ଭାରତ ବନାମ ବାଂଲାଦେଶ: କମାଲ କଲେ ଅଶ୍ୱିନ ଓ ଜାଡେଜା, ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୩୯/୬
ଭାରତ ପ୍ରଥମ ଇନିଂସରେ ୩୭୬ ରନରେ ଅଲ୍ଆଉଟ୍ ହୋଇଛି । ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ପ୍ରଦର୍ଶନ ଫଳରେ ଭାରତ ଏହି ସ୍କୋର କରିପାରିଛି । ଭାରତ ପକ୍ଷରୁ ଅଶ୍ୱିନ ସର୍ବାଧିକ ୧୧୩ ରନ କରି ଆଉଟ୍ ହୋଇଥିଲେ । ସେହିପରି ଜାଡେଜା ୮୬ ରନ କରି ଆଜି ଆଉଟ୍ ହୋଇଥିଲେ । ଦୁହେଁ ଟସ୍କିନ ଦ୍ବାରା ଆଉଟ୍ ହୋଇଥାଏ ।
ବାଂଲାଦେଶ ବିପକ୍ଷ ଟେଷ୍ଟରେ କମବ୍ୟାକ କଲା ଭାରତ । ବିଶେଷ କରି ଅଶ୍ୱିନ ନିଜ ହୋମଗ୍ରାଉଣ୍ଡ ଚେନ୍ନାଇର ଏମଏ ଚିଦାମ୍ବରମ ବା ଚେପକରେ ନିଜ ବ୍ୟାଟିଂରେ ଯାଦୁ ଦେଖାଇଛନ୍ତି । ରୋହିତ ଶର୍ମା, ବିରାଟ କୋହଲି ଓ ଶୁବମନ ଗିଲଙ୍କ ଭଳି ବଡ଼ବଡ଼ ବ୍ୟାଟର ଯେଉଁ ବାଂଲାଦେଶ ବୋଲିଂ ଆଗରେ ତିଷ୍ଟି ପାରି ନଥିଲେ, ସେଠାରେ ଅଶ୍ୱିନ ଓ ଜାଡେଜା ଦମ୍ ଦେଖାଇଥିଲେ । ୩୩୯ ରେ ୬ ୱିକେଟରୁ ଭାରତ ଆଜିର ଦିନ ଆରମ୍ଭ କରିଥିଲା । ହାସନ ମହମୁଦ ୫ ୱିକେଟ ନେଇଥିବା ବେଳେ ଟସ୍କିନ ୩ ୱିକେଟ ନେଇଥିଲେ ।

ପ୍ରଥମ ଦିନ ଖେଳ ଏପରି ଥିଲା
ଅଶ୍ୱିନ ଓ ଜାଡେଜାଙ୍କ ଦମରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ ହରାଇ ୩୩୯ ରନ କରି ନେଇଛି । ଏକଦା ୩୪ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତ ଏବେ ପ୍ରଥମ ଟେଷ୍ଟକୁ ନିଜ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଛି । ଜାଡେଜା ଓ ଅଶ୍ୱିନ ଭାରତ ସ୍କୋର ୧୪୪ ଥିବା ବେଳେ ଏକାଠି ବ୍ୟାଟିଂ କରିଥିଲେ । ଏବେ ଦଳୀୟ ସ୍କୋର ୩୩୯ରେ ପହଞ୍ଚି ଯାଇଛି ।
ପେସ ବୋଲିଂକୁ ଆରମ୍ଭରୁ ସୁହାଉଥିବା ପିଚ୍ରେ ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ତେବେ ହାସନ ମହମୁଦ ଭାତକୁ ଜଟକା ପରେ ଜଟକା ଦେଇଥିଲେ। ପ୍ରଥମେ ସେ ଅଧିନାୟକ ରୋହିତ ଶର୍ମା(୬)ଙ୍କୁ ଆଉଟ କରିଥିଲେ। ଏହାପରେ ଶୁବମନ ଗିଲ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ବିରାଟ କୋହଲି ମାତ୍ର ୬ ରନ କରି ହାସଙ୍କ ତୃତୀୟ ଶିକାର ବନିଥିଲେ।
