ଭାରତର ଶୋଚନୀୟ ପରାସ୍ତ: ଅଲୋଡା ରେକର୍ଡ଼ରେ ରୋହିତ; ସଚିନ, ଧୋନୀ ଓ କୋହଲି ମଧ୍ୟ ଲିଷ୍ଟରେ
ଆଡିଲେଡ ଟେଷ୍ଟରେ ଭାରତର ଶୋଚନୀୟ ପରାସ୍ତ । ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ହାରିଯାଇଛି ଭାରତ । ୧୦ ୱିକେଟ୍ରେ ଟିମ୍ ଇଣ୍ଡିଆକୁ ପରାସ୍ତ କରିଛି ଅଷ୍ଟ୍ରେଲିଆ ।
ଆଉ ଏହି ପରାଜୟ ସହ ଅଲୋଡ଼ା ରେକର୍ଡରେ ସାମିଲ ହୋଇଯାଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଲଗାତାର ୪ଟି ଟେଷ୍ଟ ମ୍ୟାଚ୍ରେ ପରାସ୍ତ ହେବାରେ ସେ ପାଲଟି ଯାଇଛନ୍ତି ଅନ୍ୟତମ ଭାରତୀୟ ଅଧିନାୟକ।
ଲଗାତାର ୪ଟି ଟେଷ୍ଟ୍ ମ୍ୟାଚ୍ ହାରିଥିବା ଭାରତୀୟ ଅଧିନାୟକଙ୍କ ତାଲିକାରେ ଏମ୍ଏକେ ପଟୌଦୀ, ସଚିନ ତେନ୍ଦୁଲକର, ଦତ୍ତାଜୀରାଓ ଗାୟକୱାଡ, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି ପ୍ରମୁଖ ଅଛନ୍ତି।

ପଟୌଦୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୧୯୬୭ରୁ ୧୯୬୮ ମଧ୍ୟରେ ଲଗାତାର ୬ଟି ଟେଷ୍ଟ ମ୍ୟାଚ୍ରେ ପରାସ୍ତ ହୋଇଥିଲା। ସେହିପରି ୧୯୯୯ରୁ ୨୦୦୦ ମଧ୍ୟରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ୱରେ ଦଳ ଲଗାତାର ୫ଟି ଟେଷ୍ଟରେ ପରାଜିତ ହୋଇଥିଲା। ୧୯୫୯ରେ ଦତ୍ତାଜୀରାଓ ଗାୟକୱାଡଙ୍କ ନେତୃତ୍ୱରେ ଦଳ ଲଗାତାର ୪ଟି ଟେଷ୍ଟ ମ୍ୟାଚ୍ରେ ପରାସ୍ତ ହୋଇଥିଲେ।
ସେହିପରି ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଦୁଇ ଥର ଲଗାତାର ୪ଟି ଟେଷ୍ଟ ମ୍ୟାଚ୍ରେ ପରାସ୍ତ ହୋଇଛି । ଧୋନିଙ୍କ ନେତୃତ୍ୱରେ ଥରେ ୨୦୧୧ ଓ ଆଉ ଥରେ ୨୦୧୪ରେ ଦଳ ଲଗାତାର ୪ଟି ଟେଷ୍ଟ ମ୍ୟାଚ୍ରେ ହାରିଥିଲା। ସେହିପରି ୨୦୨୦-୨୧ରେ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଲଗାତାର ୪ଟି ଟେଷ୍ଟ ମ୍ୟାଚ୍ ହାରିଥିଲା।
ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ପର୍ଥରେ ଖେଳା ଯାଇଥିଲା। ସେଥିରେ ଭାରତ ୨୯୫ ରନ୍ରେ ଜିତିଥିଲା। କିନ୍ତୁ ରୋହିତ ଶର୍ମା ସେହି ମ୍ୟାଚ୍ ଖେଳି ନଥିଲେ। ସେ ଆଡିଲେଡ୍ ଓଭାଲରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍କୁ ଫେରିଥିଲେ ଓ ପୁଣି ଦଳର ନେତୃତ୍ୱ ନେଇଥିଲେ। ତେବେ ତାଙ୍କୁ ମିଳିଛି ଡବଲ ବିଫଳତା। ଏହି ମ୍ୟାଚ୍ରେ ଟିମ୍ ହାରିଯାଇଛି।
ଆଡିଲେଡ୍ ଓଭାଲ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୮୦ ରନ୍ କରିଥିଲା । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୭ ରନ୍ କରି ୧୫୭ ରନ୍ର ଲିଡ୍ ନେଇଥିଲା। ଭାରତ ଦ୍ୱିତୀୟ ଇନିଂସରେ ଖରାପ ପ୍ରଦର୍ଶନ ଜାରି ରଖି ୧୭୫ ରନ୍ କରିଥିଲା। ଫଳରେ ଅଷ୍ଟ୍ରେଲିଆକୁ ମାତ୍ର ୧୯ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା ଓ ଦଳ ୧୦ ୱିକେଟରେ ବିଜୟୀ ହୋଇଥିଲା।












Click it and Unblock the Notifications