India VS Australia: ଯେବେ ସାଧାରଣ ଘରର ପୁଅ ଅଷ୍ଟ୍ରେଲିଆର ଗବ୍ବା ଦୁର୍ଗରେ ଉଡାଇଲେ ବିଜୟର ବାନା
ଗୋଟିଏ ସମୟରେ ଏହି ଭାରତୀୟ ଖେଳାଳିମାନେ ଘରେ ବସି ଟିଭିରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତର ମ୍ୟାଚ ଦେଖୁଥିଲେ । କିନ୍ତୁ ଆଜି...
ବ୍ରିସବେନ: ଟି ନାଟାରାଜନ, ମହମ୍ମଦ ସିରାଜ, ୱାଶିଂଟନ୍ ସୁନ୍ଦର, ନବଦୀପ ସାଇନି, ଶ୍ରାର୍ଦ୍ଦୁଲ ଠାକୁର। ଗୋଟିଏ ସମୟରେ ଏହି ଭାରତୀୟ ଖେଳାଳିମାନେ ଘରେ ବସି ଟିଭିରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତର ମ୍ୟାଚ ଦେଖୁଥିଲେ। କିମ୍ବା ଏହି ଯୁବ ଖେଳାଳିମାନେ କ୍ୟାମେରାଠାରୁ ଦୂରରେ ଖାଲି ଷ୍ଟାଡିୟମରେ ସୟଦ ମୁସ୍ତାକ ଅଲି ଟ୍ରଫି ଟି-20ରେ ଖେଳୁଥିଲେ। କିନ୍ତୁ ଆଜି ଏମାନେ ଅଷ୍ଟ୍ରେଲିଆର ବ୍ରିସବେନ ବାଜିରେ ଭାରତ ପାଇଁ ବିଜୟ ବାନ ଉଡାଇଛନ୍ତି ।
ଏମାନେ କେବେ ଥିଲେ ଘରୋଇ ଟି-20 କ୍ରିକେଟର । ସମସ୍ତେ ପ୍ରାୟତଃ ଆଇପିଏଲ ପ୍ରଦର୍ଶନ ଆଧାରରେ ଅଷ୍ଟ୍ରେଲିଆ ଗସ୍ତର ସୀମିତ ଓଭର ପାଇଁ ଚୟନ ହୋଇଥିଲେ । କିଛି ଖେଳାଳି ତ ବ୍ୟାକ ଅଫ ବୋଲର ଭାବେ ଦଳ ସହ ଆସିଥିଲେ । ମାତ୍ର କିଏ ଜାଣିଥିଲା ଘରୋଇ କ୍ରିକେଟର ଏହି ଯୁବ ଖେଳାଳିମାନେ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ଦଳକୁ ଧୂଳି ଚଟାଇବେ । କଥାରେ ଅଛି କ୍ରିକେଟର ସର୍ବପୂରାତନ ଏହି ଫର୍ମାଟ ଟେଷ୍ଟ କ୍ରିକେଟ ପାଇଁ ଅଭିଜ୍ଞ ଖେଳାଳିଙ୍କ ଆବଶ୍ୟକ ହୋଇଥାଏ । ମାତ୍ର ଏହି ଯୁବ ଖେଳାଳିମାନେ ଆଜି ଯାହା କରି ଦେଖାଇଛନ୍ତି, ତାହା ଭାରତୀୟ କ୍ରିକେଟର ଭବିଷ୍ୟତକୁ ପ୍ରଦର୍ଶନ କରିଛି । ଆଉ ପ୍ରମାଣିତ କରିଛି ଇଏ ନୂତନ ଭାରତୀୟ କ୍ରିକେଟ । ଏଠି କିଛି ବି ସମ୍ଭବ....
