India vs Australia: ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟ୍ବେଣ୍ଟି-୨୦
ପ୍ରଥମ ଟ୍ବେଣ୍ଟି-୨୦କୁ ବର୍ଷା ଧୋଇନେବା ପରେ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଶୁକ୍ରବାର ଭାରତ-ଅଷ୍ଟ୍ରେଲିଆ ଚର୍ଚ୍ଚିତ ମେଲ୍ବର୍ଣ୍ଣ କ୍ରିକେଟ୍ ପଡ଼ିଆ (ଏମ୍ସିଜି)ରେ ମୁହାଁମୁହିଁ ହେବେ। ୯୦,୦୦୦ରୁ ଅଧିକ ଦର୍ଶକଙ୍କ ଉପସ୍ଥିତି ଏହି ମ୍ୟାଚ୍କୁ ଆହୁରି ରୋଚକ ଓ ରୋମାଞ୍ଚକ କରିବ। ତେବେ ମେଲ୍ବର୍ଣ୍ଣରେ ଦିନ ସାରା ଝିପି ଝିପି ବର୍ଷା ହେବା ସହ ସଂଧ୍ୟାରେ ବି ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ ଥିବାରୁ ଏହା ଉଭୟ ଦଳ ପାଇଁ ସବୁଠୁ ବଡ଼ ସମସ୍ୟା ହୋଇପାରେ। ଏଥିପାଇଁ ମ୍ୟାଚ୍ରେ ମଧ୍ୟ ଏକାଧିକ ବର୍ଷା ବ୍ୟାଘାତ ହେଖିବାକୁ ମିଳିପାରେ।
ପରିସ୍ଥିତି ଯାହା ହେଉନା କାହିଁକି ଏହି ମ୍ୟାଚ୍ରେ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ଯୁବ ଦଳ ନିର୍ଭୀକ କ୍ରିକେଟ୍ ଖେଳିବ। ଯାହାର ଝଲକ ଶୃଙ୍ଖଳା ଆରମ୍ଭରୁ ଅର୍ଥାତ୍ ପ୍ରଥମ ଟ୍ବେଣ୍ଟି-୨୦ରେ ଦେଖିବାକୁ ମିଳି ସାରିଛି। କାନବେରାରେ ଲଗାଣ ବର୍ଷା ପାଇଁ ଭାରତ ପାଳିର ୯.୪ ଓଭର ପରେ ମ୍ୟାଚ୍ ବାତିଲ ହେବା ପ୍ରଶଂସକଙ୍କୁ ନିରାଶ କରିଥିଲା। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିବା କିନ୍ତୁ ଏହି ମ୍ୟାଚ୍ର ସବୁଠୁ ସକାରାତ୍ମକ ଦିଗ ଥିଲା।

ଏମ୍ସିଜିରେ ଭାରତର ରେକର୍ଡ ଭଲ ଅଷ୍ଟ୍ରେଲିଆର ଏମ୍ସିଜି ପଡ଼ିଆ ଭାରତୀୟ ଦଳ ପାଇଁ ସବୁବେଳେ ଶୁଭଙ୍କର ରହି ଆସିଛି। ଟିମ୍ ଇଣ୍ଡିଆ ଏଠାରେ ଖେଳିଥିବା ୬ଟି ଟ୍ବେଣ୍ଟି-୨୦ରୁ ୪ଟି ଜିତିବା ହେଉଛି ଏହାର ଜ୍ବଳନ୍ତ ଉଦାହରଣ। ଏଣୁ ଶୁକ୍ରବାର ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ବାହିନୀ ଏହି ଧାରା ବଜାୟ ରଖିବାକୁ ଚେଷ୍ଟା କରିବେ। ଏହି ମ୍ୟାଚ୍ ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ସଙ୍କ ପାଇଁ ମଧ୍ୟ ବ୍ୟକ୍ତିଗତ ଭାବେ ଗୁରୁତ୍ବପୂର୍ଣ୍ଣ ରହିବ। ଆଉ ୪ ରନ୍ କଲେ ସେ ଟ୍ବେଣ୍ଟି-୨୦ରେ ୨,୦୦୦ ରନ୍ ପୂରଣ କରିବେ। ଅନ୍ୟପକ୍ଷରେ ୭ ରନ୍ କଲେ ଭାରତର ସଞ୍ଜୁ ସାମସନ୍ ଏବଂ ୩୮ ରନ୍ କଲେ ତିଳକ ବର୍ମା ୧,୦୦୦ ରନ୍ ପୂରଣ କରିବେ। ୪ ୱିକେଟ୍ ନେଲେ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା ୧୦୦ ୱିକେଟ୍ର ମାଇଲ୍ଖୁଣ୍ଟ ଛୁଇଁବେ।
ସମ୍ଭାବ୍ୟ ଭାରତ: ଅଭିଷେକ ଶର୍ମା, ଶୁବମନ୍ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ସଞ୍ଜୁ ସାମ୍ସନ୍ (ୱିକେଟ୍ରକ୍ଷକ), ଶିବମ ଦୁବେ, ଅକ୍ଷର ପଟେଲ, ହର୍ଷିତ ରାଣା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ୍ ବୁମ୍ରା।
ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଟ୍ରାଭିସ୍ ହେଡ୍, ମିଚେଲ ମାର୍ସ (ଅଧିନାୟକ), ଜୋସ୍ ଇଂଗ୍ଲିସ୍ (ୱିକେଟ୍ରକ୍ଷକ), ଟିମ୍ ଡେଭିଡ୍, ମିଚ୍ ଓଏନ୍, ମାର୍କସ୍ ଷ୍ଟୋଇନିସ୍, ଜୋସ୍ ଫିଲିପ୍, ଜାଭିୟର ବାର୍ଟଲେଟ୍/ସିନ୍ ଆବୋଟ, ନାଥନ ଏଲିସ୍, ମ୍ୟାଟ୍ କୁନେମ୍ୟାନ୍, ଜୋସ୍ ହାଜେଲଉଡ୍।












Click it and Unblock the Notifications