ଘୋଷଣା ହେଲା ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ, ସଞ୍ଜୁ-ଚହଲ-ଅଶ୍ୱିନଙ୍କ ପାଇଁ ନାହିଁ ସ୍ଥାନ...
India Squad for World Cup 2023: ଆସନ୍ତା ଦିନିକିଆ ବିଶ୍ୱକପ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଆଜି 15 ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ଆସନ୍ତା ଅକ୍ଟୋବର 5ରୁ ଭାରତରେ ଖେଳାଯିବାକୁ ଥିବା ଏହି ବିଶ୍ୱକପ ପାଇଁ କ୍ରିକେଟ୍ ପ୍ରଶଂସକମାନେ ଖୁବ୍ ଉତ୍ସହିତ ଅଛନ୍ତି । ସେହିପରି ଗତ 12 ବର୍ଷର ଆଇସିସି ଟ୍ରଫି ମରୁଡ଼ିକୁ ଘରେ ଶେଷ କରିବା ଲକ୍ଷ୍ୟରେ ରହିଛି ରୋହିତ୍ ସେନା ।

ତେବେ ଘୋଷଣା ହୋଇଥିବା 15 ଜଣିଆ ଦଳରେ ପ୍ରାୟତଃ ଏସିଆ କପ୍ ଖେଳୁଥିବା ସମସ୍ତଙ୍କୁ ସ୍ଥାନ ମିଳିଛି । ତେବେ ବହୁ ଆଲୋଚିତ ଦୁଇ ଖେଳାଳି କେଏଲ ରାହୁଲ ଓ ଇଶାନ କିଷାନଙ୍କୁ ମଧ୍ୟ ମିଳିତ ଭାବେ ଦଳରେ ସ୍ଥାନ ମିଳିଛି । ଅନ୍ୟପଟେ ଦଳର ଅଭିଜ୍ଞ ସ୍ପିନର୍ ଆର୍ ଅଶ୍ୱୀନ, ୟୁଜୁବେନ୍ଦ୍ର ଚହଲ ଓ ୱିକେଟକିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ବିଶ୍ୱକପ ସ୍ୱାର୍ଡରେ ସ୍ଥାନ ମିଳି ନାହିଁ ।
ତେବେ ରୋହିତ ଶର୍ମାଙ୍କ ଦ୍ୱାରା ନେତ୍ୱାଧିନ ଟିମ୍ ଇଣ୍ଡିଆରେ ଅଭିଜ୍ଞ ଖେଳାଳିଙ୍କୁ ପ୍ରାଥମିକତା ଦିଆଯାଇଛି । ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି । କେ.ଏଲ୍ ରାହୁଲ ଏବଂ ଶ୍ରେୟସ୍ ଆୟର ମଧ୍ୟ ଦଳର ଏକ ଅଂଶ ହୋଇଛନ୍ତି । ଦ୍ରୁତ ବୋଲର ଜସପ୍ରୀତ ବୁମରା ମଧ୍ୟ ଦଳରେ ସାମିଲ ରହିଛନ୍ତି । ସେହିପରି ବିକଳ୍ପ ପେସର ଭାବରେ ଶାର୍ଦ୍ଦୁଲ ଠାକୁର ମଧ୍ୟ ସ୍ଥାନ ପାଇଛନ୍ତି ।
ବିସିସିଆଇ ଚୟନ କମିଟି ବିଶ୍ୱକପ ପାଇଁ ଏକ ସନ୍ତୁଳିତ ଦଳ ଚୟନ କରିଛି । ରୋହିତଙ୍କ ସହ ଶୁବମନ ଗିଲ ଓପନ କରିବେ। ଇଶାନ କିଷାନ ମଧ୍ୟ ଦଳରେ ଅଛନ୍ତି । ଓପନ କରିବା ସହିତ ଇଶାନ ମଧ୍ୟ ମଧ୍ୟମ କ୍ରମରେ ବ୍ୟାଟିଂ କରିବାରେ ସକ୍ଷମ ଅଟନ୍ତି । ଶ୍ରେୟସ୍ ଆୟର ଏବଂ କେ.ଏଲ୍ ରାହୁଲଙ୍କ ଉପରେ ଦଳ ପରିଚାଳନା କମିଟି ପୁଣିଥରେ ଆତ୍ମବିଶ୍ୱାସ ଜୁଟାଇଛନ୍ତି । ରାହୁଲ ଏସିଆ କପ୍ 2023 ରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି । ତେବେ ଏହା ସତ୍ତ୍ୱେ ତାଙ୍କୁ ବିଶ୍ୱକପ ଦଳରେ ସାମିଲ କରାଯାଇଛି । ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦଳର ଏକ ଅଂଶ ହୋଇଛନ୍ତି।
ଦଳରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ଅକ୍ଷାର ପଟେଲ ସ୍ଥାନ ପାଇଛନ୍ତି । ଜାଡେଜା ଅନେକ ଥର ଦୃଢ ପ୍ରଦର୍ଶନ କରିଛନ୍ତି । ଯଦି ଆମେ ଭାରତର ବୋଲିଂ ଆକ୍ରମଣ ବିଷୟରେ ଆଲୋଚନା କରିବା, ତେବେ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର ଏବଂ କୁଲଦୀପ ଯାଦବ ଦଳର ଏକ ଅଂଶ । କୁଲଦୀପ ସ୍ପିନ୍ ବୋଲିଂ ସହିତ ଏକ X ଫ୍ୟାକ୍ଟର୍ ବୋଲି ପ୍ରମାଣ ହୋଇପାରନ୍ତି ।
🚨 NEWS 🚨
India’s squad for #CWC23 announced 🔽#TeamIndia
— BCCI (@BCCI) September 5, 2023
- ଭାରତୀୟ ଦଳ: ରୋହିତ ଶର୍ମା (କ୍ୟାପଟେନ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଷାନ, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ, କୁଲଦୀପ ଯାଦବ ।
କହିରଖୁ କି, ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ଵକପ୍ ୨୦୨୩ । ଅକ୍ଟୋବର ୫ରୁ ବିଶ୍ଵକପ ଫାଇଟ୍ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚ ଖେଳିବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ପ୍ରବେଶ କରୁଛନ୍ତି । ମୋଟ୍ ୪୬ ଦିନରେ ୪୮ଟି ମ୍ୟାଚ୍ ଅନୁଷ୍ଠିତ ହେବ ।
ତେବେ ଅକ୍ଟୋବର ୮ରେ ଭାରତ ଆରମ୍ଭ କରିବ ନିଜର ବିଶ୍ୱକପ ଅଭିଯାନ । ବିଶ୍ବର ଦୁଇ ଶକ୍ତିଶାଳୀ କ୍ରିକେଟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର ୮ରେ ଖେଳାଯିବ ଏହି ମହାମୁକାବିଲା । ସେହିପରି ଅକ୍ଟୋବର ୧୪ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଭାରତ-ପାକିସ୍ତାନ ହାଇଭୋଲ୍ଟେଜ୍ ଫାଇଟ୍ । ତେବେ ଏହିଠାରେ ହିଁ ନଭେମ୍ବର ୧୯ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ ।
ଚଳିତ ବର୍ଷ ଭାରତରେ ବିଶ୍ୱକପର ସମସ୍ତ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଭାରତୀୟ କ୍ରିକେଟ ବୋର୍ଡ ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜକ ସାଜିଛି । ୨୦୧୧ ପରେ ପୁଣିଥରେ ଭାରତରେ କ୍ରିକେଟ୍ ବିଶ୍ୱକପ ଆୟୋଜନ ହେବାକୁ ଯାଉଛି । ବିଶ୍ବକପର ସମସ୍ତ ମ୍ୟାଚ ଭାରତର ମୋଟ ୧୨ଟି ପଡ଼ିଆରେ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନଭେମ୍ବର ୧୯ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ ।
ଏହା ବ୍ୟତୀତ କୋଲକାତାର ଇଡେନ୍ ଗାର୍ଡେନ୍ ଏବଂ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି । ସେହିପରି ଅହମ୍ମଦାବାଦ ବ୍ୟତୀତ ଦିଲ୍ଲୀ, ବାଙ୍ଗାଲୋର, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ଧର୍ମଶାଳା, ଲକ୍ଷ୍ନୌ, ପୁଣେ, ତ୍ରିଭେନ୍ଦ୍ରମ ଏବଂ ଗୌହାଟୀରେ ବିଶ୍ବକପର ମ୍ୟାଚ୍ ଖେଳାଯିବ ।












Click it and Unblock the Notifications