ଗାବ୍ବାରେ ଗୌରବ ଆଣିଛନ୍ତି ଏହି ଯୁବ ଭାରତୀୟ ଖେଳାଳି । ବ୍ରିସବେନ ବାଜିରେ ଲାଗିଥିବା ସମ୍ମାନଜନକ ବର୍ଡର ଗାଭାସ୍କର ଟ୍ରଫିକୁ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ହାତରୁ ଛଡାଇ ଆଣିଛନ୍ତି । କାରଣ ଗାବ୍ବା ସେହି ମୈଦାନ ଯେଉଁଠି, କଙ୍ଗାରୁ ଦଳର ଦୀର୍ଘ 31 ବର୍ଷର ଅପରାଜୟ ରେକର୍ଡ ରହିଛି । ଘରୋଇ ଦଳ ଖେଳିଥିବା ଶେଷ 30ଟି ଟେଷ୍ଟ ମ୍ୟାଚରୁ କୌଣସି ଗୋଟିଏ ବି ମ୍ୟାଚରେ ବି ପରାଜୟ ପାଇ ନଥିଲା ଏହି ମୈଦାନରେ। 1989 ମସିଆରେ ଏହି ମୈଦାନରେ ଶେଷଥର ପାଇଁ ହାରିଥିଲା ଅଷ୍ଟ୍ରେଲିଆ । ମାତ୍ର ଆଜି ଅଷ୍ଟ୍ରେଲିଆର ସେହି ଗର୍ବକୁ ଧୂଳିସାତ କରି ଦେଇଛନ୍ତି ଏହି ଯୁବ ଖେଳାଳିମାନେ । ମ୍ୟାଚ ଜିତି ସମ୍ମାନଜନକ ଏହି ବର୍ଡର ଗାଭାସ୍କର ଟ୍ରଫିକୁ ନିଜ ନାମରେ କରିଛନ୍ତି ।

ଆସନ୍ତୁ ଜାଣିବା ଏହି ଯୁବ ଭାରତୀୟ ଖେଳାଳିଙ୍କ ବିଷୟରେ କିଛି କଥା:
ଟି. ନଟରାଜନ ଏବଂ ୱାସିଂଟନ ସୁନ୍ଦର-
ତାମିଲନାଡୁର ଏକ ଛୋଟ ସହରରୁ ନଟରାଜନ ଏବଂ ସାଲେମର ଚିନ୍ନାପମ୍ପଟ୍ଟିରେ ୱାଶିଂଟନ୍ ସୁନ୍ଦର ଘର । ଏକା ସାଙ୍ଗରେ ଗୋଟିଏ ମୈଦାନରେ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କଲେ ଏହି ଦୁଇ ଖେଳାଳି । ଥରେ ଭାବନ୍ତୁ ତ, ୟୁଏଇରେ ଆଇପିଏଲ୍ 2020ର ବାୟୋ ବବୁଲରୁ ସିଧା ଅଷ୍ଟ୍ରେଲିଆ । ଆଉ ଏଠି ଆସି ପୁଣି କଏଦୀ ପରି ଜୀବନ ବିତାଇବା । କେତେ କଷ୍ଟ ଦାୟକ । ଏପରି କି ଟି. ନଟରାଜନ ଏପରି ଜଣେ ଖେଳାଳି, ଯିଏ ନିଜର ନବଜନ୍ମିତ ଶିଶୁର ମୁହଁ ମଧ୍ୟ ଦେଖିପାରି ନାହାଁନ୍ତି । ଆଉ ପ୍ରଥମ ଥର ପିତା ହେବାର ଅନୁଭୂତ ବିଷୟରେ ଅଧିକା କଣ କୁହାଯାଇ ପାରେ । ଯାହାକୁ ସେ ବଳିଦନ ଦେଇଛନ୍ତି ।
ଶ୍ରାଦ୍ଦୁଲ ଠାକୁର-
ମୁମ୍ବାଇ ପଡିଆରେ ଘରୋଇ କ୍ରିକେଟର ଅଭ୍ୟାସରୁ ସିଧା ଅଷ୍ଟ୍ରେଲିଆ । ଏହା କିଛି କମ କଥା ନୂହେଁ, ଗୋଟିଏ ଘରୋଇ ଗ୍ରାଉଣ୍ଡରେ ବୋଲିଂ କରିବା ଏବଂ ଅଷ୍ଟ୍ରେଲିଆ ଭଳି ଦେଶର ପିଚରେ ଏତେ ସଫଳତାର ସହ ବୋଲିଂ କରିବା । ସଚିନ ତେନ୍ଦୁଲକରଙ୍କ ଏକ ଶବ୍ଦ ଏବଂ କିମ୍ବଦନ୍ତୀ ଜେଫ ଥମସନଙ୍କଠାରୁ ଦ୍ରୁତ ବୋଲିଂର କଳାକୁ ଅନୁସରଣ କରିବା, ବଦଲାଇ ଦେଇଥିଲା ଏହି କ୍ରିକେଟରଙ୍କ ଜୀବନ ।
