Get Updates
Get notified of breaking news, exclusive insights, and must-see stories!

ବ୍ରିସବେନରେ ବାଜି ମାରିଲା ଭାରତ, 2-1ରେ ଜିତିଲା ବର୍ଡର ଗାଭାସ୍କର ଟ୍ରଫି

4ର୍ଥ ଟେଷ୍ଟକୁ ଜିତିବା ସହ ସମ୍ମାନଜନକ ବର୍ଡର ଗାଭାସ୍କର ସିରିଜକୁ 2-1ରେ ହାତେଇ ନେଇଛି ଭ୍ରମଣକାରୀ ଭାରତୀୟ ଦଳ ।

ବ୍ରିସବେନ: ବ୍ରିସବେନ ବାଜିରେ ବାଜିମାତ କରିଛି ଭାରତ । ଗବ୍ବାରେ ଇତିହାସ ରଚିଛି ଟିମ ଇଣ୍ଡିଆ । ଭାଙ୍ଗିଛି କଙ୍ଗରୁ ଦଳର 31 ବର୍ଷର ବିଜୟୀ ରେକର୍ଡ । ପୁଣି ସମ୍ମାନଜନକ ବର୍ଡର ଗାଭାସ୍କର ଟ୍ରଫିକୁ ନିଜ ପାଖରେ ରଖିଛି ମେଇନ ବ୍ଲୁ । ତେବେ ଆଜିର ଏହି ବିରାଟ ବିଜୟରେ ହିରୋ ସାଜିଛନ୍ତି ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷବ ପନ୍ତ ।

ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତର 4 ମ୍ୟାଚ ବିଶିଷ୍ଟ ବର୍ଡର ଗାଭାସ୍କର ସିରିଜର ପ୍ରଥମ ଦୁଇ ମ୍ୟାଚ ପରେ ସିରିଜ 1-1ରେ ବରାବର ରହିଥିଲା । ତେବେ ସିଡନୀରେ 3ୟ ମ୍ୟାଚ ଡ୍ର ଓ ଗାବ୍ବାରେ 4ର୍ଥ ମ୍ୟାଚ ଉପରେ ବିଜୟ ପାଇଁ 2-1ରେ ସମ୍ମାନଜନକ ବର୍ଡର ଗାଭାସ୍କର ଟ୍ରଫି ଟେକିଛି ଭ୍ରମଣକାରୀ ଭାରତୀୟ ଦଳ । ଏଥିସହିତ ବ୍ରିସବେନରେ ଘରୋଇ ଅଷ୍ଟ୍ରେଲିଆ ଦଳର 31 ବର୍ଷ ବିଜୟୀ ରେକର୍ଡକୁ ଭାଙ୍ଗି ଇତିହାସ ରହିଛି ଟିମ ଇଣ୍ଡିଆ । ବ୍ରିସବେନ ମାଟିରେ ଶେଷ ଥର ପାଇଁ 1998 ମସିଆରେ କୌଣସି ଟେଷ୍ଟ ମ୍ୟାଚ ହାରିଥିଲା ଘରୋଇ କଙ୍ଗାରୁ ଦଳ ।

ବର୍ଡର ଗାଭାସ୍କର ଟ୍ରଫି

ଭାରତ ବନାମ ଅଷ୍ଟ୍ରେଲିଆ 4ର୍ଥ ଟେଷ୍ଟ, 5ମ ଦିନ ହାଇାଇଟ୍ସ:

