ବଡ଼ ଖବର: ବଦଳିପାରେ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍ ତାରିଖ
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ସବୁଠାରୁ ବଡ଼ ମୁକାବିଲା ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ବିଶ୍ୱକପ ଖେଳସୂଚୀ ଅନୁଯାୟୀ, ଅକ୍ଟୋବର ୧୫ ତାରିଖରେ ଏହି ହାଇ ଭୋଲ୍ଟେଜ ମ୍ୟାଚ ହେବାର ସୂଚୀ ରହିଥିଲା ।
କିନ୍ତୁ ଏବେ ଏହି ଦିନ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମହା ମୁକାବିଲା ଖେଳାଯିବା ନେଇ ଆଶଙ୍କା ଦେଖା ଦେଇଛି । କାରଣ ଅକ୍ଟୋବର ୧୫ରେ ନବରାତ୍ରୀ ଆରମ୍ଭ ହେଉଛି । ଆଉ ନବରାତ୍ରୀକୁ ନେଇ ଗୁଜରାଟରେ ଗରବା ଡ୍ୟାନ୍ସ ପାଇଁ ଭିଡ ଜିମଥାଏ । ଭାରତ-ପାକିସ୍ତାନ ମ୍ୟାଚ୍ ଅହମଦାବାଦରେ ରହିଥିବା ଯୋଗୁଁ ଏବେ ଦ୍ବନ୍ଦ୍ୱରେ ପଡିଛନ୍ତି ଆଇସିସି ଏବଂ ବିସିସିଆଇ ।

ତେବେ ବିସିସିଆଇକୁ ଏହି ମ୍ୟାଚର ତାରିଖ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଛି ସୁରକ୍ଷା ଏଜେନ୍ସି । ତେବେ ଏହାର ଉତ୍ତରରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଆମେ ଏହି ମ୍ୟାଚର ବିକଳ୍ପ ଉପରେ ବିଚାର କରୁଛୁ । ଖୁବଶୀଘ୍ର ଏ ସମ୍ପର୍କରେ ଉଚିତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।
ସୁରକ୍ଷା ଏଜେନ୍ସି କହିଛି ଯେ, ଗୁଜୁରାଟ ପୋଲିସ ପୂର୍ବରୁ ନବରାତ୍ରୀର ସୁରକ୍ଷା ବ୍ୟବସ୍ଥାରେ ବ୍ୟସ୍ତ ରହିଥିବ । ଏହା ମଧ୍ୟରେ ଭାରତ-ପାକିସ୍ତାନ ଭଳି ଏକ ହାଇପ୍ରୋଫାଇଲ ମ୍ୟାଚ ପାଇଁ ହଜାର ହଜାର କ୍ରିକେଟପ୍ରେମୀ ଅହମ୍ମଦାବାଦରେ ପହଞ୍ଚିବେ । ତେଣୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା କରିବା ଆବଶ୍ୟକ ବୋଲି କୁହାଯାଇଛି ।
ତେବେ ବିସିସିଆଇ ସଚିବ ଜୟ ଶାହା ବିଶ୍ୱକପ ଆୟୋଜନ କରୁଥିବା ସମସ୍ତ କ୍ରିକେଟ ଆସୋସିଏସନକୁ ଚିଠି ଲେଖି ଆସନ୍ତାକାଲି(୨୭ ଜୁଲାଇ)କୁ ଦିଲ୍ଲୀରେ ଏକ ବୈଠକ ପାଇଁ ଡାକିଛନ୍ତି । ତେବେ ଏହି ବୈଠକରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଚର୍ଚ୍ଚା ହେବା ପରେ ନୂଆ ତାରିଖ ଘୋଷଣା କରାଯାଇପାରେ ।
ସୂଚନାଯୋଗ୍ୟ, ଭାରତ-ପାକିସ୍ତାନ ମ୍ୟାଚ ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ହୋଟେଲ ଗୁଡିକରେ ଅକ୍ଟୋବର ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ରୁମ ବୁକ ହୋଇ ସାରିଛି ।












Click it and Unblock the Notifications