ନବଦୀପ ସାଇନି-
ଏଇ ମଧ୍ୟ ଜଣେ ମଧ୍ୟବିତ ପରିବାରୁ ଆସିଥିବା ଖେଳାଳି । ପିତା ଜଣେ ସରକାରୀ ଅଫିସରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । କ୍ରିକେଟ କିଟ୍ କିଣିବା ପାଇଁ କେବେ ପୁଅକୁ ପଇସାଟେ ଦେଇ ପାରନଥିଲେ ବାପା । ତେଣୁ ନିଜର କ୍ରିକେଟ୍ ଯାତ୍ରା ପାଇଁ ପାଣ୍ଠି ଯୋଗାଡ କରିବା ଉଦେଶ୍ୟରେ
300 ଟଙ୍କା ପ୍ରତି ମ୍ୟାଚ୍ ହିସବରେ ଟେନିସ୍ ବଲ୍ କ୍ରିକେଟ୍ ଖେଳୁଥିଲେ ସାଇନ ।
ମହମ୍ମଦ ସିରାଜ-
ଜଣେ ଅଟୋରିକ୍ସା ଚାଳକଙ୍କ ପୁଅ ସିରାଜଙ୍କର ମଧ୍ୟ ଏକ ଉଲ୍ଲେଖନୀୟ କାହାଣୀ ରହିଛି । ଅଷ୍ଟ୍ରେଲିଆରେ ଥିବାବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ତେବେ ନ୍ୟାସନାଲ ଡ୍ୟୁଟି କରୁଛି ବୋଲି କହି ପିତାଙ୍କ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଭାରତ ଆସିନଥିଲେ ଏହି ଖେଳାଳି । ଆଉ ଭାରତର ଏହି ବିଜୟରେ ତାଙ୍କ 5 ୱିକେଟ ହଲ ତାଙ୍କୁ ଏକ ଅନ୍ୟ ପରିଚୟ ଦେଇଛି ।
ତେବେ ଏହି 5 ଯୁବ କ୍ରିକେଟର ଭାରତର ଏହି ଐତିହାସିକ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ଶେଷ ମ୍ୟାଚରେ ନଟରାଜନ 3ଟି, ସିରାଜ 6ଟି, ସୁନ୍ଦର 4ଟି ଓ ଶ୍ରାଦ୍ଦୁଲ 7ଟି ୱିକେଟ ନେଇଛନ୍ତି । ଶ୍ରାଦ୍ଦୁଲ ଓ ସୁନ୍ଦର ମଧ୍ୟ ନିଜ ନିଜର ଅର୍ଦ୍ଦଶକତୀୟ ପାଳି ତଥା ଶକତୀୟ ଭାଗୀଦାରୀ ବଳରେ ଭାରତ ପାଇଁ ଅଷ୍ଟ୍ରେଲିଆ ରନ ଆଧାରରେ ବୋଝ କମାଇଥିଲେ ।
ତେଣୁ ଅଭିଜ୍ଞ ଖେଳାଳିଙ୍କ ଖେଳ କୁହାଯାଉଥିବା ଟେଷ୍ଟ କ୍ରିକେଟରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଏହି ଯୁବ ଖେଳାଳିମାନେ ନିଜକୁ ପ୍ରମାଣିତ କରିଛନ୍ତି । ଆଉ କହି ଯାଇଛନ୍ତି ଦକ୍ଷତା ଆଗରେ ଅଭିଜ୍ଞଗତା ମଧ୍ୟ ଫିକା ପଡିଯାଏ ।












Click it and Unblock the Notifications