ଆଜି ଭାରତ ବନାମ ବାଂଲାଦେଶ; ଫାଇନାଲ୍ ଟିକେଟ୍ ଆଶାରେ ଟିମ୍ ଇଣ୍ଡିଆ
ଆଜି ଭାରତ ବନାମ ବାଂଲାଦେଶ । ଫାଇନାଲ୍ ଟିକେଟ୍ ଆଶାରେ ସୂର୍ଯ୍ୟ କୁମାର ଯାଦବ । ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ ପ୍ରଭାବୀ ଢଙ୍ଗରେ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳ ଆଉ ଏକ ପ୍ରତୀକ୍ଷିତ ଟକ୍କରରେ ବୁଧବାର ପଡ଼ୋଶୀ ବାଂଲାଦେଶକୁ ଭେଟିବ।
ଭାରତୀୟ ଦଳ ପାକିସ୍ତାନକୁ ୬ ୱିକେଟ୍ରେ ଏବଂ ବାଂଲାଦେଶ ୪ ୱିକେଟ୍ରେ ଶ୍ରୀଲଙ୍କାକୁ ହରାଇ ଏହି ମ୍ୟାଚ୍ ଖେଳିବାକୁ ଯାଉଥିବାରୁ ଉଭୟ ଆତ୍ମବିଶ୍ବାସରେ ରହିଛନ୍ତି। ପୂର୍ବ ପରିସଂଖ୍ୟାନ ଦୃଷ୍ଟିରୁ ଚଳିତ ଏସିଆ କପ୍ର ଏହି ସୁପର-୪ ମ୍ୟାଚ୍ ସୂର୍ଯ୍ୟକୁମାର ଯାଦବଙ୍କ ସେନା ପାଇଁ ଆଉ ଏକ ସହଜ ଲକ୍ଷ୍ୟ ହୋଇପାରେ। କାରଣ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଉଭୟ ଦଳ ୧୭ ଥର ମୁହାଁମୁହିଁ ହୋଇଥିଲା ବେଳେ ବାଂଲାଦେଶ ସେଥିମଧ୍ୟରୁ ମାତ୍ର ଗୋଟିକରେ ବିଜୟୀ ହୋଇପାରିଛି।

ସେହିଭଳି ଗତବର୍ଷ ଦୁଇଦଳ ମଧ୍ୟରେ ହାଇଦ୍ରାବାଦଠାରେ ଖେଳାଯାଇଥିବା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍କୁ ଭାରତ ୧୩୩ ରନ୍ର ବଡ଼ ବ୍ୟବଧାନରେ ଜିତିଥିଲା। ଭାରତକୁ ହରାଇବାର ଦକ୍ଷତା ଆମ ପାଖରେ ରହିଛି ବୋଲି ବାଂଲାଦେଶ ପ୍ରଶିକ୍ଷକ ଫିଲ୍ ସିମନ୍ସ କହି ଏହି ମୁକାବିଲାକୁ ଆହୁରି ରୋଚକ କରି ଦେଇଛନ୍ତି। ଉଭୟ ଦେଶର ପ୍ରଶଂସକ ଭାରତ-ବାଂଲାଦେଶ ମଧ୍ୟରେ ହେବାକୁ ଥିବା ପ୍ରଥମ ସୁପର-୪ ଲଢ଼େଇକୁ ନେଇ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି।
ବାଂଲାଦେଶ ତା'ର ପୂର୍ବ ମ୍ୟାଚ୍ଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିବାରୁ ଭାରତ ପାଇଁ ଏହି ଦଳ ନୂଆ ଚ୍ୟାଲେଞ୍ଜ୍ ଭାବେ ଉଭା ହୋଇଛି। ପୁଣି ପାକିସ୍ତାନ ପାରମ୍ପରିକ ଭାବେ ଭାରତୀୟ କ୍ରିକେଟ୍ ଦଳର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ହୋଇ ରହି ଆସିଥିଲେ ମଧ୍ୟ ବିଗତ କିଛି ବର୍ଷ ହେବ ବାଂଲାଦେଶରେ ସୃଷ୍ଟି ହୋଇଥିବା ଭାରତ ବିରୋଧୀ ଭାବନା ପାଇଁ ପରିସ୍ଥିତି ପୂର୍ବାପେକ୍ଷା ବଦଳି ଯାଇଛି।
