୍ରଦାନ କରାଯିବ। ଯାହା ଏହାକୁ ସ୍ମରଣୀୟ ଓ ସ୍ବତନ୍ତ୍ର କରିଛି।
୨୩ ବର୍ଷ ଲିଡ୍ସରେ ଜିତିନି ଭାରତ
ଲିଡ୍ସରେ ଭାରତର ରେକର୍ଡ ଆଦୌ ଭଲ ନାହିଁ। ଏଠାରେ ଟିମ୍ ଇଣ୍ଡିଆ ୭ଟି ମ୍ୟାଚ୍ ଖେଳି ମାତ୍ର ଦୁଇଟିରେ ବିଜୟୀ ହୋଇଛି। ୨୦୨୧-୨୨ରେ ଏଠାରେ ଖେଳିଥିବା ଶେଷ ଟେଷ୍ଟ୍କୁ ଭାରତ ଗୋଟିଏ ପାଳି ଓ ୭୬ ରନ୍ରେ ହାରିଥିଲା। ପୁଣି ଯେଉଁ ଦୁଇଟି ବିଜୟ ପାଇଥିଲା ତାହା ୧୯୮୬ ଓ ୨୦୦୨ ମସିହାରେ ହାସଲ କରିଥିଲା। ଫଳରେ ଭାରତ ପାଇଁ ଏହି ମ୍ୟାଚ୍ ସହଜ ହେଲା ଭଳି ଆଦୌ ମନେ ହେଉନି। ଏହି ଶୃଙ୍ଖଳାରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା ଆଉ ୫ ୱିକେଟ୍ ନେଲେ ସେନା (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ) ଦେଶରେ ପ୍ରଥମ ଭାରତୀୟ ବୋଲର୍ ଭାବେ ୧୫୦ ୱିକେଟ୍ କରାୟତ୍ତ କରିବେ। ଏସୀୟ ବୋଲରଙ୍କ ମଧ୍ୟରେ କେବଳ ୱାସିମ ଆକ୍ରମ ତାଙ୍କଠାରୁ ସେନା ଦେଶରେ ଅଧିକ ୱିକେଟ୍ ନେଇଛନ୍ତି।
ସମ୍ଭାବ୍ୟ ଭାରତ: ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, କରୁଣ ନାୟର, ଶୁବମନ ଗିଲ୍ (ଅଧିନାୟକ), ଋଷଭ ପନ୍ତ (ୱିକେଟ୍ ରକ୍ଷକ), ନୀତୀଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡ଼େଜା, ଶାର୍ଦୁଳ ଠାକୁର, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ।
ଇଂଲଣ୍ଡ ଏକାଦଶ: ଜ୍ୟାକ୍ କ୍ରଲି, ବେନ୍ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ୍ ଷ୍ଟୋକ୍ସ (ଅଧିନାୟକ), ଜାମି ସ୍ମିଥ୍ (ୱିକେଟ୍ରକ୍ଷକ), କ୍ରିସ୍ ଓକ୍ସ, ବ୍ରାଇଡନ୍ କାର୍ସ, ଜୋସ୍ ଟଙ୍ଗ୍, ସୋଏବ ବସିର।












Click it and Unblock the Notifications