ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ, ସିରିଜ୍ କବାଜ ଲକ୍ଷ୍ୟରେ ଉଭୟ ଟିମ୍
ପ୍ରଥମ ମ୍ୟାଚ୍ରେ ଭାରତ ଜିତିଥିବା ବେଳେ ୨ୟ ମୁକାବିଲାରେ ରୋମାଞ୍ଚକର ବିଜୟ ହାସଲ କରିଥିଲା ଦକ୍ଷିଣ ଆଫ୍ରିକା । ସିରିଜ୍ ଏବେ ୧-୧ରେ ବରାବର ରହିଛି । ଆଜି ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳାଯିବ । ଯାହାକି ଉଭୟ ଦଳ ପାଇଁ କର ବା ମର ସ୍ଥିତିରେ ରହିଛି । ପ୍ରଥମ ଦୁଇଟି ଯାକ ମୁକାବିଲା ହାଇ ସ୍କୋରିଂ ରହିଥିବା ବେଳେ ୩ୟ ମ୍ୟାଚ୍ ବି ସେହିଭଳି ହେବା ନେଇ ଆଶା କରାଯାଉଛି । ତେବେ ୩ୟ ଦିନିକିଆରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ ବା ପ୍ଲେଇଂ ଇଲେଭେନ୍ କିଭଳି ରହିବ? ତାହା ଉପରେ ସମସ୍ତଙ୍କର ନଜର ରହିଛି।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ୟ ଦିନିକିଆ ମୁକାବିଲା ବିଶାଖାପାଟଣାରେ ଖେଳାଯିବ । ପ୍ରଥମ ଓ ଦ୍ବିତୀୟ ଦିନିକିଆ ଭଳି ୩ୟ ମୁକାବିଲା ବି ହାଇ ସ୍କୋରିଂ ମୁକାବିଲା ହେବା ନେଇ ଆଶା କରାଯାଉଛି । ଲୋକେସ ରାହୁଲଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ପଡିଆକୁ ଓହ୍ଲାଇବ । ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ ଓପନିଂ କରିବା ଏକାପ୍ରକାର ନିଶ୍ଚିତ । ଜୟସ୍ବାଲଙ୍କ ଫର୍ମକୁ ନେଇ ଦଳ ସାମାନ୍ୟ ଚିନ୍ତାରେ ଥିବା ବେଳେ ରୋହିତ ପ୍ରଥମ ମ୍ୟାଚ୍ରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ।
ସେହିଭଳି ବ୍ୟାକ୍ ଟୁ ବ୍ୟାକ୍ ଶତକ ମାରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ବିରାଟ କୋହଲି । ସେ ୩ୟ ସ୍ଥାନରେ ବ୍ୟାଟିଂ କରିବେ । ସେହିଭଳି ୨ୟ ମୁକାବିଲାରେ ଧମାକାଦାର ଶତକ ହାସଲ କରିଥିବା ଋତୁରାଜ ଗାୟକ୍ବାଡ ୪ର୍ଥ ସ୍ଥାନରେ ବ୍ୟାଟିଂ କରିବା ନିଶ୍ଚିତ । ଅଧିନାୟକ ଲୋକେସ ରାହୁଲ ୫ମ ସ୍ଥାନରେ ଖେଳିବାକୁ ଆସିବେ । ୨ୟ ମ୍ୟାଚ୍ରେ ଦର୍ଶନୀୟ ଅର୍ଦ୍ଧଶତକ ହାସଲ କରିଥିଲେ ଲୋକେସ ରାହୁଲ । ସେହିଭଳି ଅତିରିକ୍ତ ଜଣେ ବ୍ୟାଟରଙ୍କୁ ଖେଳାଇପାରେ ଭାରତ ।
ତିଲକ ବର୍ମାଙ୍କୁ ଶେଷ ଦିନିକିଆରେ ମିଳିପାରେ ସୁଯୋଗ । ଓ୍ବାଶିଂଟନ ସୁନ୍ଦରଙ୍କୁ ବାଦ୍ ଦେଇ ତିଲକ ବର୍ମାଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସହ ନୀତିଶ କୁମାର ରେଡ୍ଡୀ ନଜର ଆସିପାରନ୍ତି । ୨ୟ ମୁକାବିଲା ଖରାପ ବୋଲିଂ କରିଥିବା ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ବାଦ୍ ଦିଆଯାଇ ତାଙ୍କ ସ୍ଥାନରେ ନୀତିଶଙ୍କୁ ମିଳିପାରେ ସୁଯୋଗ । ସେହିଭଳି ମୁଖ୍ୟ ସ୍ପିନର ଭାବେ କୁଲଦୀପ ଯାଦବ ଦଳରେ ରହିବେ । ଦ୍ରୁତ ବୋଲର ଭାବେ ହର୍ଷିତ ରାଣା ଏବଂ ଅର୍ଶଦୀପ ସିଂହଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିବ ।
ଭାରତର ସମ୍ଭାବ୍ୟ ଏକାଦଶ: ଯଶସ୍ବୀ ଜୟସ୍ବାଲ, ରୋହିତ ଶର୍ମା, ବିରାଟ କୋହଲି, ଋତୁରାଜ ଗାୟକ୍ବାଡ, ଲୋକେସ ରାହୁଲ (ଅଧିନାୟକ), ରବିନ୍ଦ୍ର ଜାଡେଜା, ନୀତିଶ ରେଡ୍ଡୀ, ହର୍ଷିତ ରାଣା, କୁଲଦୀପ ଯାଦବ ଏବଂ ଅର୍ଶଦୀପ ସିଂହ।












Click it and Unblock the Notifications