ପାକିସ୍ତାନ ବିପକ୍ଷରେ ଦୁଇ ଓପନର ଶୁବମନ୍ ଗିଲ୍ ଓ ଅଭିଷେକ ଶର୍ମା ଧମାକାଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତି ନେଇଛନ୍ତି। ଅଭିଷେକଙ୍କ ଷ୍ଟ୍ରାଇକ୍ ରେଟ୍ ୧୮୦ରୁ ଅଧିକ ଥିଲା ବେଳେ ଗିଲ୍ ମଧ୍ୟ ୧୫୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ରେ ରନ୍ କରୁଛନ୍ତି। ଅନ୍ୟପକ୍ଷରେ ବାଂଲାଦେଶର ଦୁଇ ଶ୍ରେଷ୍ଠ ଟ୍ବେଣ୍ଟି-୨୦ ବ୍ୟାଟର୍ ଲିଟନ ଦାସ ଓ ତୌହିଦ ହୃଦୟଙ୍କ ଟ୍ବେଣ୍ଟି-୨୦ ଷ୍ଟ୍ରାଇକ୍ ରେଟ୍ ଯଥାକ୍ରମେ ୧୨୯ ଓ ୧୨୪ ରହିଛି।
ବୋଲିଂରେ ବାଂଲାଦେଶ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କ ଉପରେ ନିର୍ଭରଶୀଳ ରହିବ। ତସ୍କିନ ଅହମଦ ଓ ତନଜିମ ହାସନ ତାଙ୍କ ଅପେକ୍ଷା ତୁଳନାତ୍ମକ ଭାବେ ନୂଆ। ଲେଗ୍ ସ୍ପିନର ରିସଦ ହୁସେନ ଓ ଅଫ୍ ସ୍ପିନର ମେହେଦି ହାସନ ରନ୍ ଗତିରେ ଅଙ୍କୁଶ ଲଗାଇବାକୁ ସକ୍ଷମ। ତଥାପି ଏମାନଙ୍କୁ ସମ୍ମୁଖୀନ ହେବାରେ ଭାରତୀୟ ବ୍ୟାଟର୍ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇ ନପାରନ୍ତି।
ସେହିଭଳି ସଞ୍ଜୁ ସାମସନ୍ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବଡ଼ ପାଳି ଚକ୍କରରେ ରହିବେ। ବାଂଲାଦେଶ ଟସ୍ ଜିତିଲେ ଭାରତକୁ ୧୫୦ ତଳେ ଅଟକାଇବାକୁ ଆଶା କରିବ। ଭାରତ ୨୦୦ରୁ ଅଧିକ ରନ୍ କରିବା ଯୋଜନାରେ ରହିବ। ପିଚ୍ ପୂର୍ବଭଳି ବ୍ୟାଟର୍ଙ୍କୁ ସୁହଇବ। ବଲ୍ ପୁରୁଣା ହେଲେ ରନ୍ କରିବା ସାମାନ୍ୟ କଷ୍ଟକର ହେବ। ପାଗ ମୁଖ୍ୟତଃ ଶୁଖିଲା ରହିବ।
ସମ୍ଭାବ୍ୟ ଭାରତ: ଅଭିଷେକ ଶର୍ମା, ଶୁବମନ ଗିଲ୍ (ଅଧିନାୟକ), ସୂର୍ଯ୍ୟକୁମାର ୟାଦବ, ସଞ୍ଜୁ ସାମସନ୍, ତିଳକ ବର୍ମା, ଶିବମ ଦୁବେ, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ୍ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ।
ସମ୍ଭାବ୍ୟ ବାଂଲାଦେଶ: ସୈଫ ହାସନ, ତଞ୍ଜିଦ ହାସନ, ଲିଟନ ଦାସ (ଅଧିନାୟକ), ତୌହିଦ ହୃଦୟ, ସମିମ ହୁସେନ, ଜାକିର ଅଲୀ, ମେହେଦି ହାସନ, ନସୁମ ଅହମଦ, ତସ୍କିନ ଅହମଦ, ସୋରିଫୁଲ ଇସଲାମ, ମୁସ୍ତାଫିଜୁର ରହମାନ।












Click it and Unblock the Notifications