ଭାରତ ୩୪ ରନରେ ୩ଟି ୱିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହେଲେ ଋଷଭ ପନ୍ତଙ୍କୁ ସାଥୀ କରି ଯଶସ୍ୱୀ ଜୈସୱାଲ ସ୍ଥିତି ସମ୍ଭାଳିଥିଲେ। ଉଭୟ ଲଞ୍ଚ ସୁଦ୍ଧା ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। କିନ୍ତୁ ଲଞ୍ଚ ବ୍ରେକର ତୃତୀୟ ଓଭରରେ ହାସନ ୩୯ ରନ କରିଥିବା ପନ୍ତଙ୍କୁ ଆଉଟ କରି ଦେଇଥିଲେ।
ପନ୍ତ ଆଉଟ ହୋଇଥିଲେ ହେଁ ଯଶସ୍ୱୀ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ କେଏଲ ରାହୁଲଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ଏତିକି ବେଳେ ନାହିଦ ରାଣା ୫୬ ରନ କରିଥିବା ଯଶସ୍ୱୀଙ୍କୁ ଆଉଟ କରି ଭାରତକୁ ୫ମ ଝଟକା ଦେଇଥିଲେ। ପରବର୍ତ୍ତୀ ଓଭରରେ ମେହିଦ ହାସନ ମିରାଜ ୧୬ ରନ କରିଥିବା ରାହୁଲଙ୍କୁ ପ୍ୟାଭିଲିୟନ ପଠାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଭାରତ ୧୪୪ ରନରେ ୬ଷ୍ଠ ୱିକେଟ ହରାଇଥିଲା।
ଆଉ ଆରମ୍ଭ ହୋଇଥିଲା ରବୀନ୍ଦ୍ର ଓ ରବିଚନ୍ଦ୍ରନଙ୍କ ଜଲୱା। ଉଭୟ କେବଳ ୱିକେଟ ରଖି ନଥିଲେ, ବରଂ ଦ୍ରୁତ ଗତିରେ ରନ ମଧ୍ୟ ସଂଗ୍ରହ କରିଥିଲେ। ବିଶେଷ କରି ଘରୋଇ ଦର୍ଶକଙ୍କ ଆଗରେ ଅଶ୍ୱିନ ନିଜର ଦକ୍ଷତା ଦେଖାଇଥିଲେ।
ବାଂଲାଦେଶର ପ୍ରତିଟି ବୋଲରଙ୍କୁ ଉଭୟ କଡ଼ା ପ୍ରହାର କରି ପ୍ରଥମେ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ ପରେ ଉଭୟ ଗିୟର ମଧ୍ୟ ବଦଳାଇଥିଲେ। ଏଥିସହ ଅଶ୍ୱିନ ୧୦୮ ବଲରେ ନିଜର ଶତକ ହାସଲ କରିଥିଲେ।
ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୬ଷ୍ଠ ଶତକ। ସେହିପରି ଘରୋଇ ମାଟିରେ ଦ୍ୱିତୀୟ ସେଞ୍ଚୁରୀ। ଶତକୀୟ ଇନିଂସରେ ଅଶ୍ୱିନ ୧୦ଟି ଚୌକା ଓ ୨ଟି ଛକା ମାରିଛନ୍ତି।
ଅଶ୍ୱିନଙ୍କ ଶତକ ପରେ ଜାଡେଜା ମଧ୍ୟ ସେହି ଦିଗରେ ଆଗେଇ ଥିଲେ। ହେଲେ ପ୍ରଥମ ଦିନର ଖେଳକୁ ୮୦ ଓଭରରେ ବନ୍ଦ କରି ଦିଆଯାଇଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଜାଡେଜା ୮୬ ରନରେ ଅପରାଜିତ ରହିଛନ୍ତି। ଅଶ୍ୱିନ ମଧ୍ୟ ୧୦୨ ରନ କରି କ୍ରିଜରେ ଅଛନ୍ତି। ଆସନ୍ତାକାଲି ଉଭୟ ଏହି ଠାରୁ ବ୍ୟାଟିଂ କରିବେ।












Click it and Unblock the Notifications