IND VS BAN: ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଟାର୍ଗେଟ ୫୧୫, ବାଂଲାଦେଶ ୧୫୮/୪
IND VS BAN: ପ୍ରଥମ ଟେଷ୍ଟକୁ ନିଜ ନିୟନ୍ତ୍ରଣରେ ରଖିଛି ଭାରତ । ବିଜୟ ପାଇଁ ବାଂଲାଦେଶକୁ ଭାରତ ୫୧୫ ରନର ବିଶାଳ ଟାର୍ଗେଟ ଦେଇଛି । ଖତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୪ ୱିକେଟ ହରାଇ ୧୫୮ ରନ କରିଛି। ଦଳ ବିଜୟ ଠାରୁ ଆହୁରି ୩୫୭ ରନ ପଛରେ ରହିଛି । ଭାରତ ବିଜୟ ପାଇଁ ଆଉ ୬ଟି ୱିକେଟ ଆବଶ୍ୟକ କରୁଛି ।
ଲୋକାଲ ବୟ ରବିଚନ୍ଦ୍ରନ ଅଶ୍ୱିନ ଏକାକୀ ୩ ୱିକେଟ ନେଇ ବାଂଲାଦେଶର ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି । ପିଚ ସ୍ପିନରଙ୍କୁ ସୁହାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କୁ ସାମ୍ନା କରିବା ବାଂଲାଦେଶ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ।

ତୃତୀୟ ଦିନର ଖେଳ ବନ୍ଦ ହେବା ବେଳକୁ ବାଂଲାଦେଶର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ୫୧ ରନ ଓ ଅଭିଜ୍ଞ ଶାକିବ ଅଲ ହାସନ ୫ ରନ କରି ଅପରାଜିତ ରହିଛନ୍ତି। ତେଣୁ ଉଭୟ ଆସନ୍ତାକାଲି ବାଂଲାଦେଶ ପାଇଁ ମ୍ୟାଚ୍ ବଞ୍ଚାଇବାକୁ ଚେଷ୍ଟା କରିବେ। ଏଥିସହ ଚେନ୍ନାଇରେ ଆସନ୍ତାକାଲି ବର୍ଷାର ଆଶଙ୍କା ମଧ୍ୟ ରହିଛି। ତେଣୁ ଭାରତର ବିଜୟ ବାଟରେ ବର୍ଷା ବାଧକ ସାଜିପାରେ।
ପ୍ରଥମ ଇନିଂସରେ ଭାରତ ୩୭୬ ରନ କରିଥିବା ବେଳେ ବାଂଲାଦେଶ ୧୪୯ ରନ କରି ଅଲଆଉଟ ହୋଇଯାଇଥିଲା। ଫଳରେ ଭାରତକୁ ୨୨୭ ରନର ଲିଡ ମିଳିଥିଲା। ଭାରତ ଫଲୋଅନ ନ ଦେଇ ପୁଣି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଦ୍ୱିତୀୟ ଇନିଂସରେ ଋଷଭ ପନ୍ତଙ୍କ ୧୦୯ ଓ ଶୁବମନ ଗିଲଙ୍କ ଅପରାଜିତ ୧୧୯ ରନ ବଳରେ ଭାରତ ୪ ୱିକେଟ ହରାଇ ୨୮୭ ରନ କରିବା ପରେ ପାଳି ଘୋଷଣା କରିଥିଲା। ଏଥିଯୋଗୁ ବାଂଲାଦେଶକୁ ମ୍ୟାଚ ଜିତିବା ପାଇଁ ୫୧୫ ରନର ଟାର୍ଗେଟ ମିଳିଥିଲା।
ଏହି ବିଶାଳ ଟାର୍ଗେଟକୁ ବାଂଲାଦେଶର ଦୁଇ ଓପନର ଜାକିର ହାସନ ଓ ଶାଦମନ ଇସଲାମ ଦମଦାର ଢଙ୍ଗରେ ପିଛା କରିଥିଲେ। ଉଭୟ ବଡ଼ବଡ଼ ଶଟ ଖେଳି ଟି ବ୍ରେକ ସୁଦ୍ଧା ଦଳୀୟ ସ୍କୋରକୁ ୫୬ରେ ପହଞ୍ଚାଇ ଦେଇଥିଲେ। ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ଆକାଶ ଦୀପ ଓ ରବିଚନ୍ଦ୍ରନ ଅଶ୍ୱିନ ବୋଲିଂ କରିଥିଲେ ହେଁ ଟି ବ୍ରେକ ପୂର୍ବରୁ କିଛି ବି ଲାଭ ମିଳି ନଥିଲା।
ତେବେ ଟି ବ୍ରେକ ପରେ ମିଳିଥିଲା ସଫଳତା। ବୁମ୍ରା ୩୩ ରନ କରିଥିବା ଜାକିରଙ୍କୁ ଆଉଟ କରି ବାଂଲାଦେଶକୁ ପ୍ରଥମ ଝଟକା ଦେଇଥିଲେ। ଗଲି ଅଞ୍ଚଳରେ ଫିଲ୍ଡିଂ କରିଥିବା ଯଶସ୍ୱୀ ଜୈସୱାଲ ଡାଇଭ ମାରି କ୍ୟାଚ୍ କରି ଜାକିରଙ୍କୁ ପ୍ୟାଭିଲିୟନ ପଠାଇଥିଲେ।
ଏହାପରେ ଜଲୱା ଦେଖାଇଥିଲେ ଆଶ ଆନ୍ନା ଓରଫ ଅଶ୍ୱିନ। ସେ ଅନ୍ୟତମ ଓପନର ଇସଲାମ(୩୫)ଙ୍କୁ ଶୁବମନ ଗିଲଙ୍କ ହାତରେ କ୍ୟାଚ ଆଉଟ କରାଇଥିଲେ। ମୋମିନୁଲ ହକ କିଛି ଶଟ ଖେଳିଥିଲେ ହେଁ ୧୩ ରନ କରି ଅଶ୍ୱିନଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଅଭିଜ୍ଞ ମୁଶଫିକର ରହିମ ୧୧ ବଲରେ ୧୩ ରନ କରି ଅଶ୍ୱିନଙ୍କ ତୃତୀୟ ଶିକାର ବନିଥିଲେ।
ଗୋଟିଏ ପଟେ ୱିକେଟ ଯାଉଥିଲେ ହେଁ ବାଂଲାଦେଶର ଅଧିନାୟକ ସାଣ୍ଟୋ ଆଟାକିଂ ଶଟ ମାରି ଚାଲିଥିଲେ। ଏଥିସହ ସେ ତାଙ୍କ ଟେଷ୍ଟ କ୍ୟାରିୟରରେ ୪ର୍ଥ ଅର୍ଦ୍ଧଶତକ ହାସଲ ମଧ୍ୟ କରିଛନ୍ତି। ତାଙ୍କୁ ଶାକିବ ସାଥ ଦେବା ସହ ବ୍ୟାଡ ଲାଇଟ ପାଇଁ ଖେଳ ବନ୍ଦ ହେବା ଯାଏ ଭାରତକୁ ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନାହାନ୍ତି। ବାଂଲାଦେଶ ତୃତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ୪ ୱିକେଟ ହରାଇ ୧୫୮ ରନ କରିଛି।












Click it and Unblock the Notifications