4ର୍ଥ ଟେଷ୍ଟର ଶେଷ ଦିନରେ ଘରୋଇ ଅଷ୍ଟ୍ରେଲିଆର ଧାର୍ଯ୍ୟ ବିଜୟ ଲକ୍ଷ୍ୟ 328ରନକୁ ପାର କରିଛି ରାହାଣେଙ୍କ ସେନା । ଭାରତ ପକ୍ଷରୁ 2ୟ ପାଳିରେ ଓପନର ଶୁଭମନ ଗିଲ ସର୍ବାଧିକ 91ରନ କରିଥିବା ବେଳେ 2ୟ ପାଳିରେ ସର୍ବାଧିକ 5 ୱିକେଟ ହଲ ଅକ୍ତିଆର କରିଛନ୍ତି ମହମ୍ମଦ ସିରାଜ । ତେବେ ଏହି ମ୍ୟାଚ ବିଜୟର ହିରୋ ସାଜିଛନ୍ତି ପନ୍ତ । ତାଙ୍କର 89ରନର ଅପରାଜିତ ପାଳି ପାଇଁ ତାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଭାବେ ବିବେଚିତ କରାଯାଇଛି । ସେହିପରି ଅଷ୍ଟ୍ରେଲିଆର ଦୃତ ବୋଲର ମିଚେଲ ଷ୍ଟାର୍କଙ୍କୁ ପ୍ଲେୟାର ଅଫ ଦ ସିରିଜ ଘୋଷଣା କରାଯାଇଛି ।

4ର୍ଥ ଦିନର ଅସମାପ୍ତ ସ୍କୋର 4ରନରୁ ଆଜି ଖେଳ ଆରମ୍ଭ କରିଥିଲା ଭାରତୀୟ ଦଳ । ଗତକାଲି ଅପରାଜିତ ଥିବା ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ମ୍ୟାଚକୁ ଆଗକୁ ବଢାଇଥିଲେ । ତେବେ 5ମ ଦିନରେ ଆଉ 3 ରନ କରି ମୋଟ 7ରନରେ ପାଭେଲିଅନ ଫେରିଥିଲେ ହିଟମ୍ୟାନ । ପରେ ପାଳି ସମ୍ଭାଳିଥିଲେ ଟେଷ୍ଟ ସ୍ପେଶାଲିଷ୍ଟ ଚେତଶ୍ବର ପୂଜାର(56) ଓ ଶୁଭମାନ ଗିଲ(91) । ଦୁହେଁ ମଧ୍ୟାହ୍ନ ଭୋଜନ ବ୍ରେକ୍ ସୁଦ୍ଧା ଘରୋଇ ଦଳର ବୋଲରଙ୍କୁ ନୟାନ୍ତ କରିଥିଲେ। ଏହାରି ଭିତରେ ଗିଲ୍ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

ଦ୍ୱିତୀୟ ସେସନରେ ଗିଲ୍ ରନ୍ ଗତିକୁ ବଢ଼ାଇଥିଲେ। ବିଶେଷକରି ଷ୍ଟାର୍କଙ୍କ ଗୋଟିଏ ଓଭରରେ ଗିଲ୍ ଛକା ଓ ଚୌକା ବର୍ଷା କରିଥିଲେ। ଗିଲ୍ ନିଜର ଶତକ ଆଡ଼କୁ ଅଗ୍ରସର ହେଉଥିଲେ, କିନ୍ତୁ ଭୁଲ୍ ଶଟ୍ କାରଣରୁ ନିଜ ୱିକେଟ୍ ଦେଇବସିଥିଲେ। ଭାରତର ସ୍କୋର ୧୩୨ ରନରେ ଥିବା ବେଳେ ନାଥନ ଲିୟନଙ୍କ ବଲରେ ଗିଲ୍ ସ୍ଲିପରେ ସ୍ମିଥଙ୍କ କ୍ୟାଚ୍ ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ପୂଜାରାଙ୍କ ସହ ମିଶି ୧୧୪ ରନର ଭାଗିଦାରୀ କରିଥିଲେ।

ଏହା ପରେ କ୍ରିଜକୁ ଆସିଥିଲେ ଅଧିନାୟକ ଆଜିଙ୍କ୍ୟ ରାହଣେ । ତେବେ ରାହଣେ ପୁଣି ଥରେ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ମାତ୍ର 24 ରନ କରି କ୍ୟୁମିନ୍ସଙ୍କ ବଲରେ ଆଉଟ ହୋଇଥିଲେ ରାହାଣେ । ୩୫ ରନ୍ ଭିତରେ ୨ଟି ୱିକେଟ୍ ନେଇ ଅଷ୍ଟ୍ରେଲିଆ ମ୍ୟାଚକୁ କମବ୍ୟାକ୍ କରିଥଲା। କିନ୍ତୁ ପନ୍ତଙ୍କ କ୍ରିଜକୁ ଆସିବା ପରେ ପୁଣିଥରେ ଭାରତ ବିଜୟ ଟ୍ରାକକୁ ଫେରିଥିଲା।

ପନ୍ତ ଆରମ୍ଭ କରିଥିଲେ ଆକ୍ରାମଣାତ୍ମକ ବ୍ୟାଟିଂ । ପନ୍ତ-ପୂଜାର ଚତୁର୍ଥ ୱିକେଟ୍ ପାଇଁ ୬୧ ରନ୍‌ର ନିର୍ଣ୍ଣାୟକ ପାର୍ଟନରଶିପ୍ କରିଥିଲେ। ଭାରତକୁ ବିଜୟ ପାଇଁ ଆଉ ୧୦୦ ରନ୍ ଦରକାର ଥିବା ବେଳେ ଅଷ୍ଟ୍ରେଲିଆ ପାଇଁ ନୂଆ ବଲ୍ କାମ ଦେଇଛି। ଘରୋଇ ଦଳର ମୁଖ୍ୟ ପେସର ପ୍ୟାଟ୍ କମିନ୍ସଙ୍କ ଇନସୁଇଂ ବଲରେ ପୂଜାରା ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ପୂଜାରା ଡିଆରଏସ୍ ନେଇଥିଲେ ହେଁ, ଏହା ଅଷ୍ଟ୍ରେଲିଆ ସପକ୍ଷରେ ଯାଇଥିଲା। ପୂଜାରା ୨୧୧ ବଲ୍ ଖେଳି ୭ ଚୌକା ସହ ୫୬ ରନ୍ କରିଥିଲେ।

ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମୟଙ୍କ ଅଗ୍ରୱାଲ (୯) କିଛି ଖାସ୍ କରିପାରିନଥିଲେ। କିନ୍ତୁ ୱାଶିଂଟନ୍ ସୁନ୍ଦର ଆଉ ଏକ ଜବରଦସ୍ତ ଇନିଂସ୍ ଖେଳି ଭାରତର ବିଜୟ ସୁନିଶ୍ଚିତ କରାଇଥିଲେ। ପନ୍ତ ଓ ସୁନ୍ଦର ଷଷ୍ଠ ୱିକେଟ୍ ପାଇଁ ୫୩ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ରିଭର୍ସ ସୁଇପ୍ ଖେଳିବା ପ୍ରୟାସରେ ସୁନ୍ଦର ଲିୟନଙ୍କ ବଲରେ ବୋଲ୍ଡ ହୋଇଥିଲେ।

ସୁନ୍ଦରଙ୍କ ପରେ ବ୍ୟାଟିଂ ଆସଥିଲେ ଶ୍ରାଦ୍ଦୁଲ ଠାକୁର । ଶେଷରେ ଠାକୁର ଓ ପନ୍ତ ମିଶି ଭାରତକୁ ଏହି ଐତିହାସିତ ବିଜୟ ଭେଟି ଦେଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ୪ଟି, ଲିୟନ୍ ୨ଟି ଓ ହେଜଲଉଡ୍ ଗୋଟିଏ ୱିକେଟ୍ ନେଇଥିଲେ।

ଭାରତକୁ ୩୨୮ ରନର ଟାର୍ଗେଟ୍:

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆର ୩୬୯ ରନ୍ ଜବାବରେ ଭାରତ ସୁନ୍ଦର ଓ ଶାର୍ଦ୍ଦୁଳଙ୍କ ଶତକୀୟ ଭାଗିଦାରୀ ବଳରେ ପ୍ରଥମ ଇନିଂସରେ ୩୩୬ ରନ୍ କରି ଘରୋଇ ଦଳକୁ କଡ଼ା ଜବାବ ଦେଇଥିଲେ। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨୯୪ ରନ୍ କରି ଭାରତ ଆଗରେ ୩୨୮ ରନର ଟାର୍ଗେଟ୍ ରଖିଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+